ଆରମ୍ଭ ହେଲା ମାଟ୍ରିକ୍‌ ପରୀକ୍ଷା

ଭୁବନେଶ୍ୱର: ଆଜି ରାଜ୍ୟର ୨୮୧୮ ପରୀକ୍ଷା କେନ୍ଦ୍ରରେ ୬ଲକ୍ଷ ୮ ହଜାର ୫୩ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ସକାଳ ୯ଟାରୁ ଆରମ୍ଭ ହେଉଥିବା ଏହି ପରୀକ୍ଷା ପାଇଁ ସକାଳ ସାଢ଼େ ୮ଟା ସୁଦ୍ଧା ପରୀକ୍ଷାର୍ଥୀମାନେ ଆସି ବିଭିନ୍ନ ପରୀକ୍ଷାକେନ୍ଦ୍ର ନିକଟରେ ପହଞ୍ଚିଛନ୍ତି। ସେଠାରେ ଛାତ୍ରଛାତ୍ରୀମାନଙ୍କୁ ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ର ଭିତରକୁ ଛଡ଼ାଯାଇଛି। ପରୀକ୍ଷାଗୁଡ଼ିକୁ ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଅନୁଗୁଳ ଠାରେ ପରୀକ୍ଷାର୍ଥୀଙ୍କୁ ଯାଞ୍ଚ କରାଯାଉଛି।

ଏହି ପରୀକ୍ଷା ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ ପରୀକ୍ଷାରେ କପି ରୋକିବା ପାଇଁ ଏହି ସ୍କ୍ଵାଡରେ ୯୫ ଅଧ୍ୟାପକଙ୍କୁ ସାମିଲ କରାଯାଇଛି। ଅନ୍ୟପକ୍ଷରେ ପରୀକ୍ଷା ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ବିଭିନ୍ନ ଜୋନରେ ୩୭ଟି ସ୍କ୍ଵାଡ ଗଠନ କରାଯାଇଛି। ଏହାବ୍ୟତୀତ ଜୋନାଲ୍‌ ସ୍କ୍ଵାଡ୍‌ ମଧ୍ୟ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଯାଞ୍ଚ କରିବେ। ବିଭିନ୍ନ ସ୍କ୍ଵାଡ ମଧ୍ୟରେ ସମନ୍ଵୟ ରକ୍ଷା କରିବାକୁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ ପ୍ରକୋଷ୍ଠ ରହିଛି।ପରୀକ୍ଷା କେନ୍ଦ୍ରରେ ତଥା ସବୁ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଶିକ୍ଷକମାନେ କୌଣସି ଅନିୟମିତତା କିମ୍ବା ଅସଦ୍‌ ଉପାୟ ଅବଲମ୍ବନ ନେଇ ସୂଚନା ପାଇଲେ ସେମାନେ ତୁରନ୍ତ କଣ୍ଟ୍ରୋଲ ରୁମକୁ ଅବଗତ କରାଇବାକୁ କୁହାଯାଇଛି।

ବାଲେଶ୍ୱର ଠାରେ ପରୀକ୍ଷା କେନ୍ଦ୍ର ଭିତରେ ପ୍ରଶ୍ନପତ୍ରକୁ ପରୀକ୍ଷାର୍ଥୀଙ୍କ ଅପେକ୍ଷା।

ସୂଚନା ଅନୁଯାୟୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୬ଲକ୍ଷ ୮ ହଜାର ୫୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେଥିମଧ୍ୟରୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ୫ ଲକ୍ଷ ୯୦ ହଜାର ୩୬୦ ପରୀକ୍ଷାର୍ଥୀ, ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ୧୩ ହଜାର ୯୭୮ ଏବଂ ମଧ୍ୟମା ପାଇଁ ୩୭୧୫ ଜଣ ପରୀକ୍ଷାର୍ଥୀ ନାମ ପଞ୍ଜିକରଣ କରିଛନ୍ତି। ସେହିପରି ହାଇସ୍କୁଲ ପାଇଁ ୨୮୧୮ଟି ସେଣ୍ଟର କରାଯାଇଥିବା ବେଳେ ରାଜ୍ୟ ମୁକ୍ତ ସ୍କୁଲ ପରୀକ୍ଷା ପାଇଁ ୧୦୧ ଏବଂ ମଧ୍ୟମା ପାଇଁ ୪୭ ସେଣ୍ଟର କରାଯାଇଛି । ସେହିପର ଜେଲରେ ରହୁଥିବା ୧୩ ଜଣ କଏଦୀ ମାନଙ୍କ ପାଇଁ ୨ଟି ସବ୍‌ ସେଣ୍ଟର ଖୋଲାଯାଇଛି। ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ୫୭ଟି କେନ୍ଦ୍ର ସ୍ଥିର କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର