କୋଭିଡ୍ ଆକ୍ରାନ୍ତ ଶିଶୁଙ୍କ କିଭଳି ହେବ ଚିକିତ୍ସା? ଖାଲି ପଡ଼ିଛି ୬୫% ଶିଶୁରୋଗ ବିଶେଷଜ୍ଞ ପଦବି

ଏବେ ୩୨ ହଜାର ଶିଶୁ ଆକ୍ରାନ୍ତ, ତୃତୀୟ ଲହରରେ ଅଧିକ ସଂକ୍ରମିତ ହେବେ

ଭୁବନେଶ୍ବର : କ‌ରୋନାର ଦ୍ବିତୀୟ ଲହରରେ କେବଳ ବୟସ୍କ ନୁହନ୍ତି, ପିଲାମା‌ନେ ମଧ୍ୟ ବହୁ ସଂଖ୍ୟାରେ ସଂକ୍ରମିତ ହେଉଛନ୍ତି। ଦିଲ୍ଲୀ, ମୁମ୍ବାଇ, ବା‌ଙ୍ଗାଲୋର ଭଳି ସହରରେ ହଜାର ହଜାର ଶିଶୁ କରୋନାରେ ଆକ୍ରାନ୍ତ ହେଉଥିବା ଖବର ଆସୁଛି। ରାଜ୍ୟରେ ମଧ୍ୟ ଏହି ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ୁଛି। ଗତ କିଛିଦିନ ଭିତରେ ରାଜ୍ୟରେ ୩୨ହଜାର ଶିଶୁ କରୋନାରେ ସଂକ୍ରମିତ ହୋଇଥିବା ଜାତୀୟ ଶିଶୁ ସୁରକ୍ଷା କମିସନ କହିଛନ୍ତି। ଏଥିରେ ୫-୧୨ବର୍ଷର ଶିଶୁ ଅଧିକ ସଂକ୍ରମିତ ଥିବା ଜଣାପଡ଼ିଛି। ୧୦ଦିନରେ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ୨୨.୫ ପ୍ରତିଶତ ବୃଦ୍ଧି ପାଇଛି। ହେଲେ ରାଜ୍ୟ ସରକାର ଏ ନେଇ ମୁହଁ ଖୋଲି ନାହାନ୍ତି।

ରାଜ୍ୟରେ ଏବେ ଗ୍ରାମାଞ୍ଚଳରେ ସଂକ୍ରମଣ ବ୍ୟାପିବାକୁ ଆରମ୍ଭ କଲାଣି। ସେପଟେ କରୋନାର ତୃତୀୟ ଲହର ଶିଶୁଙ୍କୁ ଅଧିକ ସଂକ୍ରମିତ କରିବ ବୋଲି ଚର୍ଚା ଜାରିଛି। ଏଭଳି ପରିସ୍ଥିତିରେ ଶିଶୁମାନଙ୍କ ପାଇଁ କୌଣସି ଟିକା ବାହାରି ନ ଥିବା ବେଳେ ବୟସ୍କମାନଙ୍କୁ ଦିଆଯାଉଥିବା କରୋନା ଟିକାର କୌଣସି ପ୍ରକାର ଚିକିତ୍ସା ମଧ୍ୟ ଶିଶୁମାନଙ୍କୁ ଦିଆଯିବା ସମ୍ଭବ ନୁହେଁ। ଏହାସହ ରାଜ୍ୟରେ ଅନେକ ଶିଶୁ ମଧ୍ୟ ଅପପୁଷ୍ଟିର ଶିକାର। ଏଭଳି ଏକ ବିପଦଜନକ ପରିସ୍ଥିତିରେ ରାଜ୍ୟରେ ଶିଶୁରୋଗ ବିଶେଷଜ୍ଞଙ୍କ ଉତ୍କଟ ଅଭାବ ଏ ଦିଗରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ରାଜ୍ୟରେ ୬୫ ପ୍ରତିଶତ ଶିଶୁ ରୋଗ ବିଶେଷଜ୍ଞ ପଦବି ସରକାରୀ ଭାବେ ଖାଲି ପଡ଼ିଛି। ଗ୍ରାମାଞ୍ଚଳରେ ଏହି ସ୍ଥିତି ଆହୁରି ଦୟନୀୟ ରହିଛି।

ସୂଚନା ଅନୁସାରେ, ରାଜ୍ୟରେ ଶିଶୁରୋଗ ବିଶେଷଜ୍ଞଙ୍କ ସମୁଦାୟ ୯୫୯ ପଦବି ରହିଛି। ଏଥିରୁ ୨୦୮ଜଣ ବିଶେଷଜ୍ଞ ରହିଥିବା ବେଳେ ୩୮୭ ପଦବି ଖାଲି ପଡ଼ିଛି। ଯାହାକି ଧାର୍ଯ୍ୟ ପଦବିର ୬୫ ପ୍ରତିଶତ। ଯଦିଓ ପିଜି ଶେଷ କରିଥିବା ୪୧ଜଣ ଶିଶୁରୋଗ ବିଶେଷଜ୍ଞ ପୋଷ୍ଟ ପିଜି କରୁଛନ୍ତି। ସେମାନେ ନିଯୁକ୍ତ ହେବା ପରେ ମଧ୍ୟ ରାଜ୍ୟର ଶିଶୁରୋଗ ବିଶେଷଜ୍ଞ ପଦବିରେ ବଡ଼ ଧରଣର ପରିବର୍ତନ ହେବ ନାହିଁ। ତେଣୁ ଶିଶୁଟିଏ ଯଦି ଅସୁସ୍ଥ ହୋଇଯାଏ ତାହାଲେ ତାହାର କିଭଳି ଚିକିତ୍ସା କରାଯିବ ? ସେହିପରି ରାଜ୍ୟରେ ପ୍ରସ୍ତୁତ ହୋଇଥିବା କୋଭିଡ ବ୍ୟବସ୍ଥାରେ ଶିଶୁମାନଙ୍କୁ ନଜରରେ ରଖି ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଯାହାକି ଶିଶୁମାନଙ୍କ ପାଇଁ ଫଳପ୍ରଦ ହୋଇପାରିବ।

ପିଏଚ୍‌ଏଫ୍‌ଆଇର ପ୍ରଫେସର ଡା.ସରିତ ରାଉତଙ୍କ କହିବା ମୁତାବକ, ରାଜ୍ୟରେ ଶିଶୁ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରହିଛି। ଶିଶୁମାନଙ୍କ ପାଇଁ ଏ ପର୍ଯ୍ୟନ୍ତ ବିଶ୍ବରେ କୌଣସି ଟିକା ଆସିନାହିଁ। ଭାରତର କାଡିଲା କମ୍ପାନି ଶିଶୁମାନଙ୍କ ପାଇଁ ଟିକା ପ୍ରସ୍ତୁତ କରୁଥିବା ବେଳେ ତାହା ବି ପରୀକ୍ଷଣ ପର୍ଯ୍ୟାୟରେ ରହିଛି। ୦-୫ବର୍ଷର ଶିଶୁ ଅଧିକ ସମ୍ବେଦନଶୀଳ। ଏହି ବର୍ଗର ଶିଶୁଟିଏ ଯଦି ସଂକ୍ରମିତ ହୁଏ ତେବେ ହସ୍ପିଟାଲରେ କିଭଳି ଚିକିତ୍ସା କରାଯିବ? ହସ୍ପିଟାଲରେ ଥିବା ନର୍ସମାନେ ତ ସବୁ ସମୟରେ ସେମାନଙ୍କର ଚିକିତ୍ସା କରିବା ସମ୍ଭବ ନୁହେଁ। ତେଣୁ ବାପାମା’ଙ୍କୁ ହିଁ ହସ୍ପିଟାଲକୁ ଯିବାକୁ ପଡ଼ିବ। ତେଣୁ ଏଭଳି ପରିସ୍ଥିତିକୁ ଏଡ଼ାଇବାକୁ ହେଲେ ଟିକାକରଣ ହିଁ ଏକମାତ୍ର ଉପାୟ। ଏହାସହ ସ୍ତନ୍ୟପାନ କରାଉଥିବା ମା’ କିମ୍ବା ୫-୧୦ବର୍ଷର ବାପାମା’ଙ୍କୁ ପ୍ରାଥମିକତା ଭିତ୍ତିରେ ଯଦି ଟିକା ଦିଆଯିବ ତାହେଲେ ଏହି ବିପଦ ଅନେକାଂଶରେ ଟଳିପାରିବ ବୋଲି ଡା.ରାଉତ କହିଛନ୍ତି।

ଅପରପକ୍ଷରେ କରୋନାର ବି.୧.୬୧୭.୨(ବିବାଦୀୟ ନାଁ ସିଙ୍ଗାପୁର ଭାରିଏଣ୍ଟ) ଅଧିକ ମାତ୍ରାରେ ଶିଶୁଙ୍କୁ ସଂକ୍ରମିତ କରୁଥିବା କୁହାଯାଉଛି। ଏହି ଭାରଏଣ୍ଟ ପୂର୍ବରୁ ଭାରତରେ ଚିହ୍ନଟ ହୋଇଥିବା ଡବଲ ମ୍ୟୁଟାଣ୍ଟ(ବି.୧.୬୧୭)ର ଏକ ସବ-ଭାରିଏଣ୍ଟ ବୋଲି ଅନେକ ଦାବି କରିଛନ୍ତି। ବରିଷ୍ଠ ଚିକିତ୍ସକ ଡା.ନିରଜ ମିଶ୍ର କହିଛନ୍ତି, ଏହି ଭାରିଏଣ୍ଟ ପୂର୍ବରୁ ଦେଶରେ ଚିହ୍ନଟ ହୋଇସାରିଛି। ଏଥିରେ ଯୁବ ବୟସର ବ୍ୟକ୍ତିମାନେ ଅଧିକ ସଂକ୍ରମିତ ହେଉଛନ୍ତି। ଶିଶୁମାନେ ଯଦିଓ ଦ୍ବିତୀୟ ଲହରରେ ସଂକ୍ରମିତ ହେଉଛନ୍ତି, ଅନେକ ଶୀଘ୍ର ସୁସ୍ଥ ହେଉଛନ୍ତି। ନିକଟରେ ଭୁବନେଶ୍ବରରେ ଜଣେ ଶିଶୁ ସୁସ୍ଥ ହେବା ଘଟଣାକୁ ଉଦାହରଣ ଭାବେ ନିଆଯାଇପାରେ ବୋଲି ଡା.ମିଶ୍ର କହିଛନ୍ତି।

ଜନସ୍ବାସ୍ଥ୍ୟ ଅଭିଯାନର ଆବାହକ ଗୌରାଙ୍ଗ ମହାପାତ୍ର କହିଛନ୍ତି ଯେ ପ୍ରଥମ ଲହରରେ ୨/୩ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିବା ବେଳେ ଦ୍ବିତୀୟ ଲହରରେ ୧୨/୧୫ ପ୍ରତିଶତ ସଂକ୍ରମିତ ହୋଇଛନ୍ତି। ଯଦିଓ କମ୍ ମୃତ୍ୟୁ ନଜରକୁ ଆସିଛି। ତେବେ ତୃତୀୟ ଲହରରେ ଅଧିକ ଶିଶୁମାନେ ସଂକ୍ରମିତ ହେବେ ବୋଲି ଆକଳନ କରାଯାଉଛି। ଏଥିରେ ୩୫-୪୦ ପ୍ରତିଶତ କେବଳ ଶିଶୁ ସଂକ୍ରମିତ ହୋଇପାରନ୍ତି। ଶିଶୁମାନଙ୍କ ପାଇଁ କରୋନାର ଏ ପର୍ଯ୍ୟନ୍ତ କୌଣସି ଚିକିତ୍ସା ବ୍ୟବସ୍ଥା ନାହି।

ରାଜ୍ୟର ୩୭୭ ସିଏଚ୍‌ସିରେ ୩୮୨ ଶିଶୁରୋଗ ବି‌ଶେଷଜ୍ଞ ପଦବି ଥିବା ବେଳେ ମାତ୍ର ୫୮ଜଣ ଅଛନ୍ତି। ତେଣୁ ରାଜ୍ୟ ସରକାରଙ୍କୁ ତୃତୀୟ ଲହର ପୂର୍ବରୁ ଏମ୍‌ବିବିଏସ୍‌ ଶିକ୍ଷା ଶେଷ କରୁଥିବା ଡାକ୍ତରଙ୍କୁ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ଭାବେ ତାଲିମ ପ୍ରଦାନ କରିବା ସହିତ କୋଭିଡ ହସ୍ପିଟାଲରେ ଶିଶୁଙ୍କୁ ନଜରରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଜରୁରୀ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର