ଡକ୍ଟର ହୃଷୀକେଶ ପଣ୍ଡାଙ୍କ ପରଲୋକ

କଟକ : ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ସାରସ୍ୱତ ସାଧକ ତଥା କଟକ ଆକାଶବାଣୀ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ହୃଷୀକେଶ ପଣ୍ଡା ଆଉ ନାହାନ୍ତି। ରବିବାର ସକାଳେ କଟକର ଏକ ଘରୋଇ ହସ୍‌ପିଟାଲରେ ତାଙ୍କର ପରଲୋକ ହୋଇଛି। ମୁତ୍ୟୁ ବେଳେକୁ ତାଙ୍କୁ ୬୪ବର୍ଷ ବୟସ ହୋଇଥିଲା। ସେ କିଛି ବର୍ଷ ହେବ କିଡ୍‌ନୀ ରୋଗରେ ଆକ୍ରାନ୍ତ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ମାଳତୀ ପଣ୍ଡା, ଝିଅ ଲୁସି, ଲିନା, କୁନିଙ୍କ ସମେତ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସିଡିଏସ୍ଥିତ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିିଥିଲେ।

୧୯୫୩ ମସିହା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଅନ୍ତର୍ଗତ ପଶ୍ଚିମବାଡ଼ ଗ୍ରାମରେ ସ୍ୱର୍ଗତ ପଣ୍ଡା ଜନ୍ମଗ୍ରହଣ କରିଥିଲେ। ଫକୀର ମୋହନ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ ପରେ ଶାନ୍ତି ନିକେତନରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଏହା ସହିତ ‘ରବୀନ୍ଦ୍ର ସମକାଳୀନ ଓଡ଼ିଆ କବିତା’ ଉପରେ ସେ ଗବେଷଣା କରି ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ। କିଛି ବର୍ଷ ଅଧ୍ୟାପନା ପରେ ଡକ୍ଟର ପଣ୍ଡା ୧୯୮୧ରେ ଭାରତୀୟ ବେତାର ପ୍ରସାରଣ ସେବାରେ ଯୋଗଦେଇଥିଲେ। ଦୀର୍ଘ ବର୍ଷ ଆକାଶବାଣୀର ବିଭିନ୍ନ କେନ୍ଦ୍ରରେ କାର୍ଯ୍ୟ କରିବା ସହିତ କଟକ ଆକାଶବାଣୀ କେନ୍ଦ୍ରର ନିର୍ଦ୍ଦେଶକ ପଦ ମଣ୍ଡନ କରିଥିଲେ। ଡକ୍ଟର ପଣ୍ଡା ଦୀର୍ଘ ୪ ଦଶନ୍ଧି ଧରି ସାହିତ୍ୟର ବିିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ୪୦ରୁ ଅଧିକ ପୁସ୍ତକ ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି।

ତାଙ୍କ ରଚିତ ପୁସ୍ତକ ମଧ୍ୟରେ ‘ତିନୋଟି ନିଃଶ୍ୱାସର ପୃଥିବୀ’, ‘ଅନ୍ତରଙ୍ଗ ସକାଳ’, ‘ପ୍ରତୀୟର ପ୍ରତିଶ୍ରୁତି’, ‘ଦେହର ନଉକା ଓ ରକ୍ତର ଗଙ୍ଗା’, ‘ଝରକା ନଥିବା ଘର ଓ ଜହ୍ନରାତି’, ‘ଅଜଣା ସଂପର୍କର ଋତୁ’ ଆଦି ଅଜସ୍ର ପାଠକୀୟ ଶ୍ରଦ୍ଧା ଓ ସ୍ୱୀକୃତି ଲାଭ କରିଛି। ଏହା ବ୍ୟତୀତ ସେ ଅନେକ ଗୀତିକବିତା ମଧ୍ୟ ରଚନା କରିଛନ୍ତି। ସ୍ୱର୍ଗତ ପଣ୍ଡା ୧୦ଥର ଜାତୀୟସ୍ତରରେ ପୁରସ୍କାର ଲାଭ କରିଥିବା ବେଳେ ୨୦୦୦ରେ ଇଣ୍ଡୋନେସିଆରେ, ୨୦୧୦ରେ ଜାପାନ ଦେଶର ଟୋକିଓରେ ଆନ୍ତର୍ଜାତିକ ପୁରସ୍କାର ପାଇଥିଲେ। ସେ କେତେକ ଚଳଚ୍ଚିତ୍ରରେ ସଂଳାପ ଲେଖିବା ସହିତ ଅନେକ ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ପ୍ରସ୍ତୁତ କରିଥିଲେ। ଆଜି ବିଳମ୍ବିତ ରାତିରେ ସତୀଚଉରାସ୍ଥିତ ଶ୍ମଶାନରେ ସ୍ୱର୍ଗତ ପଣ୍ଡାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ବଡ଼ ଝିଅ ଲୁସି ମୁଖାଗ୍ନି ଦେଇଥିଲେ। ତାଙ୍କ ପରଲୋକରେ କେନ୍ଦ୍ର ସାହିତ୍ୟ ଅକାଡେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଡକ୍ଟର ଗୌରହରି ଦାସ ଓ ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ବିଜୟାନନ୍ଦ ସିଂହ ଗଭୀର ଶୋକପ୍ରକାଶ କରିବା ସହିତ ଓଡ଼ିଆ ସାହିତ୍ୟ ଜଗତ ଜଣେ ଉଜ୍ଜଳ ତାରକାଙ୍କୁ ହରାଇଛି ବୋଲି ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର