ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୧୦୬୩ ଶିକ୍ଷାନୁଷ୍ଠାନ ରହିଛି। ସେଥିମଧ୍ୟରୁ ୮୯୫ଟିର ନାକ୍ ମାନ୍ୟତା ନାହିଁ। ତାଲିକାରେ ୫ଟି ବିଶ୍ବବିଦ୍ୟାଳୟ ରହିଛନ୍ତି ଯେଉଁମାନେ ନାକ୍ ମାନ୍ୟତା ପାଇ ନାହାନ୍ତି। ନୂଆ କରି ମହାବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟ ମାନ୍ୟତା ହାସଲ କରିଥିବା ୩ଟି ଶିକ୍ଷାନୁଷ୍ଠାନର ବି ନାକ୍ ନାହିଁ। ୫୦୦ରୁ ଅଧିକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ବି ନାକ୍ ମାନ୍ୟତା ପାଇପାରି ନାହାନ୍ତି। ଗୋଟିଏ ପଟେ ଗୁଣାତ୍ମକ ଉଚ୍ଚଶିକ୍ଷା ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ଏଭଳି ତଥ୍ୟ ଉଚ୍ଚଶିକ୍ଷାର ବାସ୍ତବ ଚିତ୍ରକୁ ପଦାରେ ପକାଉଛି। ୨୦୨୨ ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନ ନାକ୍ ମାନ୍ୟତା ହାସଲ କରିବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ନିର୍ଦେଶ ଦେଇଥିଲେ। ଘନଘନ ବୈଠକ କରି ସମୀକ୍ଷା କରିଥିଲେ। କଲେଜ ଅଧ୍ୟକ୍ଷମାନଙ୍କୁ ଡାକି ଘଣ୍ଟା ଘଣ୍ଟା ମାନସମନ୍ଥନ କରିଥିଲେ। ତା’ପରେ ବି ଫଳ ଶୂନ। ୨୦୨୦ ଡିସେମ୍ବର ୩୧ ସୁଦ୍ଧା ମାତ୍ର ୧୬୮ଟି ଶିକ୍ଷାନୁଷ୍ଠାନ ନାକ୍ ମାନ୍ୟତା ହାସଲ କରିଛନ୍ତି।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଡିସେମ୍ବର ସୁଦ୍ଧା ରାଜ୍ୟର ୭ଟି ବିଶ୍ୱବିଦ୍ୟାଳୟ ଓ ୧୬୧ଟି ମହାବିଦ୍ୟାଳୟ ନାକ୍ ମାନ୍ୟତା ପାଇଛନ୍ତି। ରାଜ୍ୟର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କେବଳ ଉତ୍କଳ ବିଶ୍ଵବିଦ୍ୟାଳୟ ‘ଏ+’ ଗ୍ରେଡ୍ ପାଇଥିବା ବେଳେ ୩ଟି ବିଶ୍ୱବିଦ୍ୟାଳୟ ‘ଏ’ ଓ ୩ଟି ବିଶ୍ୱବିଦ୍ୟାଳୟ ‘ବି+’ ଗ୍ରେଡ୍ ହାସଲ କରିଛନ୍ତି। କୌଣସି ବି ବିଶ୍ୱବିଦ୍ୟାଳୟ ‘ବି++’ ଗ୍ରେଡ ପାଇ ନାହାନ୍ତି। ଉଚ୍ଚଶିକ୍ଷା ବିଭାଗ ଅଧୀନ କୌଣସି ବି ମହାବିଦ୍ୟାଳୟ ‘ଏ+’ ଗ୍ରେଡ ମାନ୍ୟତା ପାଇ ନାହାନ୍ତି। ୮ଟି ମହାବିଦ୍ୟାଳୟ ‘ଏ’ ଗ୍ରେଡ୍ ପାଇଥିବା ବେଳେ ୧୫ଟି ‘ବି++’, ୨୮ଟି ‘ବି+’, ୭୯ଟି ମହାବିଦ୍ୟାଳୟ ‘ବି’ ଓ ୩୧ଟି ମହାବିଦ୍ୟାଳୟ ‘ସି’ ଗ୍ରେଡ ମାନ୍ୟତା ହାସଲ କରିଛନ୍ତି। ପାଖାପାଖି ୮୫% ଶିକ୍ଷାନୁଷ୍ଠାନର ନାକ୍ ମାନ୍ୟତା ନ ଥିବାରୁ ସେମାନେ ପ୍ରଚୁର ଅର୍ଥ ପାଇବାରୁ ବଞ୍ଚିତ ହେଉଛନ୍ତି। ଏଥିସହ କୌଣସି ଜାତୀୟସ୍ତରୀୟ ରୢାଙ୍କ ପାଇବାକୁ ବି ଆବେଦନ କରିପାରୁ ନାହାନ୍ତି।
ନାକ୍ ମାନ୍ୟତା ନ ଥିବାରୁ ଗତ ୫ ବର୍ଷ ହେଲା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ନୈରାଶ୍ୟଜନକ ପ୍ରଦର୍ଶନ କରୁଛନ୍ତି। ଏନଆଇଆର୍ଏଫ ରୢାଙ୍କିଙ୍ଗ୍ର କଲେଜ ବର୍ଗରେ ଓଡ଼ିଶାର ଗୋଟିଏ ବି ମହାବିଦ୍ୟାଳୟ ସାମିଲ ହୋଇପାରୁ ନାହିଁ। ଯେତେବେଳେ କି ଅନ୍ୟ ରାଜ୍ୟର କଲେଜଗୁଡିକ ଭଲ ପ୍ରଦର୍ଶନ କରୁଛନ୍ତି। ୨୦୨୨ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ନାକ୍ ମାନ୍ୟତା ହାସଲ କରିବାକୁ ୨୦୧୯ରେ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶ ଦେଇଥିଲା। ବିଭାଗୀୟ ମନ୍ତ୍ରୀ ଓ ସଚିବ ବିଭିନ୍ନ ସମୟରେ ସମୀକ୍ଷା କରିବା ବେଳେ ଏନେଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ତାଗିଦ୍ କରିଥିଲେ। ତା’ ପରେ ବି ମହାବିଦ୍ୟାଳୟଗୁଡ଼ିକ ଆଗ୍ରହ ଦେଖାଉ ନାହାନ୍ତି। ୨୦୨୧ରେ ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ରାଜ୍ୟର ପ୍ରାୟ ୨୦ ଶିକ୍ଷାନୁଷ୍ଠାନର ନାକ୍ ମାନ୍ୟତା ସରିବ। ତେଣୁ ସେଗୁଡ଼ିକ କିଭଳି ନିଜକୁ ପ୍ରସ୍ତୁତ କରି ପୁଣିଥରେ ଭଲ ରୢାଙ୍କ ପାଇବେ, ତାହାକୁ ନେଇ ଆଶା ଆଶଙ୍କା ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଏବେ ୧୬ଟି ସରକାରୀ ବିଶ୍ବବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ୧୨ଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି। ୩ଟି ନୂଆ କରି ପ୍ରତିଷ୍ଠା ହୋଇଥିବା ବେଳେ ଗୋଟିଏ ଏବେ କେବଳ କାଗଜକଲମରେ ଚାଲିଛି। ଏହା ବ୍ୟତୀତ ୬ଟି ଘରୋଇ ବିଶ୍ୱବିଦ୍ୟାଳୟ, ୫୩ଟି ସରକାରୀ ମହାବିଦ୍ୟାଳୟ, ୫୫୮ଟି ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ, ୫୦ଟି ଅନୁଦାନପ୍ରାପ୍ତ ସଂସ୍କୃତ କଲେଜ, ୩୯୦ଟି ଅଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ରହିଛି। ୧୮ଟି ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ୧୭ଟି ବେସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ରହିଥିଲେ ମଧ୍ୟ ସେଥିମଧ୍ୟରୁ ଅଧିକାଂଶ ନାକ୍ ମାନ୍ୟତା ପାଇପାରି ନାହାନ୍ତି। ଫଳସ୍ବରୂପ ବିଶ୍ବବିଦ୍ୟାଳୟଗୁଡ଼ିକ ପ୍ରତିବର୍ଷ ପ୍ରଚୁର ଅର୍ଥ ହରାଉଛନ୍ତି।