ନକଲି ସାରରେ ଲଗାମ ଲାଗିବ କେମିତି? ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ହେଉନି ନମୁନା ସଂଗ୍ରହ
ସବ୍ସିଡିର ଲାଭ ନେଉଛନ୍ତି ବ୍ୟବସାୟୀ, କ୍ଷତିରେ ଚାଷୀ
ଭୁବନେଶ୍ବର : ରାଜ୍ୟରେ ପ୍ରବର୍ତ୍ତନ ନିର୍ଦେଶାଳୟ ନାହିଁ। ଫଳରେ ନକଲି ଏବଂ ନିମ୍ନମାନର ରାସାୟନିକ ସାରରେ ଲଗାମ ଲାଗିପାରୁନାହିଁ। ଏଥିଯୋଗୁଁ ସ୍ଥିତି ଏଭଳି ହେଲାଣି ଯେ ସରକାର ଦେଉଥିବା ସବ୍ସିଡିର ଲାଭ କଳବଜାରୀଙ୍କ ପାଖକୁ ଯାଉଛି। କିନ୍ତୁ ଉତ୍ପାଦନ ବୃଦ୍ଧି ବଦଳରେ ଚାଷୀ ଖର୍ଚ୍ଚାନ୍ତ ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଖରିଫରେ ଓଡ଼ିଶାକୁ ୯ ଲକ୍ଷ ଏବଂ ରବିରେ ୩ ଲକ୍ଷ ମେଟ୍ରିକ ଟନର ରାସାୟନିକ ସାରର ଆବଶ୍ୟକତା ଥାଏ। ନକଲି ଏବଂ ନିମ୍ନମାନର ସାର ବ୍ୟବହାର ରୋକିବା ପାଇଁ ଭୁବନେଶ୍ବର, ରାୟଗଡ଼ା ଏବଂ ସମ୍ବଲପୁରରେ ସାର ପରୀକ୍ଷାଗାର ରହିଛି। ବାଲେଶ୍ବର ଏବଂ ବ୍ରହ୍ମପୁରରେ ଏହା ନିର୍ମାଣାଧୀନ ରହିଛି। ମାର୍ଚ ସୁଦ୍ଧା ଏହା ସମାପ୍ତ ହେବ ବୋଲି ଆଶା ରହିଛି। ଭୁବନେଶ୍ବରର ସାର ପରୀକ୍ଷାଗାର ଏତେ ଉଚ୍ଚମାନର ଯେ ଏହା ଦେଶର ସାର ପରୀକ୍ଷା ପାଇଁ ରେଫରାଲ ସେଣ୍ଟର ହୋଇ ପାରିଛି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀର ନମୁନା ଏଠାକୁ ଆସେ। ନିୟମ ଅନୁଯାୟୀ, କୃଷି ବିଭାଗର ଟିମ୍ ବିଭିନ୍ନ ସ୍ଥାନରୁ ଏହାର ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇବେ। ୧୫ ଦିନ ମଧ୍ୟରେ ଏହାର ରିପୋର୍ଟ ଦିଆଯାଏ। ନକଲି ସାର ଉପରେ ଲଗାମ ପାଇଁ ସାର ପ୍ରସ୍ତୁତକାରୀ କମ୍ପାନି କିମ୍ବା ଡିଲର ଉପରେ କାର୍ଯ୍ୟାନୁଷ୍ଠାନ ହେବା କଥା। ସରକାର ନିଜେ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ଅନୁସାରେ ମଧ୍ୟ ରାସାୟନିକ ସାରର ନମୁନା ପରୀକ୍ଷାଗାରକୁ ପଠାଯାଇ ପାରୁନାହିଁ।
ସୂଚନା ମୁତାବକ, ଭୁବନେଶ୍ବର ପରୀକ୍ଷାଗାରକୁ ୨୦୨୦ ମସିହାରେ ଖୋର୍ଧା, ପୁରୀ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଏବଂ ନୟାଗଡ଼ ଜିଲ୍ଲାର ୫୫୦୦ଟି ସାର ନମୁନା ଆସି ପରୀକ୍ଷା ହେବା କଥା। ଗତବର୍ଷ ପ୍ରାୟ ୩୯୦୦ଟି ନମୁନା ପରୀକ୍ଷା ହୋଇ ସେଥିରୁ ୧୬୩ ନିମ୍ନମାନର ଥିବା ଜଣାପଡ଼ିଥିଲା। ୨୦୧୯ ମସିହାରେ ଧାର୍ଯ୍ୟ ଲକ୍ଷ୍ୟର ୫୫୦୦ଟି ନମୁନା ମଧ୍ୟରୁ ପ୍ରାୟ ୨୯୦୦ଟି ପରୀକ୍ଷା ହୋଇ ୧୮୬ଟି ନିମ୍ନମାନର, ୨୦୧୮ ମସିହାରେ ଧାର୍ଯ୍ୟ ଲକ୍ଷ୍ୟର ୭୫୦୦ଟି ନମୁନା ମଧ୍ୟରୁ ୪୮୫୦ଟି ପରୀକ୍ଷା ହୋଇ ୨୪୯ଟି ନିମ୍ନମାନର, ୨୦୧୭ ମସିହାରେ ଧାର୍ଯ୍ୟ ଲକ୍ଷ୍ୟର ୭୫୦୦ ମଧ୍ୟରୁ ପ୍ରାୟ ୩୨୦୦ଟି ପରୀକ୍ଷା ହୋଇ ୨୨୨ଟି ନିମ୍ନମାନର, ୨୦୧୬ ମସିହାରେ ଧାର୍ଯ୍ୟ ଲକ୍ଷ୍ୟର ୫୫୨୦ ମଧ୍ୟରୁ ପ୍ରାୟ ୨୩୦୦ଟି ପରୀକ୍ଷା ହୋଇ ୧୭୦ଟି ନିମ୍ନମାନର, ୨୦୧୫ ମସିହାରେ ଧାର୍ଯ୍ୟ ଲକ୍ଷ୍ୟର ୫୫୨୦ ମଧ୍ୟରୁ ୨୭୬୨ଟି ନମୁନା ପରୀକ୍ଷା ହୋଇ ୧୮୧ଟି ନିମ୍ନମାନର ବୋଲି ଜଣାପଡ଼ିଛି। କିଛି ବର୍ଷ ପୂର୍ବରୁ ଏଥିମଧ୍ୟରୁ କେବଳ ଆନ୍ଧ୍ରପ୍ରଦେଶର ଏକ ସାର କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡ଼ିଛି। ଅନ୍ୟ କେଉଁ କମ୍ପାନି, କେଉଁ ଡିଲର ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ କିମ୍ବା ଜରିମାନା ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ। ଏସମ୍ପର୍କରେ ସୂଚନା ଦେବା ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟକୁ କୁହାଯାଇଛି।
ପ୍ରକୃତରେ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ରାସାୟନିକ ସାର ଯାଞ୍ଚ ପାଇଁ ସ୍ବତନ୍ତ୍ର ପ୍ରବର୍ତ୍ତନ ନିର୍ଦେଶାଳୟ କିମ୍ବା ସ୍କ୍ବାଡ୍ ନାହାନ୍ତି। ରାଜ୍ୟରୁ ବ୍ଲକସ୍ତର ପର୍ଯ୍ୟନ୍ତ ଯେଉଁମାନଙ୍କ ହାତରେ ସାର ଗ୍ରହଣ ଠାରୁ ବିକ୍ରିର ଦାୟିତ୍ବ ରହିଛି, ସେମାନେ ଯାଞ୍ଚ କରୁଛନ୍ତି। କମ୍ପାନି ମାନଙ୍କ ସହିତ ସେମାନଙ୍କ ସିଧାସଳଖ ସମ୍ପର୍କ ରହୁଛି। ଏଥିଯୋଗୁଁ ଅନେକ କ୍ଷେତ୍ରରେ କଳାବଜାର ସମ୍ପର୍କରେ ଅଧିକାରୀମାନେ ଅବଗତ ହେଲେ ସୁଦ୍ଧା ପଦକ୍ଷେପ ଗ୍ରହଣ କରିପାରନ୍ତି ନାହିଁ। ତେଣୁ ନକଲି ସାର କାରବାର ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପ୍ରବର୍ତ୍ତନ ନିର୍ଦେଶାଳୟ ପାଇଁ ଅନେକ ଦିନ ହେଲା ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ମଧ୍ୟ ରହିଛି। ଏହାକୁ କେବେ କାର୍ଯ୍ୟକାରୀ କରାଯିବ ତାହା ହିଁ ଅପେକ୍ଷା। ବିଭିନ୍ନ ପ୍ରକାର ସାରରେ ୟୁରିଆ, ପଟାସ ଏବଂ ଫସଫରସର ନିର୍ଦିଷ୍ଟ ମାନ ରହିବା ଉଚିତ। ଅନେକ କ୍ଷେତ୍ରରେ ଉତ୍ପାଦନ କରୁଥିବା କମ୍ପାନି କିମ୍ବା ସାର ଆଣିବା ବେଳକୁ ବଡ଼ ଡିଲର ଏଥିରେ ଅଦଳବଦଳ କରି ଦିଅନ୍ତି। ଏଥିଯୋଗୁଁ ଉତ୍ପାଦନ ଆଖିଦୃଶିଆ ହୋଇପାରେ ନାହିଁ। ଏହାଛଡ଼ା ଚାଷୀର ଖର୍ଚ ମଧ୍ୟ ବଢ଼େ। ଉତ୍ପାଦନ ବୃଦ୍ଧିର ଯେଉଁ ଲକ୍ଷ୍ୟ ନେଇ ସବ୍ସିଡି ନାମରେ ସରକାର ଏତେ ଟଙ୍କା ଖର୍ଚ କରନ୍ତି ତା’ର ଲାଭ ଚାଷୀ ପାଇପାରେ ନାହିଁ। ଓଡ଼ିଶା ସରକାର ସାରର କଳାବଜାର ରୋକିବା ଉପରେ କେବେ ଗୁରୁତ୍ବ ଦେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।