କରୋନା ଆକ୍ରାନ୍ତ ଗୃହ ସଂଗରୋଧରୁ ଆନ୍ଧ୍ର ଗଲେ କେମିତି ?
ଆଶାକର୍ମୀ ଓ ଲାବ୍ ଟେକ୍ନିସିଆନ ସହ ହେବ ୧୬ ଜଣଙ୍କ ସ୍ବାବ ଟେଷ୍ଟ
ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ସହରରେ ଚିହ୍ନଟ ହୋଇଛନ୍ତି ସହରର ପ୍ରଥମ କରୋନା ସଂକ୍ରମିତ । ଆନ୍ଧ୍ର ଫେରନ୍ତା ଜଣେ ୪୫ ବର୍ଷ ବୟସ୍କ କରୋନା ପଜେଟିଭ ଥିବା ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେବେ ସେ କାହାକୁ ନ କହି ଗୃହ ସଂଗରୋଧରୁ ଆନ୍ଧ୍ରକୁ ଲୁଚି ପଳାଇଛନ୍ତି। ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଥିବାବେଳେ ତାଙ୍କୁ ମେଡିକାଲରେ ରଖାଯିବାକୁ କୋରାପୁଟ ଜିଲ୍ଲାପାଳ ଏକ ଚିଠି କରିଛନ୍ତି। ତେବେ ତାଙ୍କ ସହ ମିଶିଥିବା ୧୬ଜଣଙ୍କର ହେବ ସ୍ବାବ ଟେଷ୍ଟ। ଆଜି ୫ଜଣର ସ୍ବାବ ଟେଷ୍ଟ କରାଯାଇଥିବା ବେଳେ ଆସନ୍ତାକାଲି ୧୧ ଜଣଙ୍କର ସ୍ବାବ ଟେଷ୍ଟ ହେବ। ଏଥିରେ ସେ ରହୁଥିବା ଘରର ଉପରେ ରହୁଥିବା ସଦସ୍ୟ, ରୋଷେୟା, ଡ୍ରାଇଭର, ଖୀରବାଲା, ଆଶାକର୍ମୀ, ଲାବ ଟେକ୍ନିସିଆନ୍ ସହ ୧୬ଜଣଙ୍କର ରହିଥିବା ବେଳେ ସେ ସମସ୍ତଙ୍କ ସହ ମିଶିଥିବା ସୂଚନା ମିଳିଛି। ସମସ୍ତଙ୍କର ସ୍ବାବ ଟେଷ୍ଟ ହେବ ବୋଲି ଜିଲ୍ଲା ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଉକ୍ତ ଆନ୍ଧ୍ର ଫେରନ୍ତା ଜଣକ ଚଳିତ ମାସ ୧୮ରେ ଏକ କାରରେ ଡ୍ରାଇଭର ସହ ଜୟପୁରକୁ ଆସିଥିଲେ। ସେଠାରେ ଦୁଇଦିନ ରହିବା ପରେ ସାହି ବାସିନ୍ଦା ବିରୋଧ କରିଥିଲେ। ପରେ ୨୦ ତାରିଖରେ ସ୍ବାବ ସଂଗ୍ରହ କରାଯାଇଥିଲା। ବେଲ ରୋଡର ଆଶା କର୍ମୀ ଓ ଜିଲ୍ଲା ମେଡିକାଲର ଜଣେ ଟେକ୍ନିସିଆନ ତାଙ୍କର ସ୍ବାବ ସଂଗ୍ରହ କରିଥିଲେ। ପରେ ତାଙ୍କୁ ସଂଗରୋଧରେ ରହିବାକୁ କୁହାଯାଇଥିଲା। ସେ ସେଠାରେ ରହିଥିବାବେଳେ ୧୬ଜଣଙ୍କ ସମ୍ପର୍କରେ ଆସିଥିବା ସୂଚନା ମିଳିଛି। ଏହାପରେ ସେ ୨୩ ତାରିଖରେ କାହାକୁ ନ କହି ଘର ଛାଡି ପଳାଇଥିବା ଜଣାପଡିଛି। ତେବେ ଆଜି ଜିଲ୍ଲା ଚିକିତ୍ସାଧିକାରୀ ତାଙ୍କ ସହ ଯୋଗଯୋଗ କରିଥିଲେ। ତାଙ୍କୁ ଗାଧୋଇ ପ୍ରସ୍ତୁତ ରହିବାକୁ କୁହାଯିବା ସହ ଉପସ୍ଥିତ ରହିବାକୁ କୁହା ଯାଇଥିଲା। ପରେ ଜିଲ୍ଲା ମେଡିକାଲ ପକ୍ଷରୁ ତାଙ୍କ ପାଇଁ ଘର ପାଖକୁ ଆମ୍ବୁଲାନ୍ସ ପଠାଯାଇଥିଲା। କିନ୍ତୁ ସେ ସେଠାରେ ନ ଥିବା ଜଣାପଡିଥିଲା। ପରେ ଫୋନ ଯୋଗେ ସେ ଭଉଣୀର ସଂସ୍କାର କାର୍ଯ୍ୟ ପାଇଁ ୨୩ ତାରିଖରୁ ଜୟପୁର ଛାଡିଛନ୍ତି ବୋଲି କହିଥିଲେ। ପରେ କୋରାପୁଟ ଜିଲ୍ଲାପାଳ ଏ ନେଇ ପୂର୍ବ ଗୋଦାବରୀ ଜିଲ୍ଲାପାଳଙ୍କୁ ସୂଚନା .ଦେଇ ଥିବାବେଳେ ତାଙ୍କୁ ସେଠାରୁ ମେଡିକାଲକୁ ନିଆଯାଇଥିବା ଜଣାପଡିଛି।
ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗକୁ ନ ଜଣାଇ ସେ ଆନ୍ଧ୍ରକୁ ଯାଇଥିବା ଜଣାପଡିଛି। ଏତେ କଟକଣା ସତ୍ବେ ଆନ୍ଧ୍ରକୁ ଗଲେ କେମିତି। ଯଦିଓ ସରକାର କାର ଯୋଗେ ଯିବାକୁ କହିଛନ୍ତି କିନ୍ତୁ ଗୃହ ସଂଗରୋଧରେ ରହିଥିବା ସଂକ୍ରମିତ କିପରି ଜିଲ୍ଲା ପରେ ଜିଲ୍ଲା ଡେଇଁ ପଳାଇଲେ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ତେବେ ସେ ଏହିଠାରେ ୧୬ଜଣଙ୍କ ସହ ମିଶିଥିବାବେଳେ ସେଠାରେ ଆଉ କେତେ ଜଣଙ୍କ ସହ ମିଶିଥିବେ ତାହାକୁନେଇ ଶଙ୍କା ପ୍ରକାଶ ପାଇଛି। ଯଦିଓ ଏହି ସଂକ୍ରମିତଙ୍କ ଦେହରେ କରୋନାର ଲକ୍ଷଣ ଜଣାପଡୁ ନଥିଲା। ତେବେ ତାଙ୍କ ସସ୍ପର୍ଶରେ ଆସିଥିବା ଲୋକଙ୍କୁ ଏହା ସଂକ୍ରମିତ କରିଥିବା ଜଣାପଡିଛି। ଏହି ଆନ୍ଧ୍ର ଫେରନ୍ତା ଜଣକ ସୁପର ସ୍ଫ୍ରେଡର ହେବନି ବୋଲି ତ ପ୍ରଶ୍ନ ଉଠିଛି। ତେବେ ଉକ୍ତ ବ୍ୟକ୍ତି ଜଣକ ୧୪ ଦିନ ରହିବା ସହ ପରବର୍ତ୍ତୀ ସମୟରେ ଆଉ କିଛି ଦିନ ସଂଗରୋଧରେ ରହିବାର ନିୟମ ରହିଥିଲା। କିନ୍ତୁ ଉକ୍ତ ଆନ୍ଧ୍ର ଫେରନ୍ତା ଜଣକ ଏହାକୁ ଅମାନ୍ୟ କରିଥିବା ଜଣାପଡିଛି।
ଏନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି ଯେ କୋରାପୁଟରେ ଚିହ୍ନଟ ହୋଇଥିବା ୬ଜଣ କରୋନା ଆକ୍ରାନ୍ତମାନେ ସବୁ ଟିଏମସିରେ ରହିଥିବା ବେଳେ ଜୟପୁର ବେଲ ରୋଡର ଆନ୍ଧ୍ର ଫେରନ୍ତା ପଶ୍ଚିମ ଗୋଦାବରୀରେ ରହିଥିବା ଜଣାପଡିଛି। ଏ ନେଇ ସେଠାର ଜିଲ୍ଲାପ୍ରଶାସନକୁ ସୂଚନା ଦିଆଯାଇଛି। ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ କାରଣରୁ ସେଠାକୁ ସେ ପଳାଇଥିବା ଜଣାପଡିଛି।