ଭୁବନେଶ୍ୱର: କାଳିଆ ଯୋଜନାରେ ସାମିଲ ହେବାକୁ ଏବେ ଚାଷୀମାନଙ୍କ ମଧ୍ୟରେ ଏକରକମ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଲମ୍ବା ଲମ୍ବା ଲାଇନରେ ଛିଡା ହୋଇ ଚାଷୀମାନେ ଫର୍ମ ନେଉଥିବା ଦେଖିବାକୁ ମିଳିଛି । ଆଉ ଏସବୁ ଭିତରେ ସାମ୍ନାକୁ ଆସିଛି କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟ ହିତାଧିକାରୀ ତାଲିକା । ଏହି ତାଲିକା ଆସିବା ପରେ ଚାଷୀମାନଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ଏହି ତାଲିକାରେ ନିଜ ନାଁ ଅଛି କି ନାହିଁ ତାହା ଜାଣିବା ପାଇଁ ଚାଷୀଙ୍କୁ କୃଷି ସମବାୟ ସମିତି କିମ୍ବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ । ଗୋଟିଏ କ୍ଲିକ୍ରେ ସୁବିଧାରେ ଏହା ଜାଣି ପାରିବେ।
ତେବେ ଏହି ତାଲିକା ବାବଦରେ ଜାଣିବା ପାଇଁ କୃଷକଙ୍କୁ କାଳିଆ ଯୋଜନାର ୱେବସାଇଟ www.kalia.co.inକୁ ଯିବାକୁ ପଡିବ । ଏହି ୱେବସାଇଟରୁ ଆପଣ ଜାଣି ପାରିବେ ହିତାଧିକାରୀ ତାଲିକାରେ ଆପଣଙ୍କ ନାଁ ରହିଛି ନା ନାହିଁ ।
ଏଥିପାଇଁ ହିତାଧିକାରୀ ବିକଳ୍ପ ଉପରେ କ୍ଲିକ କରିବା ପରେ ନିଜର ଜିଲ୍ଲା ଓ ବ୍ଲକର ନାଁ ଦେବାକୁ ପଡ଼ିବ । ଏହାପରେ ବ୍ଲକରେ ଥିବା ସମସ୍ତ ପଞ୍ଚାୟତର ତାଲିକାର ପିଡିଏଫ ଫାଇଲ ସ୍କ୍ରିନ ଉପରକୁ ଆସିଯିବ। ଏଥିମଧ୍ୟରୁ ଚାଷୀ ନିଜ ପଞ୍ଚାୟତ ଉପରେ କ୍ଲିକ୍ କଲେ ଉକ୍ତ ପଞ୍ଚାୟତର କାଳିଆ ଯୋଜନାର ହିତାଧିକାରୀର ପୂରା ତାଲିକା ସ୍କ୍ରିନ ଉପରେ ନଜରକୁ ଆସିବ । ଏହି ତାଲିକାରେ ଚାଷୀ ନିଜ ନାଁ ଅଛି କି ନାହିଁ ତାହା ଜାଣି ପାରିବେ ।
ଯଦି ଏହି ତାଲିକାରେ ଚାଷୀଙ୍କର ନାଁ ନ ଥାଏ ତେବେ ସବୁଜ ଫର୍ମ ପୂରଣ କରି କୃଷି ସମବାୟ ସମିତି ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ଡ୍ରପ ବକ୍ସରେ ପକାଇପାରିବେ । ଏହାବାଦ୍ ଯଦି କାଳିଆ ଯୋଜନା ବାବଦରେ କୌଣସି ଦ୍ୱନ୍ଦ୍ବ ରହୁଛି ତେବେ ଅଧିକ ସୂଚନା ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଟୋଲ ଫ୍ରି ନମ୍ବର ୧୮୦୦୫୭୨୧୧୨୨ ନମ୍ବରରେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ କଲ କରି ଚାଷୀମାନେ ନିଜର ସମସ୍ତ ସମସ୍ୟା ସମ୍ପର୍କରେ ବୁଝି ପାରିବେ । ସେହିଭଳି ୦୮୦୬୧୧୭୪୨୨୨ ନମ୍ବରରେ ମିସ୍ କଲ କରିବା ଏସଏମଏସ ମାଧ୍ୟମରେ ସମସ୍ତ ତଥ୍ୟ ପାଇପାରିବେ ।