ତଥାପି ରେଳପଥ ସଂଯୋଗରୁ କୁଚିଣ୍ଡା ବଂଚିତ!, ସରକାର ନିରବ, ଲୋ‌କଙ୍କ ମନରେ ଅସନ୍ତୋଷ

ସମ୍ବଲପୁର: ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ବିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ରାଜ୍ୟରେ ରେଳପଥ ବିକାଶ ରାଜ୍ୟବାସୀଙ୍କ ମନରେ ଅନେକ ଆଶା ସଂଚାର କରିଛି। ରେଳ ସଂଯୋଗରୁ ବଂଚିତ ହୋଇଥିବା ସମ୍ବଲପୁର ଜିଲ୍ଲାର ଆଦିବାସୀ ବହୁଳ କୁଚିଣ୍ଡା ଉପଖଣ୍ଡ ମୁଖ୍ୟାଳୟର ଅଧିବାସୀଙ୍କ ମନରେ ଏଭଳି କିଛି ଆଶା ବାନ୍ଧିଛି। ‌ତେବେ, ‌ନୂଆ ରେଳମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିବା ପରେ ବି ଅଂଚଳବାସୀଙ୍କ ବହୁଦିନର ଏହି ଦାବିକୁ ଅଣଦେଖା କରାଯାଇଛି। ଅପରପକ୍ଷରେ କୁଚିଣ୍ଡାରେ ଟିକଟ କାଉଣ୍ଟର ପାଇଁ ସରକାରୀ ଅନୁମତି ମିଳିଥିଲେହେଁ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ।

ଇଂରେଜ ଅମଳରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡର ବାମରାଠାରେ ନିର୍ମାଣ ହୋଇଥିଲା ରେଳଷ୍ଟେସନ। ସମ୍ବଲପୁରରେ ଏକ ସ୍ବତନ୍ତ୍ର ଡିଭିଜନ ରହିଥିବା ସତ୍ତ୍ବେ ବାମରା ଷ୍ଟେସନକୁ ଏଥିରେ ସାମିଲ କରାଯାଇ ନାହିଁ। ବାମରାକୁ ବର୍ତ୍ତମାନ ଚକ୍ରଧରପୁର ଡିଭିଜନ ଅଧୀନରେ ରହିଛି। ଏହି ଐତିହାସିକ ଷ୍ଟେସନ ପ୍ରତି ଅବହେଳା କରାଯାଉଥିବା ନେଇ ବାରଂବାର ଆନ୍ଦୋଳନ ହେଉଥିଲେହେଁ ସରକାର ଚୁପ୍ ରହିଛନ୍ତି। ଏପଟେ କୁଚିଣ୍ଡା ଭଳି ଆଦିବାସୀ ଅଧ୍ୟୁଷିତ ଉପଖଣ୍ଡର ମାତ୍ର ୫/୬ଟି ପଞ୍ଚାୟତ ଦେଇ ରେଳ ସଂଯୋଗ ଯାଇଛି। କୁଚିଣ୍ଡା, ଜମନକିରା ଆଦି ବ୍ଲକକୁ ରେଳସଂଯୋଗ ‌ହୋଇପାରି ନାହିଁ। ଏହି ଦୁଇ ବ୍ଲକର ଲୋକେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ଯାତ୍ରା କରିବା ପାଇଁ ବାମରା, ଝାରସୁଗୁଡ଼ା କିମ୍ବା ସମ୍ବଲପୁର ଆସି ଟ୍ରେନ୍ ଧରିଥାନ୍ତି। ଦୀର୍ଘ ବର୍ଷ ହେଲା ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ କାମ ଚାଲିଛି। ମାତ୍ର ରେଳବାଇର ଅବହେଳା ଯୋଗୁଁ ତାହା କ‌େବେ ସଂପୂର୍ଣ୍ଣ ହେବ, ତାହା  କହି ହେଉ ନାହିଁ। ବାରକୋଟ-ଝାରସୁଗୁଡ଼ା ରେଳପଥ ନିର୍ମାଣ କରାଯାଇ ତାଳଚେର-ବିମଳାଗଡ଼ ରେଳପଥ ସହିତ ସଂଯୋଗ କରିବାକୁ ଦାବି ହୋଇଆସୁଛି।

ହେଲେ ଏହି ପ୍ରକଳ୍ପ ଆଗେଇ ପାରିନାହିଁ। ବାରକୋଟ-ଝାରସୁଗୁଡ଼ା ମଧ୍ୟରେ ରେଳପଥ ନିର୍ମାଣ ହେଲେ ଦେବଗଡ଼ ଜିଲ୍ଲାବାସୀଙ୍କ ସହିତ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ ଏବଂ ଝାରସୁଗୁଡ଼ା ଜିଲ୍ଲାର କୋଲବିରା ଅଂଚଳବାସୀ ବି ଉପକୃତ ହୋଇପାରିବେ। ଏହାକୁ ଦୃଷ୍ଟି‌ରେ ରଖି ଗତ ୨୦୧୪ ମସିହାରେ ତତ୍କାଳୀନ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ତତ୍କାଳୀନ ରେଳମନ୍ତ୍ରୀ ଡି.ଭି.ସଦାନନ୍ଦ ଗୌଡ଼ାଙ୍କୁ ପତ୍ର ଲେଖିଥିଲେ। ଶ୍ରୀ ଓରାମଙ୍କ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ଶ୍ରୀ ଗୌଡ଼ା ଶୀଘ୍ର ରେଳପଥ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଆଶ୍ବସନା ଦେଇଥିଲେ। ଗତ ୨୦୧୮ମସିହାରେ ସମ୍ବଲପୁରର ପୂର୍ବତନ ଲୋକସଭା ସଦସ୍ୟ ଭବାନୀଶଙ୍କର ହୋତାଙ୍କ ନେତୃତ୍ୱରେ କୁଚିଣ୍ଡାର ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କ ସ୍ବାକ୍ଷରିତ ଏକ ତଥ୍ୟମୂଳକ ଦାବିପତ୍ର ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା।

ଝାରସୁଗୁଡ଼ାରୁ ଦେବଗଡ଼ ପର୍ଯ୍ୟନ୍ତ ଥିବା ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ହୋଇଥିବା ବେଳେ, ଏଠିକାର କୃଷକ ବିଭିନ୍ନ ପ୍ରକାର ଚାଷ କରିବା ସତ୍ତ୍ବେ ବଜାର ଅଭାବରୁ ଉପଯୁକ୍ତ ମୂଲ୍ୟ ପାଇନଥାଏ। ରେଳ ସଂଯୋଗ ହେଲେ ଏଠିକାର ଚାଷୀମାନେ ଉପକୃତ ହୋଇପାରିବେ ବୋଲି ଯୁକ୍ତି ଦର୍ଶାଯାଇଥିଲା। ଏହା ପରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ମଧ୍ୟ ରେଳବାଇ ବୋର୍ଡକୁ ଏ ଦିଗରେ ପଦକ୍ଷେପ ନେବା ପାଇଁ ସୁପାରିଶ କରିଥିଲେ। ଅଶ୍ଵିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ଅଂଚଳବାସୀଙ୍କ ମଧ୍ୟରୁ ଦାବିପତ୍ର ବି ଦିଆଯାଇଥିଲା। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବି ସହାୟତା ଲୋଡ଼ା ଯାଇଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରେଳ ମନ୍ତ୍ରଣାଳୟକୁ ଚିଠି ବି ଲେଖିଛନ୍ତି। ଲୋକ‌େ ଗତ ବଜେଟରେ ଏ ଦିଗରେ କିଛି ପଦକ୍ଷେପ ନିଆଯିବ ବୋଲି ଆଶା କରୁଥିଲେ। ମାତ୍ର, ସେଭଳି କିଛି ହେଲା ନାହିଁ। କେବଳ ଡାକ ବିଭାଗ ଜରିଆରେ କୁଚିଣ୍ଡା ସହରରେ ଏକ

ଟିକଟ କାଉଣ୍ଟର ସ୍ଥାପନ ନିମନ୍ତେ ଅନୁମିତି ମିଳିଛି। ହେଲେ, ତାହା ବି ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନଥିବାରୁ ଲୋକଙ୍କୁ ହଇରାଣ ହେବାକୁ ପଡ଼ୁଛି। ପୂର୍ବତନ ବିଧାୟକ ତଥା ଚକ୍ରଧରପୁର ଡିଆର୍‌ୟୁସିସି ସଦସ୍ୟ ବୃନ୍ଦାବନ ମାଝୀ ଅଂଚଳବାସୀଙ୍କ ହିତକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର