କେମିତି ଚାଲିବ ସେଣ୍ଟର ଅଫ୍‌ ଏକ୍ସଲେନ୍ସ? ବିଶ୍ବବିଦ୍ୟାଳୟ କୁଳପତି ସମ୍ମିଳନୀରେ ମାନସମନ୍ଥନ

ଭୁବ‌ନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ୬ଟି ବିଶ୍ବବିଦ୍ୟାଳୟ‌ରେ ୧୦ଟି ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପ୍ରତିଷ୍ଠା ହୋଇଛି। ଖୁବ୍‌ଶୀଘ୍ର ବାକି ଆଉ ୫ଟି ବିଶ୍ବବିଦ୍ୟାଳୟରେ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପ୍ରତିଷ୍ଠା କରାଯିବ। ଏନେଇ ରିପୋର୍ଟ ପ୍ରସ୍ତୁତ କରିବାକୁ ସମ୍ପୃକ୍ତ ବିଶ୍ବବିଦ୍ୟାଳୟଗୁଡ଼ିକୁ କୁହାଯାଇଛି। ଏହାବ୍ୟତୀତ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପାଇଁ ବିଶ୍ବବ୍ୟାଙ୍କ ଦେଉଥିବା‌ ଅର୍ଥ ୪ ବର୍ଷ ପରେ ବନ୍ଦ ହୋଇଯିବ। ଏହାପ‌ରେ ସେଣ୍ଟରଗୁଡ଼ିକ କିଭଳି ସ୍ବାବଲମ୍ବୀ ହେବେ, ନିଜେ ଏହାର ପରିଚାଳନା କରିବେ, ଥିବା ସମ୍ବଳର କିଭଳି ବିକାଶ ହୋଇପାରିବ ସେନେଇ ଆଲୋଚନା କରାଯାଇ ଏକାଧିକ ନିଷ୍ପତ୍ତି ନିଆଯାଇଛି। ପ୍ରତି ବର୍ଷ ଏହାର ସମୀକ୍ଷା କରାଯିବ। କେତେ ଟଙ୍କା ମିଳିଛି, କେତେ ଖର୍ଚ୍ଚ ହୋଇଛି, ସଫଳତା ମିଳିଲା କି ନାହିଁ ସେ ବିଷୟରେ ଆଲୋଚନା ହେବ ବୋଲି ଆଜି ଭୁବନେଶ୍ବର ପୁସ୍ତକ ଭବନରେ ବସିଥିବା କୁଳପତି ସମ୍ମିଳନୀରେ ଏଭଳି ନିଷ୍ପତ୍ତି ହୋଇଛି।

ପ୍ରଥମ ପର୍ଯ୍ୟାୟରେ ଉତ୍କଳ ବିଶ୍ବବିଦ୍ୟାଳୟରେ ସର୍ବାଧିକ ୪ଟି ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପ୍ରତିଷ୍ଠା ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ, ଫକୀର ମୋହନ ବିଶ୍ବବିଦ୍ୟାଳୟ ସାମିଲ ହେବ। ଏଥିପାଇଁ ସମ୍ପୃକ୍ତ ବିଶ୍ବବିଦ୍ୟାଳୟଗୁଡ଼ିକ ୪ ପୃଷ୍ଠା ସମ୍ବଳିତ ଆପ୍ଲିକେସନ ଦାଖଲ କରିଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି।

ସେହିପରି ଏହି ବୈଠକରେ ନାକ୍‌ ମାନ୍ୟତା ନେଇ ବି ଆଲୋଚନା ହୋଇଛି। ଦକ୍ଷିଣ ଭାରତରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ତୁଳନାରେ ଓଡ଼ିଶାର ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକର ନାକ୍‌ ମାନ୍ୟତାରେ ସେତେଟା ଭଲ କରିପାରୁ ନାହାନ୍ତି। ତେଣୁ କେଉଁ କଲେଜର ଭିତ୍ତିଭୂମି ରହିଛି; ନାକ୍‌ ମାନ୍ୟତା ପାଇଁ ଯୋଗ୍ୟତା ରହିଛି କି ନାହିଁ ତାହାକୁ ଚିହ୍ନଟ କରିବାକୁ ବିଶ୍ବବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଯେଉଁ କଲେଜଗୁଡ଼ିକର ଯୋଗ୍ୟତା ରହିଛି ସେମାନକୁ ‌ବିଶ୍ବବିଦ୍ୟାଳୟ ପକ୍ଷରୁ ତାଲିମ ଦିଆଯିବ। ଏ ଦିଗରେ ଉତ୍କଳ ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧିକ ଦାୟିତ୍ବ ନେବେ। ୨୦୨୦ ସୁଦ୍ଧା ବିଶ୍ବବିଦ୍ୟାଳୟ ଅଧୀନ ଅଧିକାଂଶ କଲେଜ ଯେପରି ମାନ୍ୟତା ପାଇବେ ସେଦିଗରେ ପଦକ୍ଷେପ ନେବେ। ବୈଠକରେ ବି ଯୁକ୍ତ୩ ପରୀକ୍ଷା ଉପରେ ଉପରେ ଆଲୋଚନା ହୋଇଥିଲା। ଯେଉଁ ପିଲାଙ୍କର ବ୍ୟାକ୍‌ ରହୁଛି ସେ କିଭଳି ନିଜ ସାଙ୍ଗମାନଙ୍କ ସହ ଏକାଥରେ କୃତକାର୍ଯ୍ୟ ହୋଇପାରିବେ ସେନେଇ ଆଲୋଚନା ‌ହୋଇଛି। ୱାନ୍‌ ଟାଇମ୍‌ ଗ୍ରାଜୁଏସନ(ଓଟିଜି) ଉପରେ ବିଚାରରବିମର୍ସ କରାଯାଇଛି। ହୋଇଛି।

ଉତ୍କଳ ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା କଲେଜଗୁଡ଼ିକ କିଭଳି ନାକ୍‌ ମାନ୍ୟତା ପାଇବେ, ଶିକ୍ଷକମାନଙ୍କ ତାଲିମ ଉପରେ ଗୁରୁତ୍ବ ଦିଆଯାଇଛି। ସିଲାବସ୍‌କୁ ଠିକ୍‌ ଭାବେ ଲାଗୁ କରାଯାଇଛି। ଆମ ବିଶ୍ବବିଦ୍ୟାଳୟରେ ୪ଟି ସେଣ୍ଟର ଅଫ୍‌ ଏକ୍ସ‌ଲେନ୍ସ ରହିଥିବାରୁ ତାହ‌ାର ସଫଳତା ନେଇ ଆଲୋଚନା ହୋଇଛି। ପ୍ରଥମ ପର୍ଯ୍ୟାୟ ଅର୍ଥ ମିଳିଥିବାରୁ ତାହାର ସଠିକ୍‌ ଉପଯୋଗ ଉପରେ ପ୍ରାଥମିକତା ଦିଆଯାଉଛି। ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅତନୁ କୁମାର ପତି କହିଛନ୍ତି ଯେ ନୂଆ ବିଶ୍ବବିଦ୍ୟାଳୟଗୁଡ଼ିକ ନାକ୍‌ ମାନ୍ୟତା ପାଇନାହାନ୍ତି। ତେଣୁ ସେମାନେ କିଭଳି ଭଲ ଗ୍ରେଡ୍‌ ପାଇବେ ସେନେଇ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର