କେମିତି ଚାଲିଛି ସିଭିଲ୍‌ ସର୍ଭିସ୍‌ କୋଚିଂ ସେଣ୍ଟର? ୩୧ ସୁଦ୍ଧା ବିନିଯୋଗ ପ୍ରମାଣପତ୍ର ଦେବାକୁ ନିର୍ଦେଶ

୬ ମଡେଲ୍‌ ଡିଗ୍ରି କଲେଜ ପାଇଁ ଦିଆଗଲା ୩୬ କୋଟି

ଭୁବନେଶ୍ବର: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖୋଲିଥିବା ସିଭିଲ୍‌ ସର୍ଭିସ୍‌ କୋଚିଂ ସେଣ୍ଟର୍‌ କେମିତି ଚାଲିଛି? ସେଣ୍ଟର୍‌ ଚଲାଇବାକୁ କେତେ ଟଙ୍କା ଦିଆଯାଇଥିଲା? ସେଥିରୁ କେତେ ଖର୍ଚ୍ଚ ହୋଇଛି? ଆଉ କେତେ ବାକି ରହିଛି? ଏଥିସହ ବିଶ୍ବବିଦ୍ୟାଳୟ ଓ ସରକାରୀ ଡିଗ୍ରି କଲେଜଗୁଡ଼ିକରେ ଖୋଲିଥିବା କ୍ୟାରିଅର ଆଣ୍ଡ୍‌ କାଉନସେଲିଂ ‌ସେଲ୍‌ର ତଥ୍ୟ ବି ଦାଖଲ କରିବାକୁ କୁହାଯାଇଛି। ଜୁଲାଇ ୩୧ ସୁଦ୍ଧା ରାଜ୍ୟର ୯ଟି ବିଶ୍ବବିଦ୍ୟାଳୟ ଓ ସମସ୍ତ ସରକାରୀ କଲେଜ ବିନିଯୋଗ ପ୍ରମାଣପତ୍ର(ୟୁସି) ଦାଖଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଉତ୍କଳ ସମେତ ବ୍ରହ୍ମପୁର, ସମ୍ବଲପୁର, ଗଙ୍ଗାଧର ମେହେର, ରେଭେନ୍ସା, ଉତ୍ତର ଓଡ଼ିଶା ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସିଭିଲ୍‌ ସର୍ଭିସ୍‌ କୋଚିଂ ବ୍ୟବସ୍ଥା ହୋଇଥିଲା। ତିନି ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାର ସଫଳତା ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠିଛି। କେତେକ ବିଶ୍ବବିଦ୍ୟାଳୟରେ ଗୋଟିଏ ବ୍ୟାଚ୍‌ ପରେ ଆଗକୁ ବଢ଼ିପାରି ନଥିବା ନଜରକୁ ଆସିଛି। କେତେକ ବିଶ୍ବବିଦ୍ୟାଳୟ ସେଣ୍ଟର୍‌ରେ କୋଚିଂ ପାଇଁ ପିଲା ହେଉ ନଥିବା ବେଳେ ଆଉ କେଉଁଠି କୋଚିଂ ନେଉଥିବା ପିଲାମାନେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ବି ଭଲ ରେଜଲ୍ଟ କରିପାରୁ ନାହାନ୍ତି। କ୍ୟାରିଅର ଆଣ୍ଡ୍‌ କାଉନସେଲିଂ ସେଲ୍‌ ମାଧ୍ୟମରେ ବି କେତେ ପିଲାଙ୍କୁ ଚାକିରି ଉପଯୋଗୀ ତାଲିମ ଦିଆଯାଇଛି। କେତେ ଟଙ୍କା ଖର୍ଚ୍ଚ ହୋଇଛି, ତାହାର ସବିଶେଷ ତଥ୍ୟ ମଗାଯାଇଛି। ଫଳରେ ଭବିଷ୍ୟତ କାର୍ଯ୍ୟପନ୍ଥା ପ୍ରସ୍ତୁତିରେ ସହାୟକ ହୋଇପାରିବ ବୋଲି ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେହିପରି ମ୍ୟାନେଜ୍‌ମେଣ୍ଟ ଇନ୍‌ଫରମେସନ୍‌ ସିଷ୍ଟମ(ଏମ୍‌ଆଇଏସ୍‌) ପୋର୍ଟାଲରେ ତଥ୍ୟ ଦାଖଲ କରି ନଥିବା ସରକାରୀ, ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ କଲେଜଗୁଡ଼ିକ ଜୁଲାଇ ୩୦ ପୂର୍ବାହ୍ନ ୧୦ଟା ସୁଦ୍ଧା ତଥ୍ୟ ଦାଖଲ କରିବାକୁ କୁହାଯାଇଛି। ପୋର୍ଟାଲରେ ପଞ୍ଜୀକରଣ କରିବା ସହ ଶିକ୍ଷକ-ଛାତ୍ରଛାତ୍ରୀଙ୍କ ଅନୁପାତ ଦାଖଲ କରିବାକୁ କୁହାଯାଇଛି। ଯେଉଁ କଲେଜ ଓ ବିଶ୍ବବିଦ୍ୟାଳୟ ପୋର୍ଟାଲରେ ତଥ୍ୟ ଦାଖଲ କରିସାରିଛନ୍ତି, ସେମାନଙ୍କୁ ଆଉ ଦାଖଲ କରିବାକୁ ପଡ଼ିବନି। ସେପଟେ ଏମ୍‌ଆଇଏସ୍‌ ପୋର୍ଟାଲର କାର୍ଯ୍ୟକାରିତା ନେଇ ଖୁବ୍‌ଶୀଘ୍ର ସମୀକ୍ଷା ବୈଠକ ଡକାଯିବ ବୋଲି ଉଚ୍ଚଶିକ୍ଷା ବିଭାଗର ଷ୍ଟେଟ୍‌ ପର୍ଫରମାନ୍ସ ଟ୍ରାକିଂ ସେଲ୍‌ ଅଧିକାରୀ ମିହିର କୁମାର ଦାଶ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁଷା)-୨ରେ ରାଜ୍ୟରେ ୬ଟି ମଡେଲ୍‌ କଲେଜ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଛି। କଣ୍ଟାବାଞ୍ଜି, ଢେଙ୍କାନାଳ, କୋରାପୁଟ, ପାରଳାଖେମୁଣ୍ଡି, ବାଲିଗୁଡ଼ା ଓ କଳାହାଣ୍ଡିଠାରେ ହେବାକୁ ଥିବା ମଡେଲ୍‌ ଡିଗ୍ରି କଲେଜଗୁଡ଼ିକ ପାଇଁ ପ୍ରଥମ ପର୍ଯ୍ୟାୟରେ ୬ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ସମ୍ପୃକ୍ତ ଜିଲ୍ଲାର ଆର୍‌ ଆଣ୍ଡ ବି ଡିଭିଜନ୍‌ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଆକାଉଣ୍ଟକୁ ପଠାଯାଇଛି। ୬ଟି କଲେଜ ପାଇଁ ମୋଟ ୩୬ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ସେଥିମଧ୍ୟରୁ ୬୦:୪୦ ଅନୁପାତରେ କେନ୍ଦ୍ର ସରକାରଙ୍କ ଭାଗ ୨୧କୋଟି ୬୦ ଲକ୍ଷ ଟଙ୍କା‌ ଥିବା ବେଳେ ରାଜ୍ୟ ସରକାରଙ୍କ ଭାଗ ୧୪କୋଟି ୪୦ ଲକ୍ଷ ଟଙ୍କ‌ା ରହିଛି। ଯେତେଶୀଘ୍ର ସମ୍ଭବ କାର୍ଯ୍ୟ ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର