ପଞ୍ଚାୟତ ନିର୍ବାଚନ: ନେଟୱର୍କରୁ ଦୂରରେ ୬୦୯୯ ଗାଁ, କେମିତି ହେବ ଡିଜିଟାଲ ପ୍ରଚାର

ଏବେବି କୋଟିଏରୁ ଅଧିକ ଲୋକଙ୍କ ପାଖରେ ମୋବାଇଲ୍‌ ନାହିଁ

ଗ୍ରାମାଞ୍ଚଳରେ ପ୍ରତି ୧୦୦ରେ ୬୨ଜଣଙ୍କ ପାଖରେ ମୋବାଇଲ୍‌
୪୦ ଜଣ ବ୍ୟବହାର କରୁଛନ୍ତି ଇଣ୍ଟରନେଟ୍‌

ଭୁବନେଶ୍ୱର, (ବିଶ୍ୱଜିତ ଦାଶ): ଦେବଗଡ଼ ଜିଲ୍ଲାର ୫ଟି ପଞ୍ଚାୟତରେ ମୋବାଇଲ୍‌ ଟାୱାର ନାହିଁ ବୋଲି ଜଣେ ବି ପଞ୍ଚାୟତ ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କଲେନି। ବର୍ତମାନର ବୈଷୟିକ ଯୁଗରେ ଟେଲି ସେବା ଯୋଗାଇବା ପ୍ରଶାସନର ମୌଳିକ କର୍ତ୍ତବ୍ୟ ହୋଇଯାଇଥିଲେ ହେଁ ଏହା ମିଳିନଥିବାରୁ ୫ ପଞ୍ଚାୟତବାସୀ ଏକାଠି ହୋଇ ଏଭଳି ଚରମ ନିଷ୍ପତ୍ତି ନେଲେ। ତେବେ ଏହି ସମସ୍ୟା କେବଳ ଦେବଗଡ ଜିଲ୍ଲାର ତିଲେଇବଣି ଭିତରେ ସୀମିତ ନୁ‌‌ହେଁ। ରାଜ୍ୟର ୬୦୯୯ଟି ଗାଁରେ ଏବେ ବି ମୋବାଇଲ୍‌ ଲାଗୁନି। ଏହି ସବୁ ଗାଁ ମୋବାଇଲ୍‌ ଟାୱାର ନାହିଁ। କିନ୍ତୁ ସେମାନେ ଏହି ୫ ପଞ୍ଚାୟତବାସୀଙ୍କ ଭଳି ସାହାସ ଦେଖାଇନପାରିବାରୁ ବାସ୍ତବ ସ୍ଥିତି ବିଷୟରେ ସମସ୍ତେ ଅଜ୍ଞ।

କେନ୍ଦ୍ର ସରକାରଙ୍କ ତଥ୍ୟ କହୁଛି ଯେ କନ୍ଧମାଳ ଜିଲ୍ଲା ଟେଲି ସେବା ଦୃଷ୍ଟିରୁ ସବୁଠୁ ଅପହଞ୍ଚ। ଏଠାରେ ୧୦୯୪ଟି ଗାଁରେ ମୋବାଇଲ୍‌ ନେଟୱର୍କ ନାହିଁ। ସେହିପରି ରାୟଗଡ଼ାର ୯୬୬ଟି, କୋରାପୁଟରେ ୫୨୦, କଳାହାଣ୍ଡିରେ ୫୧୬, ଗଜପତିରେ ୪୬୭, ମାଲକାନଗିରିରେ ୩୦୬, ବଲାଙ୍ଗୀର ଓ ଢେଙ୍କାନାଳରେ ୧୧ଟି ଲେଖାଏଁ ଗାଁରେ ମୋବାଇଲ୍‌ ନେଟୱର୍କ ନାହିଁ।

ଏପଟେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥ୍ୟ କହୁଛି, ମାତ୍ର ୩୪%ପିଲା ଅନଲାଇନ୍ କ୍ଲାସ୍‌ କରିପାରୁଛନ୍ତି। ଅର୍ଥାତ୍ ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ପ୍ରାୟ ୬୦ଲକ୍ଷ ପିଲାଙ୍କ ମଧ୍ୟରୁ ୩୯ଲକ୍ଷ ୬୦ହଜାର ପିଲା ଇଣ୍ଟରନେଟ୍/ସ୍ମାର୍ଟ ଫୋନ୍‌ ଅଭାବରୁ ଅନଲାଇନ୍ କ୍ଲାସ୍ କରିପାରୁନାହାନ୍ତି। ଟେଲିକମ୍‌ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ)ର ସଦ୍ୟ ତଥ୍ୟ କହୁଛି ଯେ, ରାଜ୍ୟରେ ୩କୋଟି ୪୦ଲକ୍ଷ ଟେଲିକମ୍ ଉପଭୋକ୍ତା ଅଛନ୍ତି। ରାଜ୍ୟରେ ୪କୋଟି ୭୦ଲକ୍ଷରୁ ଅଧିକ ଲୋକ ଥିବାବେଳେ ଟ୍ରାଇର ତଥ୍ୟ ଦର୍ଶାଉଛି ଏବେବି ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ମିଶାଇ ପ୍ରାୟ କୋଟିଏରୁ ଅଧିକ ଲୋକଙ୍କ ପାଖରେ ମୋବାଇଲ୍‌ ଫୋନ୍ ନାହିଁ।

Business – Insider

ବିଭିନ୍ନ ସଂସ୍ଥାର ତଥ୍ୟ ଦେଖାଇଦେଉଛି ଯେ ରାଜ୍ୟରେ ‌ସ୍ମାର୍ଟ ଫୋନ୍‌, ମୋବାଇଲ୍‌ ଟାୱାର ଏବଂ ଇଣ୍ଟରନେଟ୍ ଭିତ୍ତିଭୂମି କିପରି ଅଛି। ଏପରି ସ୍ଥିତିରେ ପଞ୍ଚାୟତ ନିର୍ବାଚନରେ ଡିଜିଟାଲ ପ୍ରଚାର କିଭଳି ହେବ? ଏହାକୁ ନେଇ ବିଭିନ୍ନ ଦଳ ଚିନ୍ତାରେ ପଡ଼ିଲେଣି। କରୋନା କଟକଣା ଯୋଗୁଁ ପଞ୍ଚାୟତ ନିର୍ବାଚନ ପାଇଁ ରାଲି, ଶୋଭାଯାତ୍ରା ସବୁ ବାରଣ କରାଯାଇଥିବା ବେଳେ ପ୍ରାର୍ଥୀଙ୍କ ସମେତ ୫ଜଣଙ୍କୁ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନିଂ ପାଇଁ ଅନୁମତି ମିଳିଛି। ବାକି ପ୍ରଚାର ଡିଜିଟାଲ୍‌ ମୋଡ୍‌ରେ କରିବାକୁ କୁହାଯାଇଛି। ତେଣୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ରାଜନୈତିକ ଦଳଗୁଡ଼ିକ ଏବେ ଡିଜିଟାଲ୍‌ ପ୍ରଚାରକୁ ଗୁରୁତ୍ବ ଦେଉଛନ୍ତି।

ରାଜ୍ୟ ନିର୍ବାଚନ କମିସନରଙ୍କ ସୂଚନା ଅନୁଯାୟୀ, ଏଥର ଗ୍ରାମାଞ୍ଚଳରେ ୨କୋଟି ୭୯ଲକ୍ଷ ମତଦାତା ଅଛନ୍ତି। ଏଥିରୁ ୫,୨୩,୭୪୪ ନୂଆ ଭୋଟର। ଯେଉଁମାନଙ୍କର ବୟସ ୧୮ରୁ ୧୯ବର୍ଷ। ଏହି ବର୍ଗର ମତଦାତାଙ୍କ ଆକର୍ଷିତ କରିବାକୁ ରାଜନୈତିକ ଦଳ ପାଇଁ ସୋସିଆଲ ମିଡିଆ ବଡ଼ ମାଧ୍ୟମ। ହେଲେ ଟ୍ରାଇ ତଥ୍ୟ କହୁଛି ଗ୍ରାମାଞ୍ଚଳରେ ୨କୋଟି ୨୨ଲକ୍ଷ ମୋବାଇଲ ଉପଭୋକ୍ତା ଅଛନ୍ତି। ପ୍ରତି ୧୦୦ଜଣଙ୍କ ମଧ୍ୟରୁ ୬୨ଜଣଙ୍କ ପାଖରେ ମୋବାଇଲ୍‌ ଥିବା ବେଳେ ବହୁ ଲୋକଙ୍କ ପାଖରେ ଏବେ ବି ସ୍ମାର୍ଟ ଫୋନ୍‌ ନାହିଁ। କେନ୍ଦ୍ର ସରକାରଙ୍କ ତଥ୍ୟ କହୁଛି ଓଡ଼ିଶାର ଗ୍ରାମାଞ୍ଚଳରେ ପ୍ରତି ୧୦୦ ଲୋକରେ ୪୦ଜଣ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ତେଣୁ ଡିଜିଟାଲ ପ୍ରଚାର କଲେ ବି ସବୁ ଭୋଟରଙ୍କ ପାଖରେ ପହଞ୍ଚିବା ସମ୍ଭବ ନୁହେଁ।

LiveAbout

ଡିଜିଟାଲ ପ୍ରଚାରର ପହଞ୍ଚିବାର ପ୍ରମୁଖ ମାଧ୍ୟମ ସ୍ମାର୍ଟଫୋନ୍‌ ଓ ‌ସୋସିଆଲ ମିଡିଆ ହୋଇଥିବାରୁ ଏବେ ରାଜନୈତିକ ଦଳ ଓ ପ୍ରାର୍ଥୀ ଏହାସହ ସ୍ଥାନୀୟ କେବୁଲ୍‌ ସଂସ୍ଥା ମାଧ୍ୟମରେ ଟିଭିରେ ପ୍ରଚାର କରିବାକୁ ଯୋଜନା କରିଛନ୍ତି। ଏହାବାଦ୍ ଟୁଜି/ଥ୍ରିଜି/ଫୋର୍‌-ଜି ମୋବାଇଲ୍‌କୁ ମେସେଜ୍ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଯେତିକି ଲୋକଙ୍କ ପାଖରେ ‌ସ୍ମାର୍ଟ ଫୋନ୍‌ ଅଛି ତାଙ୍କୁ ନେଇ ହ୍ବାଟ୍‌ସଆପ୍ ଗ୍ରୁପ୍, ଫେସ୍‌ବୁକ୍ ଆଦିରେ ମେସେଜ୍ ପଠାଇବା ସହ ଏହି ପ୍ଲାଟଫର୍ମରେ ଅଧିକ ପ୍ରଚାର କରିବାକୁ ଯୋଜନା ଅଛି।

ଜଣେ ବରିଷ୍ଠ ରାଜନେତାଙ୍କ କହିବାନୁଯାୟୀ ବିଭିନ୍ନ ଅଞ୍ଚଳରେ ଏଲ୍ଇଡି ଟିଭି, ଡାକବାଜି ଯନ୍ତ୍ରୀ, ଲିଫ୍‌ଲେଟ୍‌ ମାଧ୍ୟମରେ ପ୍ରଚାର କରାଯିବ। ସୋସିଆଲ୍‌ ମିଡିଆରେ ଆମ ସରକାରଙ୍କ ସଫଳତାକୁ ପୋଷ୍ଟ କରି ଅଧିକରୁ ଅଧିକ ସେୟାର କରିବୁ। ଯୁବବର୍ଗଙ୍କୁ ଆକୃଷ୍ଟ କରିବାକୁ ଯଥାସମ୍ଭବ ସବୁ ଉଦ୍ୟମ ଆପଣାଯିବ।

ସମ୍ବନ୍ଧିତ ଖବର