ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ସ୍ମାର୍ଟକାର୍ଡ ବଣ୍ଟନ କରୁଛନ୍ତି ରାଜ୍ୟ ସରକାର । ଏହି ସ୍ମାର୍ଟ କାର୍ଡ ଜରିଆରେ ରାଜ୍ୟର ଅନେକ ଗରିବ ପରିବାରର ଲୋକ ଉପକୃତ ହୋଇପାରିବେ । କିନ୍ତୁ ଏହି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ଏହି କାର୍ଡକୁ ଜଣେ ହିତାଧିକାରୀ କେମିତି ବ୍ୟବହାର କରିବେ । ହସ୍ପିଟାଲରେ କାହାକୁ କାର୍ଡ ଦେଖାଇବେ ହିତାଧିକାରୀ । ଏଥିପାଇଁ କୌଣସି ଟଙ୍କା ହାତରୁ ଖର୍ଚ୍ଚ କରିବାକୁ ପଡିବ କି? ଏହିଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଥିବା ବେଳେ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଆଇଟି ସଚିବ ମନୋଜ ମିଶ୍ର ।

Advertisment

ସେ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ ହେଲଥ କାର୍ଡ ଥିଲେ ହିତାଧିକାରୀଙ୍କୁ କୌଣସି ହଇରାଣ ହେବାକୁ ପଡିବ ନାହିଁ । କୌଣସି କାଗଜପତ୍ରର ଆବଶ୍ୟକତା ରହିବ ନାହିଁ । କାର୍ଡକୁ କେବଳ ସ୍ୱାଇପ କଲେ ହିତାଧିକାରୀଙ୍କ ସମସ୍ତ ତଥ୍ୟ ମିଳିଯିବ । ପ୍ରତି ପ୍ରାଇଭେଟ୍ ହସ୍ପିଟାଲରେ ପିଓଏସ୍ ମେସିନ ଲଗାଯାଇଛି । ଯେଉଁଥିରେ କାର୍ଡକୁ ଗୋଟିଏ ଥର ସ୍ୱାଇପ କଲେ ହିତାଧିକାରୀଙ୍କୁ ସୁବିଧା ଯୋଗାଇଦେବେ ସରକାର । ୯୬ ଲକ୍ଷ ୩୦ ହଜାର ୫୪୧ ପରିବାରକୁ ସ୍ୱାସ୍ଥ୍ୟ କାର୍ଡ ଦିଆଯାଇଛି ।

ଘରୋଇ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ହିତାଧିକାରୀଙ୍କୁ ସହାୟତା ପାଇଁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ରଖାଯାଇଛି । କୌଣସି ଅସୁବିଧା ଜଣାଇବା ପାଇଁ କଲ କରିବାକୁ ନମ୍ବର ଦିଆଯାଇଛି । ତେଣୁ ହସ୍ପିଟାଲରେ କୌଣସି ପ୍ରକାର ସମସ୍ୟାରେ ରୋଗୀ ପଡିବେନି ।