କରୋନା ସଂକଟ ସମୟରେ ଏମିତି ନେବେ ଗର୍ଭବତୀଙ୍କ ଯତ୍ନ, ବିଶେଷଜ୍ଞ ଡାକ୍ତର ଦେଲେ ପରାମର୍ଶ

ଭୁବନେଶ୍ୱର: କରୋନା ଭାଇରସ ମହାମାରୀ ସଂକଟ ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସତର୍କତାର ସହିତ ଜୀବନଯାପନ କରିବାକୁ ପଡୁଛି । କିନ୍ତୁ ବରିଷ୍ଠ ନାଗରିକ, ଗର୍ଭବତୀ, ଶିଶୁ ଓ ରୋଗୀଙ୍କ ପାଇଁ ଏହା ଆହୁରି ଅଧିକ । ରାଜ୍ୟ ସରକାରଙ୍କ କରୋନା ସଂପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜରିଆରେ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ଲୁସି ଦାସ କୁହନ୍ତି, କରୋନା ସଂକ୍ରମିତ ଗର୍ଭବତୀ ମହିଳା ହୋମ ଆଇସୋଲେସନରେ ରହିପାରିବେ । କିନ୍ତୁ ସେ ପରିବାରର କାହାରି ସହିତ ମିଶିବେ ନାହିଁ ।

ବିଶେଷଜ୍ଞ ଡାକ୍ତର ଶ୍ରୀମତୀ ଦାସ କହିଛନ୍ତି, ଯଦି ପରିବାରରେ ଜଣେ ଗର୍ଭବତୀ କରୋନା ପଜିଟିଭ ଚିହ୍ନଟ ଅଛନ୍ତି, ତଥାପି ଅନ୍ୟମାନେ ବ୍ୟସ୍ତ ନ ହୋଇ ସତର୍କତା ଅବଲମ୍ବନ କରିବା ଉଚିତ । ସେମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷାକରିବା ଓ ବାରମ୍ବାର ହାତ ଧୋଇ ସତର୍କ ରହିବେ । ଶିଶୁଟିଏ ଥାଇ ଗର୍ଭବତୀ ମା’ ପଜିଟିଭ ଥିଲେ, ମା’ ଓ ଶିଶୁ ମଧ୍ୟରେ ଦୂରତା ରକ୍ଷା କରାଯିବା ଉଚିତ । କିନ୍ତୁ ଶିଶୁକୁ ପରିବାରର ଦାୟିତ୍ୱ ସଂପନ୍ନ ବ୍ୟକ୍ତି ଯତ୍ନ ନେବେ । ଗର୍ଭବତୀ ମହିଳା ଜଣକ ନିଜର ଯତ୍ନ ନେବେ । ସ୍ୱଚ୍ଛ ରହିବେ । ଭିଟାମିନ ଯୁକ୍ତ ଖାଦ୍ୟ ଖାଇବେ । ଗର୍ଭବତୀ ଯେଉଁ ଔଷଧ ଖାଉଛନ୍ତି ତଥା ଆଇରନ ଓ କ୍ୟାଲସିୟମ ବଟିକା ଖାଇବେ ।

ଗର୍ଭବତୀ ହେବାର ପ୍ରଥମ ୩ ମାସ ଓ ଶେଷ ୩ ମାସରେ ଅନେକ ସମସ୍ୟା ହୋଇଥାଏ । ଏହି ସମୟରେ କୋଭିଡ ଆଶଙ୍କା ହେଲେ, କୋଭିଡ ହସ୍ପିଟାଲ ସହିତ ପରାମର୍ଶ କରାଯିବା ଦରକାର ବୋଲି ଡ. ଦାସ ପରାମର୍ଶ ଦେଇଛନ୍ତି ।

କୋଭିଡ ଓ ସାଧାରଣ ରୋଗୀଙ୍କ ପାଇଁ ହସ୍ପିଟାଲ ଗୁଡ଼ିକରେ ଅଲଗା ଅଲଗା ବ୍ୟବସ୍ଥା ରହିଛି । ଏପରିକି କୋଭିଡ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତର ଓ ଅନ୍ୟ କର୍ମଚାରୀ ବ୍ୟବସ୍ଥା କରାଯାଇଛି । ତେଣୁ ଗର୍ଭବତୀ ମହିଳା ମଧ୍ୟ ନିର୍ଭୟ କରି ସରକାରୀ ହସ୍ପଟାଲ ଯାଇପାରିବେ । କୋଭିଡ ପଜିଟିଭ ମା’ ନିଜର ଶିଶୁଙ୍କୁ କ୍ଷୀର ଖୁଆଇପାରିବେ । ନବଜାତ ଶିଶୁ ଯେହେତୁ ସବୁବେଳେ ମା’ ପାଖରେ ରହିଥାଏ, ମା’ଙ୍କୁ କରୋନା ସତର୍କତା ଅବଲମ୍ବନ କରିବାର ଅଛି । ସାମାନ୍ୟ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ହାତ ଧୋଇବାକୁ ହେବ । ଲୁଗା ସଫା ଓ ପରିଷ୍କାର ରଖିବାକୁ ହେବ ବୋଲି ସେ କହିଛନ୍ତି ।

ଡ. ଦାସ କହିଛନ୍ତି, କୋଭିଡ ପଜିଟିଭ ମା’ର ପ୍ରସୂତୀ ପରେ ମା’ଙ୍କୁ ଭିଟାମିନ ଯୁକ୍ତ ଖାଇବାକୁ ଦିଅନ୍ତୁ । ମା’ ପାଖରେ ଛୁଆକୁ ଅଧିକ ସମୟ ରଖିବେ ନାହିଁ । ଛୁଆଟି କେବଳ ମା’ଠାରୁ କ୍ଷୀର ଖାଇବା ସମୟରେ ରହିବ । ମୋଟାମୋଟି ଭାବେ ଛୁଆର ଯତ୍ନ ପରିବାରର ଅନ୍ୟମାନେ ନେବେ । କୋଭିଡରୁ ବର୍ତ୍ତିବା ଲାଗି ଶିଶୁକୁ ମାସ୍କ ପିନ୍ଧାଇପାରିବା ନାହିଁ । କାରଣ ଭବିଷ୍ୟତରେ ଅସୁବିଧା ହୋଇପାରେ ।

ସମ୍ବନ୍ଧିତ ଖବର