ମାଟ୍ରିକ୍‌ ପରୀକ୍ଷା କେତେ ସ୍ବଚ୍ଛ?

ଭୁବନେଶ୍ବର : ସରିଛି ମାଟ୍ରିକ୍‌ ପରୀକ୍ଷା। ଏବର୍ଷ ସୁରୁଖୁରୁରେ ପରୀକ୍ଷା ହୋଇଥିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ବି ଇତିମଧ୍ୟରେ ଖାତା ମୂଲ୍ୟାୟନ ଲାଗି ରୂପରେଖ କରି ସାରିଲେଣି। ମାତ୍ର ଚଳିତ ବର୍ଷ ପରୀକ୍ଷାରେ କେତେ ସ୍ବଚ୍ଛତା ରହିଛି, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ କପି କରିବାର ଅନେକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି। କେଉଁଠି ପରୀକ୍ଷକ ପିଲାଙ୍କୁ ଅବଜେକଟିଭ୍‌ ପ୍ରଶ୍ନର ଉତ୍ତର ଡାକିଛନ୍ତି ତ ପୁଣି କେଉଁଠି ଟଙ୍କା ନେଇ ପିଲାଙ୍କୁ କପି ଯୋଗାଇ ଦିଆଯାଇଛି। କପି କରିବାରେ ବାଧା ଦେଲେ ପରୀକ୍ଷାର୍ଥୀ ହୋ-ହଲ୍ଲା କରିବା ସହ ଆକ୍ରମଣ ଉଦ୍ୟମ କରିବା ଘଟଣା ବି ନଜରକୁ ଆସିଛି। ବିଜ୍ଞାନ, ସାମାଜିକ ବିଜ୍ଞାନ ଓ ଗଣିତ ବିଷୟ ପରୀକ୍ଷା ଦିନ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ହୋଇଥିଲେ ମଧ୍ୟ ସମସ୍ତେ ଏହାକୁ ଖଣ୍ଡନ କରି ଦେଇଛନ୍ତି। ଏହାଦ୍ବାରା ଛାତ୍ରଛାତ୍ରୀ ପ୍ରଭାବିତ ହେବା ନେଇ ଅଭିଭାବକମା‌ନେ ଆଶଙ୍କା ପ୍ରକାଶ କରିଥିବା ବେଳେ ଶିକ୍ଷାବିତ୍‌ମାନେ ବ୍ୟବସ୍ଥାରେ ତ୍ରୁଟି ଥିବା ଦର୍ଶାଇଛନ୍ତି। ଶିକ୍ଷକ ସଂଘ ବି ଛାତ୍ରଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି ଉଠାଇଛି।

ପରୀକ୍ଷା ହଲ୍‌ରେ ଉତ୍ତର ଡାକିଲେ ଶିକ୍ଷକ
ପ୍ରଶ୍ନପତ୍ର ପଠାଯିବା ସମୟ ବଦଳିଲା କାହିଁକି?
୧୬ ହଜାର ପରୀକ୍ଷାର୍ଥୀଙ୍କୁ ଖୋଜିଲେନି ସରକାର

ଉତ୍କଳ ଅଭିଭାବକ ସଂଘ ସଭାପତି କୃଷ୍ଣଚନ୍ଦ୍ର ପତିଙ୍କ କହିବା କଥା, ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ, କପି ଯୋଗାଇବା ପାଇଁ ମୂଲଚାଲ ଭଳି ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ଅଧିକାରୀମାନେ ଖଣ୍ଡନ କରିଥିଲେ। ଘଟଣାର ସତ୍ୟ‌ାସତ୍ୟ ଖୋଜିବା ବଦଳରେ ବିଭାଗୀୟ ଅଧିକାରୀମାନେ ସେଥିପ୍ରତି ଧ୍ୟାନ ନ ଦେବା ଅତ୍ୟନ୍ତ ନିନ୍ଦନୀୟ। ପରୀକ୍ଷା‌ ସମୟରେ ଯେଉଁଭଳି ଘଟଣା ସବୁ ସାମ୍ନାକୁ ଆସିଲା, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ମୁଦ୍ରଣ ଜନିତ ତ୍ରୁଟି ସମ୍ପର୍କରେ ‌ଯେମିତି କହିଲେ, ତାହା ଅତ୍ୟନ୍ତ ଲଜ୍ଜାଜନକ। ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ। ଏବେ ରାଜ୍ୟର ଶିକ୍ଷା ବ୍ୟବସ୍ଥା କିଛି ଦଲାଲଙ୍କ ହାତରେ ପରିଚାଳିତ ହେଉଛି। ଯେଉଁମାନେ କି ପିଲାଙ୍କ ମୂଲ୍ୟବୋଧକୁ ଆଦୌ ବୁଝନ୍ତି ନାହିଁ।

ନୂତନ ପେନସନ୍‌ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି ଯେ ଏଥର ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଥିଲେ ମଧ୍ୟ ବୋର୍ଡ କର୍ତ୍ତୃପକ୍ଷ ତାହାକୁ ହାଲୁକା ଭାବେ ନେଇଛନ୍ତି। ସାମାଜିକ ବିଜ୍ଞାନ ପ୍ରଶ୍ନରେ ଗୁରୁତର ତ୍ରୁଟି ପରିଷଦ ଇତିହାସରେ ପ୍ରଥମଥର ଦେଖିବାକୁ ମିଳିଛି। ଏଥିରୁ ଅନୁମାନ କରାଯାଉଛି ଯେ ଯେଉଁମାନେ ପ୍ରୁଫ୍‌ ରିଡିଂ ଦାୟିତ୍ୱ‌ରେ ଥିଲେ, ସେମାନେ ତାଙ୍କର କାର୍ଯ୍ୟ ଠିକ୍‌ ଭାବେ ତୁଲାଇ ନାହାନ୍ତି କିମ୍ବା ପରିଷଦ ପକ୍ଷରୁ ଠିକ୍‌ ଫାର୍ମକୁ ଦାୟିତ୍ୱ ଦିଆଯାଇନାହିଁ। ଫଳରେ ଏତେ ବଡ଼ ଏକ ବିଭ୍ରାଟ ଦେଖାଦେଲା। ଏହାଦ୍ବାରା ବହୁ ମେଧାବୀ ଛାତ୍ରଛାତ୍ରୀ ନ୍ୟାୟ ପାଇବାରୁ ବଞ୍ଚିତ ହେବେ। ତେଣୁ ସମସ୍ତ ଭୁଲ ପ୍ରଶ୍ନ ପାଇଁ ପରୀକ୍ଷାର୍ଥୀଙ୍କୁ ଗ୍ରେସ୍‌ ମାର୍କ ଦିଆଯାଉ।

ୟୁନିଟ୍‌-୪ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପ୍ରଧାନ ଶିକ୍ଷକ ଅମ୍ବିକା ପ୍ରସାଦ ଦାସଙ୍କ କହିବାନୁଯାୟୀ, ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷାର୍ଥୀଙ୍କ ଉପରେ ବହୁତ ଚାପ ପଡ଼ିଥିଲା। କେଉଁଠି ପ୍ରଶ୍ନପତ୍ର ଭାଇରାଲ୍‌ର ଖବର ତ ଆଉ କେଉଁଠି ପରୀକ୍ଷା କେନ୍ଦ୍ର ସୁପରିନ୍‌ଣ୍ଟେଣ୍ଡେଣ୍ଟଙ୍କ ବଦଳି। ଏହାଦ୍ବାରା ପରୀକ୍ଷାର୍ଥୀ ମାନସିକ ଚିନ୍ତା‌ରେ ରହି ପରୀକ୍ଷାରେ ଭଲ ଭାବେ ଲେଖି ପାରି ନଥିବା କୁହାଯାଉଛି। ଅଧିକାଂଶ ସ୍ଥାନରେ ପରୀକ୍ଷାର୍ଥୀ କପି କରୁଥିବା ସମୟରେ ସ୍କ୍ବାଡ୍‌ ହାତରେ ଧରାପଡ଼ିଛନ୍ତି। ପରୀକ୍ଷା କେନ୍ଦ୍ର ସୁପରିନ୍‌ଣ୍ଟେଣ୍ଡେଣ୍ଟ କୌଣସି ସ୍ଥାନରେ କପି ଧରି ନାହାନ୍ତି। ଯେଉଁଥିରୁ ପରୀକ୍ଷାର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ।

ଶିକ୍ଷାବିତ୍‌ ସୁକୁମାର ରଣାଙ୍କ ମତରେ, ଯଦି ପ୍ରଶ୍ନପତ୍ର ଲିକ୍‌ ହେଉ ନଥିଲା, ତାହା ହେଲେ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପଠାଯାଉଥିବା ସମୟରେ ହଠାତ୍‌ ପରିବର୍ତ୍ତନ କରାଗଲା କାହିଁକି? ପରୀକ୍ଷାରେ ଯଦି ସ୍ବଚ୍ଛତାର ସହ ଶେଷ ହୋଇଛି, ତାହା ହେଲେ ବିଭିନ୍ନ କେନ୍ଦ୍ରରେ ଏବେ ସୁଦ୍ଧା ୧୫ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା କିଭଳି। ପ୍ରଶ୍ନପତ୍ର ବିଭ୍ରାଟରେ ଦୋଷୀ ଅଧିକାରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ଗଣଶିକ୍ଷା ମନ୍ତ୍ରୀ ତାହା ସ୍ପଷ୍ଟ କରନ୍ତୁ। ପରୀକ୍ଷା ଦିନ ସକାଳ ୭ଟା ୧୫ରେ ପ୍ରଶ୍ନପତ୍ର ଘୂରି ବୁଲୁଥିଲେ ମଧ୍ୟ ରୋକ୍‌ ଲଗାଇବା‌ ଦିଗରେ ପଦକ୍ଷେପ ନିଆଗଲାନାହିଁ କାହିଁ। ୧୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ ମଧ୍ୟ ସେମାନଙ୍କୁ ଖୋଜିବା ଦିଗରେ ଗଣଶିକ୍ଷା ବିଭାଗ କୌଣସି ପଦକ୍ଷେପ ନ ନେବା ଆଶ୍ଚର୍ଯ୍ୟକର ବିଷୟ।

ସମ୍ବନ୍ଧିତ ଖବର