ଜଗନ୍ନାଥପ୍ରସାଦ: ଯୋଗ୍ୟ ଗରିବ ପରିବାରଙ୍କୁ ଶେଷରେ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟ‌ାଦେଶ ପ୍ରଦାନ କରିଛନ୍ତି। ନିର୍ଦ୍ଧାରିତ ସମୟରେ କାମ ସାରିବା ଲାଗି ହିତାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳ‌େ କାର୍ଯ୍ୟାଦେଶ ପ୍ରଦାନ ସହ ପ୍ରଥମ ଦଫାରେ ସେମାନଙ୍କ ଜମାଖାତାକୁ ୪୦ ହଜାର ଟଙ୍କା ପଠାଯାଇଛି। ଏପଟେ ହିତାଧିକାରୀଙ୍କ ମୁହଁରେ ହସ ଫୁଟିଛି ସତ, କିନ୍ତୁ କେଇଟା ମୁହୂର୍ତ୍ତରେ ମିଳେଇ ଯାଇଛି। କାରଣ ଘର ନିର୍ମାଣ ପାଇଁ ଆବଶ୍ୟକ ଉପକରଣ ଓ ବିଭିନ୍ନ ସାମଗ୍ରୀର ଅହେତୁକ ଦର ବୃଦ୍ଧି ସେମାନଙ୍କୁ ମିଳୁଥିବା ସହାୟତା ରାଶି ନିଅଣ୍ଟ ପଡ଼ିବା ଅଡ଼ୁଆ ସୃଷ୍ଟି କରିଛି। ଫଳରେ ନିର୍ଦ୍ଧାରିତ ସମୟରେ ଘର ନିର୍ମାଣ କାମ ‌କେମିତି ଶେଷ ହେବ ଏହି ଚିନ୍ତା ଘାରିଛି।

Advertisment

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍‌ର କଥାକୁ ବିଚାରରେ ନେଲେ, ୨୫ଟି ପଞ୍ଚାୟତର ମୋଟ ୨୫୪୩ ପରିବାରକୁ ଏହି ଯୋଜନାରେ ପକ୍କାଘର ତିଆରି ପାଇଁ କାର୍ଯ୍ୟାଦେଶ ମିଳିଛି। ଅଲାଡ଼ି ପଞ୍ଚାୟତର ୧୧୯, ଅଳସୁଗୁମ୍ମାର ୧୨୧, ବିଡ଼ିପୁରର ୫୩, ବରଗାଁର ୫୪, ବୁଡ଼ୁରୁଙ୍ଗୁର ୧୨୪, ଚଢ଼ିଆପଲ୍ଲୀର ୪୮, ଛାମୁଣ୍ଡାର ୨୭୬, ଗଣ୍ଡାଧରର ୫୮, ଗୟାଗଣ୍ଡାର ୧୦୨, ଗେରେଡ଼ାର ୪୪, ଜଗନ୍ନାଥପ୍ରସାଦର ୧୨୩, ଝାଡ଼ଭୂମିର ୮୧, ଜିରାବାଡ଼ିର ୬୨, କାଦୁଆର ୧୨୪, ଖମାରପଲ୍ଲୀର ୧୨୯,
କ୍ଷେତମୁଣ୍ଡଳିର ୧୩୯, କୋକଳାବର ୮୫, କୁଡ଼ୁତାଇର ୧୦୬, କୁମ୍ପାପଡ଼ାର ୩୯, ପଞ୍ଚଭୂତିର ୮୯, ପ୍ରତାପୁରର ୧୯୪, ରାଉତିର ୧୬୦, ରୁଢ଼ାପଦରର ୧୫୫, ତାରସିଂର ୯୦ ଓ ଅ‌ଢ଼େଇଗାଁ ପଞ୍ଚାୟତର ୬୮ ଜଣଙ୍କୁ କାର୍ଯ୍ୟାଦେଶ ମିଳିଛି।

ତେବ‌େ କାର୍ଯ୍ୟାଦେଶ ମିଳିବା ପରେ ବେପାରୀମାନେ ଅତ୍ୟଧିକ ଲାଭ ପାଇବା ଆଶାରେ ସମସ୍ତ ଗୃହ ନିର୍ମାଣ ସାମଗ୍ରୀ ଉପରେ ମନଇଚ୍ଛା ଦର କଷୁଛନ୍ତି। ଆଗରୁ ବାଲି ଟ୍ରାକ୍ଟର୍ ପିଛା ୯୦୦ ଟଙ୍କା ମିଳିଥିବା ବେଳ‌େ ବର୍ତ୍ତମାନ ତାହା ୨୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ୧୨୫୦ ଖଣ୍ଡ ଇଟାର ମୂଲ୍ୟ ପୂର୍ବରୁ ୮୦୦୦ ଟଙ୍କା ଥିବା ବେଳେ ତାହା ବର୍ତ୍ତମାନ ୧୨ହଜାର ଟଙ୍କା ଓ ଭଲ ବାଲି ହାଇୱା ପିଛା ୧୦ ହଜାର ଟଙ୍କା ଥିବା ବେଳେ ବର୍ତ୍ତମାନ ତାହା ୧୫୦୦୦ ଟଙ୍କାକୁ ବଢ଼ିଯାଇଛି। ସେହିପରି ବୋଲଡର୍ (ବଡ଼ ପଥର) ଟ୍ରାକ୍ଟର୍ ପିଛା ୨ହଜାର ଟଙ୍କା ଥିବା ବେଳେ ଏବେ ତାହା ୩୫୦୦ ଟଙ୍କା ଓ ଚିପ୍ସ୍ ୪୫୦୦ରୁ ୫୮୦୦ ଟଙ୍କାକୁ ବୃଦ୍ଧି ପାଇଛି। ଦାମକୁ ନେଇ ପ୍ରଶ୍ନ କଲେ ଟ୍ରାକ୍ଟର୍ ମାଲିକମାନେ ଜିନିଷି ମିଳୁନି ବୋଲି ଉତ୍ତର ଦେଉଛନ୍ତି। ପ୍ରତିଦିନ ନୂଆ ଦର ଧାର୍ଯ୍ୟ ସାଙ୍ଗକୁ କୃତ୍ରିମ ଅଭାବ ସୃଷ୍ଟି କରି ଶୋଷଣ କରାଯାଉଥିବା କିଛି ହିତାଧିକାରୀ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ ସରକାରଙ୍କ ପକ୍ଷରୁ ମିଳିଥିବା  ୪୦ ହଜାର ଟଙ୍କାରେ କେବଳ ଦୁଇଟ୍ରିପ୍ ଇଟା ଓ ଦୁଇଟ୍ରିପ୍ ବାଲି କିଣିହେବ। ଏହାପରେ ସବୁ ଅର୍ଥ ସରିଯିବ। ଏଣୁ କାର୍ଯ୍ୟାଦେଶ ପାଇଥିବା ସତ୍ତ୍ବେ ହିତାଧିକାରୀମାନେ ଇଟା, ବାଲି ଓ ପଥର କିଣିବାକୁ ସାହସ ଜୁଟାଇପାରୁନାହାନ୍ତି। ସେହିପରି ଶୀଘ୍ର କାମ ଆରମ୍ଭ କରିବା ପାଇଁ ପଞ୍ଚାୟତର ପିଇଇମାନେ ତାଗିଦ୍ କରୁଛନ୍ତି। ଗୃହ ନିର୍ମାଣ ଉପକରଣ  ସାମଗ୍ରୀର  ଅହେତୁକ ଦରବୃଦ୍ଧି କରିଥିବା ଅସାଧୁ ବ୍ୟବସାୟୀଙ୍କ ବି‌ରୋଧରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ହୋଇଛି।