କଟକ : ସହରାଞ୍ଚଳ ଢାଞ୍ଚାରେ ଗାଁର ବିକାଶ ପାଇଁ ୨୦୧୬ରୁ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇଛି ଶ୍ୟାମା ପ୍ରସାଦ ମୁଖାର୍ଜୀ ରୁର୍ବାନ(ରୁରାଲ୍-ଅର୍ବାନ୍) ମିସନ ଯୋଜନା। ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶାର ୧୪ଟି କ୍ଲଷ୍ଟର୍ ଏଥିରେ ସାମିଲ ହୋଇଥିବା ବେଳେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ମଂଜୁର ହୋଇଛି ୧୧୨୭ କୋଟି ୩୪ ଲକ୍ଷ ଟଙ୍କା। ଏବଂ ସେଥିରୁ ଏଯାଏ ୪୭୭ କୋଟି ୩୯ ଲକ୍ଷ ଟଙ୍କା ବିନିଯୋଗ ହୋଇ ସାରିଥିବା ତଥ୍ୟ କହୁଛି। ଏହି ଯୋଜନାରେ ଏବେ ଜଣେ ଜଣେ ବିଧାୟକଙ୍କ ଠାରୁ ବି ସରପଂଚଙ୍କ ହାତରେ ଅଧିକ ପାଣ୍ଠି ରହୁଥିବା ବେଳେ ବାସ୍ତବରେ ଏହି ଯୋଜନାର ସଫଳ ରୂପାୟନ କିଭଳି ସମ୍ଭବ ହେଉଛି, ତାହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି।
ଏହି ଯୋଜନାରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଗ୍ରାମାଞ୍ଚଳର ୩୦୦ କ୍ଲଷ୍ଟରର ବିକାଶ ପାଇଁ ଲକ୍ଷ୍ୟ ରହିଛି। ଉପକୂଳ ଅଞ୍ଚଳର ଗ୍ରାମାଞ୍ଚଳ ହୋଇଥିଲେ ୨୫ରୁ ୫୦ ହଜାର ଜନସଂଖ୍ୟାକୁ ନେଇ ଗୋଟିଏ କ୍ଲଷ୍ଟର ଗଠନ କରାଯିବ ଏବଂ ପାର୍ବତ୍ୟ ଅଞ୍ଚଳ ହୋଇଥିଲେ ୧୫ରୁ ୨୫ ହଜାର ଜନସଂଖ୍ୟାକୁ ନେଇ ଗୋଟିଏ କ୍ଲଷ୍ଟର କରାଯିବ। ଅର୍ଥାତ ଗୋଟିଏ କ୍ଲଷ୍ଟରରେ ହାରାହାରି ୫ଟି ପଞ୍ଚାୟତ ରହିବ। ଗାଁକୁ ସହର ଢାଞ୍ଚାରେ ଗଢିବା, ପାର୍କ, ଗ୍ରାମାଞ୍ଚଳ ଆଲୋକୀକରଣ ଓ ଗ୍ରାମବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବା ହେଉଛି ଏହି ଯୋଜନାର ଉଦ୍ଦେଶ୍ୟ। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଏହାର କାମ ତଦାରଖ କରିବ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜିଲ୍ଲାରେ ଏ କାମ କରାଇବ। ପଞ୍ଚାୟତର ସରପଞ୍ଚମାନଙ୍କ ଦ୍ବାରା ଯୋଜନାକୁ କାର୍ଯ୍ୟକାରୀ କରାଯିବ।
/sambad/media/post_attachments/wp-content/uploads/2021/07/Road11-621x414-1.jpg)
ତଥ୍ୟ ମୁତାବକ, ରାଜ୍ୟର ବଲାଙ୍ଗୀର, ବାଲେଶ୍ବର, ବରଗଡ, କଟକ, ଗଂଜାମ, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ମୟୂରଭଂଜ, ନବରଙ୍ଗପୁର, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାର ୧୪ଟି କ୍ଲଷ୍ଟରର ବିକାଶ ପାଇଁ କେନ୍ଦ୍ର ସରକାର ୧୧୨୭.୩୪ କୋଟି ଟଙ୍କା ମଂଜୁର କରିଛନ୍ତି। ରାଜ୍ୟ ପଞ୍ଚାୟତିରାଜ ବିଭାଗର ତଥ୍ୟ ମୁତାବକ ବର୍ତ୍ତମାନ ସୁଦ୍ଧା ଏହି ୧୪ଟି କ୍ଲଷ୍ଟରରେ ୪୭୭.୩୯ କୋଟି ଟଙ୍କାର କାମ ସରିଛି। କଟକ ଜିଲ୍ଲା, ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ତାଳବସ୍ତ କ୍ଲଷ୍ଟର ପାଇଁ କେନ୍ଦ୍ର ସରକାର ୧୦୬.୬୭ କୋଟି ଟଙ୍କା ମଂଜୁର କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭୭.୧ କୋଟି ଟଙ୍କା ଖର୍ଚ୍ଚ ସରିଲାଣି। ସେହିଭଳି ବଲାଙ୍ଗୀର ଜିଲ୍ଲାର ଶିବତଳା କ୍ଲଷ୍ଟର ପାଇଁ ୫୨.୪୬ କୋଟି ମଂଜୁର ହୋଇଥିବା ବେଳେ ୧୬.୭୫ ଖର୍ଚ୍ଚ ସରିଲାଣି। ବାଲେଶ୍ବର ଜିଲ୍ଲାର ରାଇବଣିଆ କ୍ଲଷ୍ଟର ପାଇଁ ୧୦୭.୬ କୋଟି ମଂଜୁର ହୋଇଥିବା ବେଳେ ୩୩.୪୪ ଖର୍ଚ୍ଚ ହୋଇଛି। ବରଗଡ ଜିଲ୍ଲାର ଦହିତା କ୍ଲଷ୍ଟର ପାଇଁ ୧୦୬.୬୯ କୋଟି ମଂଜୁର ହୋଇଥିବା ବେଳେ ୨୦.୨୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଗଂଜାମ ଜିଲ୍ଲାର କେଶପୁର କ୍ଲଷ୍ଟର ପାଇଁ ୧୦୦.୩୧ କୋଟି ମଂଜୁର ହୋଇଥିବା ବେଳେ ୨୭.୨ କୋଟି ଖର୍ଚ୍ଚ ହୋଇଛି। ଝାରସଗୁଡା ଜିଲ୍ଲାର ସମସିଂହା କ୍ଲଷ୍ଟର ପାଇଁ ୧୦୪.୪୨ କୋଟି ମଂଜୁର ହୋଇଥିବା ବେଳେ ୫୭.୨୫ କୋଟି ଖର୍ଚ୍ଚ ହୋଇଛି। କଳାହାଣ୍ଡି ଜିଲ୍ଲାର ଉତ୍କକେଳା କ୍ଲଷ୍ଟର ପାଇଁ ୮୧.୩୮ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ୬୪.୩୮ କୋଟି ଖର୍ଚ୍ଚ ସରିଛି। କନ୍ଧମାଳ ଜିଲ୍ଲାର କୋଟଗଡ କ୍ଲଷ୍ଟର ପାଇଁ ୫୦.୨୩ କୋଟି ମଂଜୁର ହୋଇଥିବା ବେଳେ ୨୦.୬୫ କୋଟି ଖର୍ଚ୍ଚ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ରାଣୀପଡା କ୍ଲଷ୍ଟର ପାଇଁ ୧୧୦.୩୫ କୋଟି ମଂଜୁର ହୋଇଥିବା ବେଳେ ୪୭.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କୋରାପୁଟ ଜିଲ୍ଲା ମରିଚମାଳ କ୍ଲଷ୍ଟର ପାଇଁ ୬୩.୭୪ କୋଟି ମଂଜୁର ହୋଇଥିବା ବେଳେ ୨୧.୨ କୋଟି ଖର୍ଚ୍ଚ ସରିଛି। ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା କ୍ଲଷ୍ଟର ପାଇଁ ୫୮.୫୯ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ୩୭.୯୨ କୋଟି ଖର୍ଚ୍ଚ ସରିଛି। ନବରଙ୍ଗପୁର ଜିଲ୍ଲାର ମୁରତୁମା କ୍ଲଷ୍ଟର ପାଇଁ ୫୧.୩୮ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ୧୭.୪ କୋଟି ଖର୍ଚ୍ଚ ହୋଇଛି। ରାୟଗଡା ଜିଲ୍ଲାର ପଟ୍ଟାସିଂହ କ୍ଲଷ୍ଟର ପାଇଁ ୫୫.୮୫ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ୧୮.୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା କ୍ଲଷ୍ଟର ପାଇଁ ୭୭.୬୭ କୋଟି ମଂଜୁର ହୋଇଥିବା ବେଳେ ୧୭.୬୨ କୋଟିର କାର୍ଯ୍ୟ ସରିଛି। ଏହି ଅର୍ଥକୁ ଦେଖିଲେ ବର୍ଷକୁ ଜଣେ ଜଣେ ବିଧାୟକଙ୍କ ହାତପାଣ୍ଠି ଠାରୁ ବି ବହୁ ଅଧିକ ଅର୍ଥ ପଂଚାୟତରେ ବିକାଶ ପାଇଁ ସରପଂଚଙ୍କ ପାଖରେ ସୁଯୋଗ ରହୁଛି।