ଭୁବନେଶ୍ବର: ଆସନ୍ତାକାଲି ହେବ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ । ପୂର୍ବରୁ ୪ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହୋଇସାରିଥିବା ବେଳେ ଆସନ୍ତାକାଲି ୨୫ ଜିଲ୍ଲାର ୧୩୧ ଜିଲ୍ଲା ପରିଷଦ ଜୋନ ପାଇଁ ନିର୍ବାଚନ ହେବ । ୧୩୧ ଜିଲ୍ଲା ପରିଷଦ ଜୋନରେ ୫୨୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା। ତେବେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ କେମିତି ଭୋଟ ଗଣତି କରାଯିିବ, ସେ ବିଷୟରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ।
ଆସନ୍ତା ୨୬, ୨୭, ୨୮ରେ ଭୋଟ ଗଣନା ହେବାକୁ ଥିବା ବେଳେ ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସଚିବ ରବୀନ୍ଦ୍ର ନାଥ ସାହୁଙ୍କ ସୂଚନା ଅନୁସାରେ ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ଭୋଟ ଗଣନା କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତି ଜୋନରେ ଯେତିକି ଗ୍ରାମ ପଞ୍ଚାୟତ ରହିଛି ସେତିକି ଟେବୁଲ ରହିବ ଏବଂ ନନ ଷ୍ଟପ ଗଣନା ହେବା ସହ ଓଡ଼ିଆ ବର୍ଣ୍ଣମାଳା ଅନୁଯାୟୀ ପଞ୍ଚାୟତଗୁଡିକୁ ଟେବୁଲ ଦିଆଯିବ। ଗୋଟିଏ ଟେବୁଲରେ ଜଣେ କାଉଣ୍ଟିଙ୍ଗ ସୁପରଭାଇଜର, ଦୁଇ ଜଣ ଆସିଷ୍ଟାଣ୍ଡ କାଉଣ୍ଟିଙ୍ଗ ଅଫିସର ଏବଂ ଜଣେ ଗ୍ରୁପ ଡ଼ି କର୍ମଚାରୀ ରହିବେ। କେଉଁ ଟିମ କେଉଁ ଟେବୁଲରେ ବିସିବେ ସେ ନେଇ ଗୁଲା ପଡିବ। ଜଣେ ପ୍ରାର୍ଥୀଙ୍କ ଜଣେ ଏଜେଣ୍ଟ ରହିବେ। ଯେତେଜଣ ପ୍ରାର୍ଥୀ ସେତିକି ଟ୍ରେ ଟେବୁଲରେ ରଖାଯିବା ସହ ଆଉ ଗୋଟିଏ ଟ୍ରେ ନାକଚ ପାଇଁ ରହିବ। ବାଲଟ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯାଇ ପ୍ରଥମେ ୱାର୍ଡ ମେମ୍ବର ପରେ ସରପଞ୍ଚ ଓ ତା’ପରେ ସମିତି ସଭ୍ୟ ଏବଂ ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା ହେବ। ପର୍ଯ୍ୟାୟକ୍ରମେ ବ୍ଲକ କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କରାଯିବ ବୋଲି କହିଛନ୍ତି ରବୀନ୍ଦ୍ର ନାଥ ସାହୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/How-to-Count-Vote_Thumbnail.jpg)