କିପରି ହେବ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ଯୋଜନା ? ଲୋକମାନଙ୍କ ମତ ଲୋଡ଼ିଲେ ସରକାର

ପୁରୀ:    ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ଯୋଜନା କିପରି ହେବ, ସେ ବାବଦରେ ଜନସାଧାରଣଙ୍କ ମତାମତ ଲୋଡ଼ିଛନ୍ତି ରାଜ୍ୟ ସରକାର । ଜନସାଧାରଣ ସେମାନଙ୍କ ମତାମତ ୨୦୨୦ ଜାନୁୟାରୀ ୧୫ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ ପଠାଇପାରିବେ । ଜନସାଧାରଣଙ୍କ ମତାମତ ଆଧାରରେ ପୁରୀର ଚୂଡ଼ାନ୍ତ ସୌନ୍ଦର୍ଯ୍ୟକରଣ ଯୋଜନା ପ୍ରସ୍ତୁତ ହୋଇ ଫେବ୍ରୁଆରିରେ ପ୍ରକାଶିତ ହେବ ।

ପୁରୀର ଐତିହ୍ୟ କରିଡ଼ର ବିକାଶ ପାଇଁ ସୋମବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଓଡ଼ିଶା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଜଗନ୍ନାଥ ହେରିଟେଜ୍ ଚିଠା ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୀର କଳେବର କିପରି ହେବ ? ପୁରୀର ସୌନ୍ଦର୍ଯ୍ୟକରଣ ଯୋଜନା ପାଇଁ ଜନସାଧାରଣଙ୍କ ମତାମତକୁ ପ୍ରାଧାନ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅନ୍ୟପଟେ ଜଗନ୍ନାଥଙ୍କ ପାଇଁ ଯେଉଁ ମଠ ଓ ଲୋକେ ଜମିଦାନ କରିଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ କାମ ପାଇଁ ଜମି ଦାନ କରିଥିବା ଲୋକଙ୍କ ନାମ ଐତିହ୍ୟ କରିଡ଼ରରେ ଏକ ଫଳକରେ ସବୁଦିନ ପାଇଁ ଲେଖା । ଆଜି ଲୋକାର୍ପଣ ହୋଇଥିବା ଚିଠାରେ କରିଡ଼ର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ସୁବିଧା ସୁଯୋଗ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା ।

ସୂଚନାଯୋଗ୍ୟ ପୁରୀକୁ ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି । ତେଣୁ ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇବା ପାଇଁ ସହରର ସାମଗ୍ରିକ  ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଯାତ୍ରୀଙ୍କ ସୁବିଧା ନିମନ୍ତେ ଧାଡ଼ିର ଶୃଙ୍ଖଳିତ ବ୍ୟବସ୍ଥା ଓ ମଝିରେ ମଝିରେ ବିଶ୍ରାମାଗାରରେ ସୁବିଧା କରାଯିବାର ଯୋଜନା ହୋଇଛି । କେବଳ ଏତିକି ନୁହେଁ ଶୃଙ୍ଖଳା ପାଇଁ ସିସିଟିଭିି ବ୍ୟବସ୍ଥା ସହିତ ଶୌଚାଳୟର ବିକାଶ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି । ଶ୍ରୀମନ୍ଦିର ଚାରିପାଖରେ ନିରାପତ୍ତା ବ୍ୟବସ୍ଥାକୁ ସଦୃଢ଼ କରାଯିବ । ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ, ଦଶାବତାର, ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଯାତ୍ରୀଙ୍କୁ ଅବଗତ କରାଇବା ପାଇଁ ବ୍ୟବସ୍ଥା କରାଯିବ ।

ସମ୍ବନ୍ଧିତ ଖବର