ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ: କରୋନା ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଯୋଗ-ପ୍ରାଣାୟାମ କଲେ ଭଲ 

ଭୁବନେଶ୍ୱର: କୋଭିଡ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଥିବା ସମୟରେ ଯୋଗ ଓ ପ୍ରାଣାୟାମ କଲେ ଭଲ । ଯୋଗ ଓ ପ୍ରାଣାୟାମ କରାଯିବା ଦ୍ୱାରା ରୋଗୀ କରୋନାକୁ ଭୁଲି ପାରିବେ । କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜର ବିଶେଷଜ୍ଞ ଡାକ୍ତର ସାରଦା ସ୍ୱାଇଁ ରାଜ୍ୟ ସରକାରଙ୍କ କୋଭିଡ ସଂପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଆଜି ଏହା କହିଛନ୍ତି । ସେ କହିଛନ୍ତି ଯେ, ହୋମ ଆଇସୋଲେସନ ସମୟରେ ଆକ୍ରାନ୍ତଙ୍କ ନିଦ୍ରାହୀନତା ଓ ଛାନିଆ ଲକ୍ଷଣ ଦେଖାଯାଉଛି । ଘରେ ଏକାନ୍ତରେ ରହୁଥିବା ଲୋକ, ବୟସ୍କ, କିଶେରମାନଙ୍କ ମାନସିକ ସ୍ଥିତି ବିଗୁଡ଼ିଥିବା ପରୀଲକ୍ଷିତ ହେଉଛି । ତେଣୁ ଏଭଳି ଲୋକଙ୍କର ମାନସିକ ସ୍ଥିତି ପରିବର୍ତ୍ତନ କରିବା ଲାଗି ପରିବାରର ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ହୋମ ଆଇସୋଲେସନରେ ଥିବା ବେଳେ ରୋଗୀ ଖାଦ୍ୟପେୟ ଉପରେ ଯଥେଷ୍ଟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ରୋଗୀ ପ୍ରତିଦିନ ସୁଷମ ଖାଦ୍ୟ ଖାଇବେ । ଅଧିକ ପାଣି ପିଇବେ । ମଝିରେ ମଝିରେ କିଛି କିଛି କାମ କଲେ ମଧ୍ୟ ଭଲ ।

 କୌଣସି ମାନସିକ ରୋଗ ସଂପର୍କରେ କଟକ ଏସସିବିକୁ ଫୋନ କରି ପରାମର୍ଶ ନିଆଯାଇପାରିବ । ଏସସିବିର ମାନସିକ ରୋଗ ପ୍ରତିଷ୍ଠାନକୁ ୧୮୦୦୩୪୫୭୨୮୮କୁ ଫୋନ କଲେ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେବେ । ପୂର୍ବାହ୍ନ ୧୦ରୁ ସନ୍ଧ୍ୟା ୫ଟା ମଧ୍ୟରେ ଫୋନ କଲେ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେବେ ।

ଡାକ୍ତର ସ୍ୱାଇଁ କହିଛନ୍ତି ଯେ, ହୋମ ଆଇସୋଲେସନରେ ଥିବା ବେଳେ ମାନସିକ ରୋଗୀଙ୍କ ରୋଗ ଆହୁରି ବଢ଼ିଯିବାର ଆଶଙ୍କା ରହିଛି । ତେଣୁ ସତର୍କତା ଅମ୍ବଲମ୍ବନ କରିବାର ଅଛି । ଏଭଳି ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ କରି ରୋଗର ମାତ୍ରା କମାଇବାକୁ ପଡ଼ିବ । ମାନସିକ ରୋଗୀ ମଧ୍ୟ ଯୋଗ ଓ ପ୍ରାଣାୟାମ କରିପାରିବେ । ଡାକ୍ତର ସ୍ୱାଇଁ କହିଛନ୍ତି, ମାନସିକ ରୋଗୀ ଯଦି କୋଭିଡ ଚିହ୍ନଟ ହୁଅନ୍ତି ତା’ହେଲେ ହୋମ ଆଇସୋଲେସନରେ ରହିଲେ ଭଲ । କିନ୍ତୁ ଯଦି ସ୍ଥିତି ବିଗିଡ଼ିଯାଏ, ତାହେଲେ ହସ୍ପିଟାଲ ସହ ପରାମର୍ଶ କଲେ ଭଲ ।

ସମ୍ବନ୍ଧିତ ଖବର