୫୨୦ ମେଡିକାଲ ବିଦ୍ୟାର୍ଥୀଙ୍କ ବିନା କେମିତି ହେବ କୋଭିଡ୍‌ ମୁକାବିଲା?

ପିଜି ପ୍ରଥମବର୍ଷ ବିଦ୍ୟାର୍ଥୀଙ୍କ ନାମଲେଖା ପ୍ରସଙ୍ଗ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତିନି ପ୍ରମୁଖ ମେଡିକାଲ କଲେଜ, କଟକ ଏସସିବି, ବ୍ରହ୍ମପୁର ଏମକେସିଜି ଏବଂ ସମ୍ବଲପୁର ଭିମସାରରେ ଶଯ୍ୟାସଂଖ୍ୟା ବୃଦ୍ଧି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ମେଡିକାଲ ପିଜିର ପ୍ରଥମ ବର୍ଷର ୫୨୦ ମେଡିକାଲ ବିଦ୍ୟାର୍ଥୀଙ୍କ ବିନା କିଭଳି କୋଭିଡ୍‌ ମୁକାବିଲା କରାଯିବ, ତାହା ଚିନ୍ତାର ବିଷୟ ହୋଇଛି। ଯଥାଶୀଘ୍ର ରାଜ୍ୟ‌ରେ ଥିବା ମେଡିକାଲ କଲେଜମାନଙ୍କରେ ପିଜି ପ୍ରଥମ ବର୍ଷ ବିଦ୍ୟାର୍ଥୀଙ୍କ ନାମ ଲେଖାଇବା ପାଇଁ ତିନୋଟିଯାକ ମେଡିକାଲ କଲେଜ ବିଦ୍ୟାର୍ଥୀ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିସାରିଛନ୍ତି। ମେଡିକାଲ ପିଜି ପ୍ରଥମବର୍ଷ ବିଦ୍ୟାର୍ଥୀଙ୍କ ନାମଲେଖା ପାଇଁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଯଥାଶୀଘ୍ର ଏହାର ପାଳନ ନ ହେ‌ଲେ, ଏକ ସଂକଟଜନକ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।

wionews.com

କୋଭିଡ୍‌ ମୁକାବିଲାରେ ପ୍ରକୃତ ସମ୍ମୁଖ ଯୋଦ୍ଧା ହେଲେ ମେଡିକାଲ ପିଜିର ବିଦ୍ୟାର୍ଥୀ। ମହାମାରୀ ସ୍ଥିତିରେ ଯେତେବେଳେ ମେଡିକାଲ କଲେଜମାନଙ୍କ ଉପରେ ନିର୍ଭରଶୀଳତା ବୃଦ୍ଧି ପାଏ, ସେହି ଚାପକୁ ମଧ୍ୟ ସମ୍ଭାଳି ଥାଆନ୍ତି ଏହି ବିଦ୍ୟାର୍ଥୀମାନେ। ବିଶେଷଜ୍ଞଙ୍କ ପରାମର୍ଶକୁ କାର୍ଯ୍ୟକାରୀ କରିବାରେ ଏମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। କରୋନାର ଦୁଇଟି ଲହରରେ ସେମାନଙ୍କ ସକ୍ରିୟତା ସ୍ପଷ୍ଟ ବାରି ହୋଇଛି।

କିନ୍ତୁ ଚଳିତ ବର୍ଷ ପିଜି ବିଦ୍ୟାର୍ଥୀଙ୍କ ଗୋଟିଏ ବ୍ୟାଚ୍‌ ବିନା କିଭଳି କୋଭିଡ ମୁକାବିଲା ହେବ, ୫୨୦ର ଏହି ଶୂନ୍ୟସ୍ଥାନ କିଭଳି ପୂରଣ ହେବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମେ’ ମାସ ବେଳକୁ ସେମାନଙ୍କ ନାମଲେଖା ସରିଥିଲେ ବର୍ତ୍ତମାନ ମଧ୍ୟରେ ସେମାନେ ଏହି କାର୍ଯ୍ୟ ନେଇ କିଛିଟା ଅଭିଜ୍ଞତା ହାସଲ କରି ସାରି ଥାଆନ୍ତେ। ଫଳରେ ବର୍ତ୍ତମାନ ସ୍ଥିତି ସହିତ ଖାପ ଖୁଆଇବା ସେମାନଙ୍କ ପକ୍ଷେ ସହଜ ହୋଇଥାଆନ୍ତା। ମାତ୍ର ବର୍ତ୍ତମାନ ନାମଲେଖା ପ୍ରକ୍ରିୟା ଆରମ୍ଭ ହେଲେ ମଧ୍ୟ ଏହା କେବେ ହେବ, କେତେ ଦିନ ପର୍ଯ୍ୟନ୍ତ କରାଯିବ ଏବଂ ପିଲା କେବେ ଆସି କାର୍ଯ୍ୟ ସହିତ ଖାପ ଖୁଆଇବେ, ଏହାକୁ ନେଇ ସମସ୍ତଙ୍କ ଚିନ୍ତା ରହିଛି।

medicine.iu.edu

ସୂଚନା ଅନୁଯାୟୀ, ଏସ୍‌ସିବିରେ ୨୭୦, ଏମ୍‌କେସିଜିରେ ୧୩୦, ଭିମସାରରେ ୧୨୦ ସିଟ୍‌ର ପିଜି ପ୍ରଥମବର୍ଷର ନାମଲେଖା ହୋଇପାରିନାହିଁ। ଏଣେ କିନ୍ତୁ ଅତିରିକ୍ତ ଭାବେ ଏସ୍‌ସିବିରେ ୫୦୦ ଶଯ୍ୟା, ଭିମସାରରେ ୨୦୦ ଶଯ୍ୟା ଏବଂ ଏମକେସିଜିରେ ଆବଶ୍ୟକତା ଅନୁସାରେ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ପରାମର୍ଶ ଦିଆଯାଇଛି। ହାରାହାରି ଭାବେ ଦେଖିବାକୁ ଗଲେ, ରାଜ୍ୟରେ ଯେତିକି ଶଯ୍ୟା କରାଯାଉଛି, ସେହି ଅନୁଯାୟୀ ଡାକ୍ତର ନାହାନ୍ତି। ତେଣୁ ଡାକ୍ତରମାନଙ୍କୁ ଆଇସିୟୁ ସହିତ ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ଦାୟିତ୍ବ ଦେଇ ପ୍ରଥମ ବର୍ଷ ବିଦ୍ୟାର୍ଥୀଙ୍କୁ ଓ୍ବାର୍ଡ ଏବଂ ପ୍ରାଥମିକ ପରିଚାଳନା ଦାୟିତ୍ବ ଦିଆଯାଏ। ସେଥିରେ ପୁଣି ଅଣକୋଭିଡ ରୋଗୀଙ୍କ ଚିକିତ୍ସା ଦାୟିତ୍ବ ମଧ୍ୟ ରହିଛି। ଚିକିତ୍ସା ବେଳକୁ ଅନେକ ସଂଖ୍ୟାରେ ଡାକ୍ତର ସଂକ୍ରମିତ ହେଉଥିବାରୁ ସେମାନଙ୍କ ଆବଶ୍ୟକତା ମଧ୍ୟ ବୃଦ୍ଧି ପାଏ।

ଏମ୍‌କେସିଜିର ମେଡିକାଲ ବିଦ୍ୟାର୍ଥୀଙ୍କ କହିବା କଥା, ବର୍ତ୍ତମାନ ସ୍ଥିତିରେ ମଧ୍ୟ ସେମାନେ ଚାପଗ୍ରସ୍ତ ଅଛନ୍ତି। ତେଣୁ ସରକାର ଏକ ମାସ ଧରି ପିଜି ପ୍ରଥମ ବର୍ଷ ନାମଲେଖା କାର୍ଯ୍ୟ ନକରି ଯଥାଶୀଘ୍ର ସାରିବା ଉଚିତ। ପୂର୍ବତନ ଜେଡିଏ ସଭାପତି ଡ. ସଂଜୀବ ମିଶ୍ରଙ୍କ କହିବାନୁସାରେ, ବିଳମ୍ବରେ ନାମଲେଖା ଯୋଗୁଁ ପ୍ରଥମ ବର୍ଷର ବିଦ୍ୟାର୍ଥୀମାନଙ୍କ ଏକାଡେମିକ କ୍ୟାରିୟର ପ୍ରଭାବିତ ହେଉଛି। ଆଉ କିଛି ବର୍ଷ ପରେ ଚଳିତ ବର୍ଷ ପିଲାଙ୍କ ଆଡମିସନ୍‌ ହୋଇଯିବ। ଏହାକୁ ଦେଖିବା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଜଏଣ୍ଟ ଡିଏମଇଟିଙ୍କ ସୂଚନାନୁସାରେ, ସର୍ବୋଚ୍ଚ ନ୍ୟାୟାଳୟ ତ ଆଜି ଏ ସଂପର୍କରେ ରାୟ ଦେଇଛନ୍ତି। ତେବ‌େ ପ୍ରଥମ ବର୍ଷ ପିଜି ନାମଲେଖା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ।

ସମ୍ବନ୍ଧିତ ଖବର