ଭୁବନେଶ୍ୱର: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ ପାଇଁ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ କ୍ରାଇମ୍ବ୍ରାଞ୍ଚକୁ ଚିଠି ଲେଖିଥିବା ଜଣାପଡ଼ିଛି। ପ୍ରଥମ ସିଟିଂ ପ୍ରଶ୍ନପତ୍ର ଲିକ୍ ପରେ ଓଟିଇଟି ପରୀକ୍ଷା ବାତିଲ କରାଯାଇଥିଲା। ମାଧ୍ୟମିକ ଶିକ୍ଷା ବୋର୍ଡର ସଂପାଦକ ରାମାଶିଷ ହାଜରାଙ୍କ ସୂଚନା ଅନୁସାରେ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖାଯାଇଛି।
ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସରକାରୀ ବାସଭବନ ଆଗରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭିଡ ଓ ହିଂସାକୁ ଦୃଷ୍ଟିରେ ପୁଲିସ ହସ୍ତକ୍ଷେପ କରିବା ପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏହି ଘଟଣାରେ ପୁଲିସ ଏବିଭିପିର ୨୦ ଜଣ କର୍ମୀଙ୍କୁ ଅଟକ ରଖିଛି।
ସୂଚନାଯୋଗ୍ୟ ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ(ଓ ଟି ଇ ଟି) ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ପରିପ୍ରେକ୍ଷୀରେ କର୍ତ୍ତୃପକ୍ଷ ଆଜି ହେବାକୁ ଥିବା ଓ ହୋଇଥିିବା ପରୀକ୍ଷାକୁ ବାତିଲ କରି ଦେଇଛନ୍ତି। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆସିବା ପରେ ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଥିଲା। ପରୀକ୍ଷା ବାତିଲ ହେବା ଫଳରେ ସେମାନେ ଅଧିକ ଭାଙ୍ଗି ପଡ଼ିଛନ୍ତି।
ଆଜି ଦୁଇଟି ସିଟିଂରେ ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ ପରୀକ୍ଷା ହେଉଛି। ପ୍ରଥମ ସିଟିଂ ସକାଳ ସାଢ଼େ ୧୦ଟାରୁ ଆରମ୍ଭ ହୋଇଛି ଓ ଏହା ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ନ ୨ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ହେବ। ଏଥର ଦୁଇଟି ସିଟିଂରେ ୧ ଲକ୍ଷ ୧୨ ହଜାର ପିଲା ଓଟିଇଟି ପରୀକ୍ଷା ଦେଉଛନ୍ତିି। ତେବେ ଆଜି ସକାଳୁ ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟର ପ୍ରଶ୍ନପତ୍ର ଲିକ୍ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଚର୍ଚ୍ଚାହେଉଥିବା ବେଳେ ପ୍ରଶ୍ନ ପତ୍ରର ସେଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାଯାଇଛି।