ଏଚ୍‌ଏସ୍‌ସିଏଲ୍‌ ହାତକୁ ଗଲା ବିର୍ଲା ଟାୟାର୍ସର ମାଲିକାନା

ଚାକିରି ହରାଇଥିବା ହଜାର ହଜାର କର୍ମଚାରୀଙ୍କ ପାଇଁ ବଡ଼ ଆଶା

ବାଲେଶ୍ବର: ଦୀର୍ଘଦିନର ଅପେକ୍ଷା ପରେ ବାଲେଶ୍ୱରରେ ଅବସ୍ଥିତ ବହୁ ପୁରାତନ ଶିଳ୍ପସଂସ୍ଥା ବିର୍ଲା ଟାୟାର୍ସର ନୂଆ ମାଲିକାନା ଏଚ୍‌ଏସ୍‌ସିଏଲ୍‌(ହିମାଦ୍ରୀ ସ୍ପେଶାଲିଟି କେମିକାଲ୍ସ ଲିମିଟେଡ୍‌) ହାତକୁ ଯାଇଛି। ଏନ୍‌ସିଏଲଟି ନିର୍ଦ୍ଦେଶରେ ଆଜି ପୂର୍ବାହ୍ନରେ ବିର୍ଲା ଟାୟାର୍ସ ପରିସରରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ବାଲେଶ୍ବର ଏସ୍‌ପି ସାଗରିକା ନାଥଙ୍କ ଉପସ୍ଥିତିରେ ଏନ୍‌ସିଏଲ୍‌ଟି କୋଲକାତା ବେଞ୍ଚ୍‌ର ରିଜୋଲ୍ୟୁସନ ​ପ୍ରଫେସନାଲ୍‌ଙ୍କ ଠାରୁ ବିର୍ଲାର ସମସ୍ତ କାଗଜାତର ହସ୍ତାନ୍ତର ପ୍ରକ୍ରିୟା ଶେଷ ହୋଇଥିବା ସୂଚନା ମିଳିଛି।

୨୦୧୯ ମସିହା ଠାରୁ ବିର୍ଲା ଟାୟାର୍ସରେ ତାଲା ଝୁଲୁଥିବା ବେଳେ ବିଭିନ୍ନ ବ୍ୟାଙ୍କରେ କମ୍ପାନିର ପାଖାପାଖି ୧୧୨୮ କୋଟି ଟଙ୍କାର ଋଣ ବୋଝ, ପରିଚାଳନାଗତ ତଥା ଆର୍ଥିକ ଦୁରବସ୍ଥା ଓ ଦେବାଳିଆ କାରଣରୁ କାରଖାନା ଆଉ ଚଳାଇବା ସ୍ଥିତିରେ ନ ଥିବା ଦର୍ଶାଇ କମ୍ପାନି ପରିଚାଳନା ବୋର୍ଡ ଜାତୀୟ କମ୍ପାନି ଆଇନ ପ୍ରାଧିକରଣ(ଏନ୍‌ସିଏଲ୍‌ଟି) କୋଲକତା ବେଞ୍ଚ୍‌ରେ ଆବେଦନ କରିଥିଲେ। କମ୍ପାନିର ଏହି ଆବେଦନକୁ ବିଚାର କରି ଏନ୍‌ସିଏଲ୍‌ଟି ‘ଶିଳ୍ପାନୁଷ୍ଠାନ ଦେବାଳିଆ ପ୍ରସ୍ତାବ ପ୍ରକ୍ରିୟା(ସିଆଇଆରପି)ରେ ଏହାକୁ ଅନୁମୋଦନ କରିଥିଲେ। ଏହାପରେ ବିର୍ଲା ଅଧିଗ୍ରହଣ ଦୌଡ଼ରେ ଦେଶର ଏକାଧିକ କମ୍ପାନି ଆଗ୍ରହ ଦେଖାଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ସିଏଟ୍, ଇଣ୍ଡିଆ ରିସର୍ଜେଣ୍ଟ ଫଣ୍ଡ୍‌, ଜିନ୍ଦଲ୍‌ ଷ୍ଟିଲ୍‌ ଆଣ୍ଡ୍‌ ପାୱାର, ଡାଲମିଆ ଭାରତ ରିଫ୍ରାକ୍ଟରିଜ୍, ଏମ୍‌ସିପିଆଇ, ଜିନ୍ଦଲ୍‌ ପଲି ଫିଲ୍ମସ, ଫାଲ୍‌କନ୍ ମେରାଇନ୍, ହିମାଦ୍ରୀ ସ୍ପେଶାଲିଟି କେମିକାଲ୍‌ସ ଲିମିଟେଡ୍‌, ୟୁନାଇଟେଡ୍‌ ବାୟୋଟେକ୍, ଓଡ଼ିଶା ମେଟାଲିକ୍ସ ଓ ଡିଡି ଷ୍ଟିଲ୍ ଆଣ୍ଡ୍‌ ପାୱାର ଭଳି ସଂସ୍ଥା। ତେବେ ବିର୍ଲା ଟାୟାର୍ସକୁ ଋଣଦାତା ବ୍ୟାଙ୍କମାନଙ୍କୁ ୩୮୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଋଣ ପରିଶୋଧ କରି ହିମାଦ୍ରୀ ସ୍ପେଶାଲିଟି କେମିକାଲ୍ସ ଲିମିଟେଡ୍‌ ବିର୍ଲା ଟାୟାର୍ସର ମାଲିକାନା ଗ୍ରହଣ କରିଛି ଏବଂ କମ୍ପାନିକୁ ହାତକୁ ନେବା ପରେ ବିର୍ଲା ଟାୟାର୍ସର କର୍ମଚାରୀଙ୍କୁ ସେମାନଙ୍କର ବକେୟା ଦରମା ହିମାଦ୍ରୀ କେମିକାଲ୍ସ ପଇଠ କରିଥିବା ଜଣାଯାଇଛି। ଏହାପରେ ହିମାଦ୍ରୀ ସ୍ପେଶାଲିଟି କେମିକାଲ୍ସ ଲିମିଟେଡ୍‌ର ଟେକ୍ନିକାଲ ଟିମ୍‌ ବନ୍ଦ ପଡ଼ିଥିଲା ବିର୍ଲା ଟାୟାର୍ସକୁ ଅନୁଧ୍ୟାନ କରିବା ପାଇଁ ବାଲେଶ୍ବର ଆସିବେ। ତେବେ ପର୍ଯ୍ୟାୟ କ୍ରମେ କମ୍ପାନି ଚାଲୁ ହେବ ବୋଲି ଜିଲ୍ଲାପାଳ ଶ୍ରୀ ଶିନ୍ଦେ ସୂଚନା ଦେଇଛନ୍ତି। ସେହିପରି କମ୍ପାନି ଚାଲୁ ହେବା ପରେ ଚାକିରି ହରାଇଥିବା କର୍ମଚାରୀଙ୍କୁ ପୁନଃନିଯୁକ୍ତି ମିଳିବା ନେଇ ମଧ୍ୟ ମନ୍ତ୍ରୀ ପ୍ରତାପ ଦେବ ସୂଚନା ଦେଇଛନ୍ତି। ଏନେଇ ମାଲିକାନା ହସ୍ତାନ୍ତର ପୂର୍ବରୁ ହିମାଦ୍ରୀ ସ୍ପେଶାଲିଟି କେମିକାଲ୍ସ ଲିମିଟେଡ୍‌ ଏନ୍‌ସିଏଲ୍‌ଟି ନିକଟରେ ସର୍ତ୍ତ ରଖିଥିବା ବେଳେ ବାଲେଶ୍ବର ତଥା ଉତ୍ତର ଓଡ଼ିଶାବାସୀଙ୍କ ପାଇଁ ଏହା ଏକ ଐତିହାସିକ ଦିନ ବୋଲି ଶ୍ରୀ ଦେବ କହିଛନ୍ତି।

ଦୀର୍ଘଦିନ ଧରି ବନ୍ଦ ପଡ଼ିଥିବା ବିର୍ଲା ଟାୟାର୍ସକୁ କିଣିବା ପାଇଁ ଉପରୋକ୍ତ କଂପାନିଗୁଡ଼ିକ ଅଧିକ ଆଗ୍ରହ ଦେଖାଇବା ପଛର କାରଣ ଏହା ଥିଲା ଯେ, କମ୍ପାନି ଅଧୀନରେ ଥିବା ୧୮୧ ଏକର ଫ୍ରି ହୋଲ୍‌ଡ ମୂଲ୍ୟବାନ୍ ଜମି, ବିଶାଳ କାରଖାନା ଓ ଆବଶ୍ୟକ ଶିଳ୍ପ ଭିତ୍ତିଭୂମି। ଏମିତିରେ ଦେଶରେ ବର୍ତ୍ତମାନ ଟାୟାରର ଚାହିଦା ଅଧିକ ରହିଥିବା ବେଳେ ବିର୍ଲା ଟାୟାର୍ସ ଦୁଇଚକିଆ ଓ ସମସ୍ତ ବାଣିଜ୍ୟିକ ଯାନ ନିମନ୍ତେ ଏଠାରୁ ଟାୟାର ଉତ୍ପାଦନ କରୁଥିଲା। ୮୦ ଦଶକରେ କେରୋସମ୍ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ବାଲେଶ୍ବରରେ ପ୍ରତିଷ୍ଠିତ ବିର୍ଲା ଟାୟାର୍ସ ମାର୍କେଟ୍‌ରେ ନିଜର ସ୍ବତନ୍ତ୍ର ବ୍ରାଣ୍ଡ ସୃଷ୍ଟି କରିଥିଲା। ପରବର୍ତ୍ତୀ ସମୟରେ ପରିଚାଳନାଗତ ବିଭ୍ରାଟ ଯୋଗୁଁ ଏହି ଶିଳ୍ପସଂସ୍ଥା ରୁଗ୍‌ଣ ହୋଇ ଯାଇଥିବା ବେଳେ ୨୦୧୯ ମସିହା ଠାରୁ କାରଖାନାରୁ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ​

ସମ୍ବନ୍ଧିତ ଖବର