ଏଚ୍‌ ଆର ବିଶ୍ୱାସ ପାଣିପାଗ କେନ୍ଦ୍ରର ନୂଆ ନିର୍ଦେଶକ

ମେ’ ୩୧ରେ ଅବସର ଗ୍ରହଣ କରିବେ ଡ. ଶରତ ସାହୁ

ଭୁବନେଶ୍ୱର: ମେ’ ୩୧ରେ ଅବସର ଗ୍ରହଣ କରିବେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ। ଦୀର୍ଘ ୧୪ ବର୍ଷ ଧରି ସେ ପାଣିପାଗ କେନ୍ଦ୍ରର ନିର୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ ସ୍ଥାନରେ କଲିକତା ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଏଚ୍‌.ଆର. ବିଶ୍ୱାସ ନୂତନ ନିର୍ଦେଶକ ନିଯୁକ୍ତ ହୋଇଛନ୍ତି। ଆସନ୍ତା ଜୁନ୍‌ ୧ରୁ ଶ୍ରୀ ବିଶ୍ୱାସ ନୂତନ ଦାୟିତ୍ୱ ଗ୍ରହଣ କରିବେ। ଏହା ପୂର୍ବରୁ ଶ୍ରୀ ବିଶ୍ୱାସ ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରରେ ଯୋଗଦେଇ ବିଭିନ୍ନ ବିଷୟରେ ପଚାରି ବୁଝିଛନ୍ତି। ୧୪ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଓଡ଼ିଶାର ଜଳବାୟୁ, ପାଣିପାଗ, ମୌସୁମୀ ପ୍ରବାହ ପରି ବିଷୟରେ ଟିକିନିକି ଖବର ଦେଉଛନ୍ତି ଡ. ଶରତ ଚନ୍ଦ୍ର ସାହୁ। ତାଙ୍କ ସମୟରେ ଓଡ଼ିଶା ଅନେକ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇପାରିଛି। ଫାଇଲିନ୍‌, ହୁଡ୍‌ହୁଡ୍‌ ପରି ବାତ୍ୟା ସମୟରେ ତାଙ୍କ ଆଗୁଆ ସୂଚନା ବଳରେ ଓଡ଼ିଶା ବଡ଼ ବିପର୍ଯ୍ୟୟରୁ ରକ୍ଷା ପାଇଛି। ରାଜ୍ୟ ସରକାର ମଧ୍ୟ ବାତ୍ୟାଗୁଡ଼ିକୁ ସଫଳତାର ସହ ମୁକାବିଲା କରିଥିଲେ। ୧୯୭୩ ମସିହାଠାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ୧୪ ଜଣ ନିର୍ଦେଶକ ଦାୟିତ୍ୱ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଶ୍ରୀ ସାହୁ ସବୁଠାରୁ ଅଧିକ ସମୟ ଧରି ଏହି ପଦବିରେ ରହିଛନ୍ତି। ଶ୍ରୀ ସାହୁଙ୍କ ଆଗୁଆ ସୂଚନା ଅନେକ ସମୟରେ ସଠିକ୍‌ ପ୍ରମାଣିତ ହୋଇଛି। ମୌସୁମୀ ଆଗମନ ହେଉ କି କାଳବୈଶାଖୀର ତାଣ୍ଡବ ସବୁ ସମୟରେ ତାଙ୍କର ଆଗୁଆ ଆକଳନ ସଠିକ୍‌ ପ୍ରମାଣିତ ହୋଇଛି। ତାଙ୍କ ସମୟରେ ଓଡ଼ିଶା ଉପକୂଳରେ ରାଡାର ନିର୍ମାଣ କରାଯାଇଛି। ତାଙ୍କ ପରାମର୍ଶ ଦ୍ୱାରା ରାଜ୍ୟ ସରକାର ମଧ୍ୟ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି। ଶ୍ରୀ ସାହୁ କୁହନ୍ତି ଅବସର ନେବାର ସମୟ ଆସିଛି। ଆଗକୁ କେଉଁଠି ଯୋଗଦେବି, କ’ଣ କରିବି ସେନେଇ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନେଇନି। ତଥାପି ଯେଉଁଠି ରହିଲେ ବି ଓଡ଼ିଶା ପାଇଁ କାମ କରିବି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର