ବିଜେଡି ଛାଡ଼ିବେ ହୃଷୀକେଶ ନାଏକ

କେନ୍ଦୁଝର : ପାଟଣାର ପୂର୍ବତନ ବିଧାୟକ ହୃଷୀକେଶ ନାଏକ ବିଜେଡି ଛାଡ଼ିବେ। ଆସନ୍ତା ୨୬ ତାରିଖରେ ସେ ବିଜେପିର ରାଷ୍ଟ୍ରୀୟ ଚେହେରା ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଦ୍ରକ ଗସ୍ତ ବେଳେ ବିଜେପିରେ ମିଶିବା ନେଇ ଆଲୋଚନା ହେଉଛି।

ସୂଚନା ଅନୁସାରେ, ଶ୍ରୀ ନାୟକ ୧୯୮୦ ମସିହା ଲୋକଦଳ ଟିକେଟରୁ ପାଟଣା ନିର୍ବାଚନ ମଣ୍ଡଳରୁ ପ୍ରଥମେ ବିଧାୟକ ହେବାର ସୁଯୋଗ ପାଇଥିଲେ। ପରେ ୧୯୮୨ ମସିହାରେ ବିଧାୟକ ଥିବା ଅବସ୍ଥାରେ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୮୫ ମସିହାରେ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇ ୧୯୯୫ ମସିହାରେ ପୁନର୍ବାର କଂଗ୍ରେସ ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ ମସିହାରେ କଂଗ୍ରେସ ଟିକେଟ ନ ପାଇବା ପରେ ସ୍ବାଧୀନ ଭାବେ ବିଧାୟକ ପ୍ରାର୍ଥୀ ହୋଇଥିଲେ‌ ହେଁ ପରାଜିତ ହୋଇଥିଲେ। ୨୦୦୬ ମସିହାରେ ବିଧିବଦ୍ଧଭାବେ ବିଜୁ ଜନତା ଜଳରେ ଯୋଗଦେଇ ୨୦୦୯ ଏବଂ ୨୦୧୪ ମସିହାରେ ଦୁଇ ଦୁଇଥର ବିଜେଡି ବିଧାୟକ ଭାବେ ବିଜୟୀ ହୋଇଥିଲେ। ୨୦୧୯ ମସିହାରେ ବିଜେଡି ତାଙ୍କୁ ଟିକଟ ନ ଦେଇ ଜଗନ୍ନାଥ ନାଏକଙ୍କ ଉପରେ ଆସ୍ଥା ପ୍ରକଟ କରିବା ସହିତ ତାଙ୍କୁ ଟିକଟ ‌ଦେଇଥିଲା। ସେବେଠୁ ସେ ଅସନ୍ତୁଷ୍ଟ ଥିଲେ। ଏବେ ସେ ଅମିତ ଶାହଙ୍କ କାର୍ଯ୍ୟକ୍ରମରେ ସେ ବିଜେପିରେ ମିଶିବା ନେଇ କେନ୍ଦୁଝର ଜିଲ୍ଲାରେ ଜୋରଦାର ଚର୍ଚ୍ଚା ଚାଲିଛି।

ଏଥିନେଇ ପୂର୍ବତନ ବିଧାୟକ ହୃଷୀକେଶ ନାଏକଙ୍କୁ ପଚାରିବାରୁ ‌ସେ କହିଥିଲେ, ସେ ବିଜେଡିରେ ଆଦୌ ଖୁସି ନାହାନ୍ତି। ‌ଗତ ନିର୍ବାଚନରେ ତାଙ୍କୁ ଦଳ ସାଂସଦ ଟିକଟ ଦେବାପାଇଁ ପ୍ରତିଶ୍ରୁତି ଦେଇ ପ୍ରତାରିତ କରିଥିଲା। ସ୍ବାଭାବିକ ଭାବେ ସେ ଅସନ୍ତୋଷ ଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର