କେନ୍ଦ୍ରାପଡ଼ା: ଗୁଜରାଟର ଅହମଦାବାଦ ଓ ସୁରଟ୍ରୁ ଆଜି ୧ ହଜାରରୁ ଅଧିକ ବା˚ଲାଦେଶୀ ଅନୁପ୍ରବେଶକାରୀ ଧରାପଡ଼ିଛନ୍ତି। ହେଲେ, କେନ୍ଦ୍ରାପଡ଼ା ଜିଲ୍ଲାରେ ହଜାର ହଜାର ବା˚ଲା ଅନୁପ୍ରବେଶକାରୀ ରହୁଥିଲେ ମଧୢ କାର୍ଯ୍ୟାନୁଷ୍ଠାନ ନାହିଁ। ନା’ ଚଢ଼ଉ ହେଉଛି ନା’ ସେମାନଙ୍କ ବେଆଇନ ଗତିବିଧି ଉପରେ ନଜର ରଖାଯାଉଛି। ଦୁଇ ଦଶନ୍ଧି ତଳେ ପ୍ରଶାସନ ପକ୍ଷରୁ ବା˚ଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ଦେଶାନ୍ତର ନୋଟିସ୍ ଜାରି କରାଯାଇଥିଲା। ମହାକାଳପଡ଼ା, ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକ୍ ଅଞ୍ଚଳରେ ରହୁଥିବା ଏହି ଅନୁପ୍ରବେଶକାରୀଙ୍କୁ ୩୦ଦିନ ଭିତରେ ଦେଶ ଛାଡ଼ିବାକୁ କୁହାଯାଇଥିଲା। ଇତିମଧୢରେ ୨୧ବର୍ଷ ବିତିଯାଇଥିଲେ ବି’ ଜଣେ ହେଲେ ଦେଶ ଛାଡ଼ି ଗଲେ ନାହିଁ। ବହୁ ଅନୁପ୍ରବେଶକାରୀ ତଞ୍ଚକତା ପୂର୍ବକ ଏଠାରେ ସ୍ଥାୟୀ ପ୍ରମାଣପତ୍ର ହାତେଇ ନେଇଛନ୍ତି। ବର୍ତ୍ତମାନ ସାରା ଦେଶରୁ ପାକିସ୍ତାନ ନାଗରିକ ଓ ବା˚ଲା ଅନୁପ୍ରବେଶକାରୀଙ୍କୁ ତଡ଼ିବା ଅଭିଯାନ ଆରମ୍ଭ ହୋଇଥିଲା ବେଳେ କେନ୍ଦ୍ରାପଡ଼ାରେ ପୁଲିସ ହାତବାନ୍ଧି ଚୁପ୍ ବସିବା ଘଟଣା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କଲାଣି।
ପାକିସ୍ତାନ ନାଗରିକଙ୍କୁ ବିଦା କରିବା ଲାଗି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଦେଶର ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ଉ, ଯାଞ୍ଚ ଦେଖିବାକୁ ମିଳୁଥିଲା ବେଳେ କେନ୍ଦ୍ରାପଡ଼ାରେ କିନ୍ତୁ ଏପର୍ଯ୍ୟନ୍ତ ପୁଲିସ ପକ୍ଷରୁ ସେଭଳି କୌଣସି ତନାଘନା ଆରମ୍ଭ ହୋଇନାହିଁ। ୨୦୦୪ ଫେବ୍ରୁଆରି ୨୮ରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବା˚ଲାଦେଶ ଅନୁପ୍ରବେଶକାରୀ ଚିହ୍ନଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପାଖାପାଖି ଦଶମାସ ଏହି ଚିହ୍ନଟ ପ୍ରକ୍ରିୟା ଚାଲିଥିଲା। ସେହିବର୍ଷ ଡିସେମ୍ବରରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲା। ସେଥିରେ ମହାକାଳପଡ଼ାରେ ସର୍ବାଧିକ ୧୫୫୧ଜଣ, ରାଜନଗରରୁ ୫୧ ଏବ˚ ପଟ୍ଟାମୁଣ୍ଡାଇରୁ ୪୭ଜଣଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କୁ ଦେଶ ଛାଡ଼ିବା ପାଇଁ ଗୃହ ବିଭାଗ ପକ୍ଷରୁ ୩୦ଦିନିଆ ନୋଟିସ୍ ଦିଆଯାଇଥିଲା।
ହାତବାନ୍ଧି ବସିଛି କେନ୍ଦ୍ରାପଡ଼ା ପୁଲିସ, ପ୍ରଶାସନ
ମହାକାଳପଡ଼ା, ରାଜନଗରରେ ୩୦ ହଜାର ଅନୁପ୍ରବେଶକାରୀ!
୨୧ବର୍ଷ ତଳେ ୧୬୪୯ଙ୍କୁ ହୋଇଥିଲା ଦେଶାନ୍ତର ନୋଟିସ୍
ଯଦିଓ ସରକାରୀ ଭାବେ ସେହି ସମୟରେ ବା˚ଲା ଅନୁପ୍ରବେଶକାରୀଙ୍କ ସ˚ଖ୍ୟା ୧୬୪୯ଦର୍ଶାଯାଇଥିଲା, ବାସ୍ତବରେ କିନ୍ତୁ ବର୍ତ୍ତମାନ ଏ ସ˚ଖ୍ୟା ଜିଲ୍ଲାରେ ୩୦ହଜାର ପାର୍ କରିଯିବ ବୋଲି ଆକଳନ କରାଯାଉଛି। ଅନୁପ୍ରବେଶକାରୀଙ୍କ ମଧ୍ୟରୁ କେତେ ଜଣ ସରକାରୀ ଶିକ୍ଷକ ଚାକିରି କରିଥିବାର ନଜିର ବି ରହିଛି। ବିଶେଷକରି ରାଜନଗର ବ୍ଲକ୍ର ୫୫ଟି ଏବଂ ମହାକାଳପଡ଼ା ବ୍ଲକ୍ର ୪୧ଟି ଗ୍ରାମ ଏବେ ଅନୁପ୍ରବେଶକାରୀଙ୍କ କବଳରେ। ଏହି ଦୁଇ ବ୍ଲକ୍ର ଏଭଳି କେତୋଟି ଗାଁ ରହିଛି, ଯେଉଁଠି ପ୍ରାୟ ୯୦ ପ୍ରତିଶତ ଅନୁପ୍ରବେଶକାରୀ ରହୁଛନ୍ତି। ଅନେକ ତଞ୍ଚକତା ପୂର୍ବକ ଆଧାରକାର୍ଡ, ରାସନକାର୍ଡ ହାତେଇବା ସହିତ ଘର କରି ସ୍ଥାୟୀ ବାସିନ୍ଦା ହୋଇଯାଇଥିବା ଦେଖିବାକୁ ମିଳିଛି।
ଏହାବାଦ୍ ଗଞ୍ଜାମରୁ ବାଲେଶ୍ବର ପର୍ଯ୍ୟନ୍ତ ୪୮୦ କିମି ଏବଂ ଧାମରା ମୁହାଣରୁ ଜଗତସିଂହପୁର ଜିଲ୍ଲାର ପାରାଦୀପ ପର୍ଯ୍ୟନ୍ତ ୯୦ କିମି ଅଞ୍ଚଳ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି। କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କାଟେରିଆ କହିଛନ୍ତି ଯେ ପାକିସ୍ତାନ ଭିସା ନେଇ ଯେଉଁମାନେ ଆସିଥିବେ, ସେମାନଙ୍କୁ ବିଦା କରିବାକୁ କୁହାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାକୁ କେହି ପାକିସ୍ତାନୀ ଆସିନାହାନ୍ତି। ବାଂଲା ଅନୁପ୍ରବେଶକାରୀଙ୍କ ସଂପର୍କରେ ସରକାରଙ୍କ ପକ୍ଷରୁ ସେଭଳି କୌଣସି ଆଦେଶ ଆସିନାହିଁ।