ଢାବାରେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, ଏଚ୍‌ଆର୍‌ପିସି ଟିମ୍‌ର ତଦନ୍ତ ଆରମ୍ଭ

ଢାବା, ଥାନା ଓ ମୃତକଙ୍କ ଘରକୁ ଗଲେ, ଅଟକ ଦୁଇ କର୍ମଚାରୀଙ୍କୁ ଜେରା

ବାଲିଆପାଳ/ଭୋଗରାଇ : ବାଲେଶ୍ବର ଜିଲ୍ଲା ବାଲିଆପାଳର ରାଜଧାନୀ ଢାବାରେ କାମ କରୁଥିବା ଜଣେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଦୁଇଦିନ ହେଲା ଚାପା ଉ‌େତ୍ତଜନା ଲାଗି ରହିଛି। ଫଳରେ ଏକାଧିକ ଜାଗାରେ ପୁଲିସ ମୁତୟନ ହୋଇଛନ୍ତି। ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ କରୁଥିବାବେଳେ ଆଜି ରାଜ୍ୟ ପୁଲିସର ମାନବ ଅଧିକାର ସୁରକ୍ଷା ସେଲ୍‌ (ଏଚ୍‌ଆର୍‌ପିସି)ର ଏକ ଟିମ୍‌ ଏଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏଭଳି ଏକ ସମ୍ବେଦନଶୀଳ ମାମଲାର ତଦନ୍ତ ଲାଗି ଗତକାଲି ରାତିରେ ପୁଲିସ ଡିଜି ଡ. ରାଜେନ୍ଦ୍ର ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଏଚ୍‌ଆର୍‌ପିସିର ଏକ ପାଞ୍ଚଜଣିଆ ଟିମ୍‌ ବାଲିଆପାଳରେ ପହଞ୍ଚିଥିଲା। ଡିଏସ୍‌ପି ରଣଜିତ କୁମାର ନାୟକଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ରେ ଏଚ୍‌ଆର୍‌ପିସିର ଅତିରିକ୍ତ ଏସ୍‌ପି ସତ୍ୟନାରାୟଣ ଦାସ, ଏଏସ୍‌ଆଇ ପର୍ଶୁରାମ ପାଇକରାୟ, ସଦାନନ୍ଦ କଅଁର ପ୍ରମୁଖ ସାମିଲ ଅଛନ୍ତି। ଟିମ୍‌ର ସଦସ୍ୟମାନେ ଆଜି ସକାଳେ ବାଲିଆପାଳ ଥାନାରେ ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଭେଟିବା ସହ ଘଟଣା ବିଷୟରେ ପଚରାଉଚରା କରିଥିଲେ। ଏହାଛଡ଼ା ଥାନାରେ ଉପସ୍ଥିତ ଥିବା ବସ୍ତା ଏସ୍‌ଡିପିଓ ରଣଜିତ କୁମାର ପୃଷ୍ଟିଙ୍କ ସହ ମଧ୍ୟ ଏନେଇ ଆଲୋଚନା କରିଥିଲେ। ପରେ ଟିମ୍‌ ରାଜଧାନୀ ଢାବାକୁ ଯାଇ ସ୍ଥିତି ପରଖିବା ସହ ସ୍ଥାନୀୟ କିଛି ଲୋକଙ୍କୁ ପଚରାଉଚରା କରିଥିଲେ। ଅପରାହ୍ଣରେ ଏଚ୍‌ଆରପିସି ଟିମ୍‌ ମୃତ ନାବାଳକ ବିଜୟଙ୍କ ଗାଁ ଭୋଗରାଇ ବ୍ଲକ୍‌ ଉଲୁଡ଼ାକୁ ମଧ୍ୟ ଯାଇଥିଲା। ସେଠାରେ ଟିମ୍‌ ସଦସ୍ୟମାନେ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ସେହିପରି ସେଠାରୁ ଫେରି ଅଟକ ଥିବା ଦୁଇଜଣ ଢାବା କର୍ମଚାରୀଙ୍କ ବୟାନ ନିଆଯାଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ‌େଯ ବାଲିଆପାଳ ଇଡ୍‌କୋ ଛକ ସ୍ଥିତ ରାଜଧାନୀ ଢାବାରେ ନାବାଳକ କର୍ମଚାରୀ କମର୍ଦ୍ଦା ଥାନା ଉଲୁଡ଼ା ଗ୍ରାମ ଦେବେନ୍ଦ୍ର ଦଳାଇଙ୍କ ପୁଅ ବିଜୟ (୧୬)ଙ୍କ ମୃତ୍ୟୁ ଘଟଣାକୁ ନେଇ ଗତ ୨୬ ତାରିଖ ଦିନ ତୁମୁଳକାଣ୍ଡ ହୋଇଥିଲା। ଏହା ଆତ୍ମହତ୍ୟା ନୁହେଁ, ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ଲୋକେ ଢାବା ଭଙ୍ଗାରୁଜା କରିବା ସହ ରାସ୍ତାରୋକ କରିଥିଲେ। ଏମିତି କି ଘଟଣାକୁ ଗୁରୁତ୍ବର ସହ ନନେବାରୁ ବାଲିଆପାଳ ଥାନା ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ଲୋକେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏହି ଘଟଣାରେ ମୃତ ନାବାଳକଙ୍କ ମା’ ଶାନ୍ତିଲତାଙ୍କ ଅଭିଯୋଗ କ୍ରମେ ବାଲିଆପାଳ ଥାନାରେ ୧୪୭/୧୯ରେ ଢାବା ମାଲିକ ସାହାବୁଦ୍ଦିନ ସାହା ଏବଂ ଅନ୍ୟ ସମସ୍ତ କର୍ମଚାରୀଙ୍କ ନାମରେ ମାମାଲା ରୁଜୁ ହୋଇଛି। ସେହିପରି ଆଇଆଇସିଙ୍କୁ ଆକ୍ରମଣ ଘଟଣାରେ ପୁଲିସ ପକ୍ଷରୁ ମଧ୍ୟ ୧୪୮/୧୯ରେ ଅନ୍ୟ ଏକ ମାମାଲା ରୁଜୁ ହୋଇଥିବା ଜଣାପଡ଼ିଛି। ଗତକାଲି ବ୍ୟବଚ୍ଛେଦ ପରେ ଗାଁକୁ ମୃତଦେହ ନେଇ ଯାଇଥିବା ଆମ୍ବୁଲାନ୍ସ ଓ ପୁଲିସ କର୍ମୀଙ୍କୁ ଅଟକ ରଖି ନ୍ୟାୟ ଦାବିରେ ଗ୍ରାମବାସୀ ତଥା ମୃତକଙ୍କ ପରିବାର ଓ ସମ୍ପର୍କୀୟ ରାସ୍ତା ଅବରୋଧ କରିଥିଲେ। ଅନ୍ୟପକ୍ଷରେ ଉକ୍ତ ଘଟଣାରେ ବାଲିଆପାଳ ଥାନା ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କ ବାଲେଶ୍ବର ଏସ୍‌ପି କାର୍ଯ୍ୟାଳୟକୁ ବଦଳି ହୋଇଥିବା ବେଳେ ତାଙ୍କ ବଦଳରେ ରେମୁଣା ଆଇଆଇସି ରଣଜିତ ସାହୁଙ୍କୁ ଥାନା ଦାୟିତ୍ବ ଦିଆଯାଇଛି।

ଅନ୍ୟପଟେ ଅଶାନ୍ତ ହୋଇଉଠିଥିବା ବାଲିଆପାଳରେ ଏବେ ବି ଉତ୍ତେଜନା ଲାଗି ରହିଛି। ଫଳରେ ଆଇନ ଶୃଂଖଳା ଦୃଷ୍ଟିରୁ ଆଜିି ମଧ୍ୟ ଏକାଧିକ ଜାଗାରେ ପୁଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର