ଏଣିକି ପୁରୁଣା ଗାଡ଼ିରେ ବି ଲାଗିବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍; ଜାଣନ୍ତୁ କେଉଁଠି, କେମିତି ଓ କେବେ ଲଗାଇବେ ଓ ଖର୍ଚ୍ଚ ହେବ କେତେ

ଜୁନ୍ ପହିଲାରୁ ଆରମ୍ଭ ହେବ ପଞ୍ଜୀକରଣ

ଭୁବନେଶ୍ବର: ଆପଣଙ୍କର ଗାଡ଼ିରେ ପୁରୁଣା ନମ୍ବର ପ୍ଲେଟ ଲାଗିଛି କି? ଯଦି ହଁ, ତା’ହେଲେ ନୂଆ ନମ୍ବର ପ୍ଲେଟ ଲଗାଇବାକୁ ପଡ଼ିବ। ସରକାରଙ୍କ ପରିବହନ ବିଭାଗର ନିୟମ ଅନୁସାରେ ଯଦି ଆପଣଙ୍କର ଗାଡ଼ି ୨୦୧୯ ମସିହା ପୂର୍ବରୁ ପଞ୍ଜୀକରଣ ହୋଇଛି ତା’ହେଲେ ପୁରୁଣା ନମ୍ବର ପ୍ଳେଟ୍ ବଦଳରେ ‘ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚଏସଆରପି)’ ଲଗାଇବାକୁ ହେବ। ସମୟ ପୂର୍ବରୁ ଯଦି ଏହି କାମ ନ କରୁଛନ୍ତି, ତାହେଲେ ଟ୍ରାଫିକ୍‌ ପୁଲିସ ଅଥବା ସିସିଟିଭି କ୍ୟାମେରାରେ ଧରାପଡ଼ିଗଲେ ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବେ।

ଏଚ୍‌ଏସ୍‌ଆରପି ପାଇବା ପାଇଁ  ଜୁନ୍ ପହିଲାରୁ ବୁକିଂ ଆରମ୍ଭ ହେଉଛି । ଏଥି ଆଇ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମ୍ୟାନ୍ୟୁଫ୍ୟାକଚରର୍ (ସିଆମ୍) ପକ୍ଷରୁ ଏକ ୱେବ୍ ପୋର୍ଟାଲ (www.siam.in) ପ୍ରସ୍ତୁତ କରାଯାଇଛି, ଯେଉଁଥିରେ କି ଗାଡିର ମାଲିକ ନିଜ ଗାଡ଼ି ସଂପର୍କିତ ଆବଶ୍ୟକ ତଥ୍ୟ ଦେଇ ନିଜ ପସନ୍ଦ ଅନୁସାରେ ଏଚ୍‌ଏସ୍‌ଆରପି ନମ୍ବର ପ୍ଲେଟ୍ ଲଗାଇବା ପାଇଁ ଦିନ ଓ ସ୍ଥାନ ଧାର୍ଯ୍ୟ କରିପାରିବେ ।

ନିଜ ବାହନରେ ଏସ୍‌ଏଚଆରପି ଲଗାଇବା ପାଇଁ ମାଲିକ କିପରି ତାଙ୍କ ଗାଡି ନମ୍ବର ପ୍ଲେଟ୍ ପରିବର୍ତ୍ତନ ପାଇଁ ଆବେଦନ କରିବେ ସେନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ପକ୍ଷରୁ ପୂର୍ବରୁ ସ୍ପଷ୍ଟ ସୂଚନା ଦିଆଯାଇଛି। ଗାଡ଼ିର ମାଲିକ ସିଆମ୍ ପୋର୍ଟାଲକୁ ଯାଇ ‘ବୁକ୍ ମାଇଁ ଏଚଏସଆରପି’ରେ କ୍ଲିକ୍ କରିବେ । ଏହାପରେ ପୋର୍ଟାଲରେ ଗାଡି ସଂପର୍କିତ ସୂଚନା ଦେବେ। କେଉଁ କମ୍ପାନି ଗାଡି, ଇଞ୍ଜିନ୍ ନମ୍ବର ଓ ଚେସିସ୍ ନମ୍ବର ଲେଖିବାକୁ ପୋର୍ଟାଲ ପକ୍ଷରୁ କୁହାଯିବ।

ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ବାହାନ ପୋର୍ଟାଲରୁ ଗାଡି ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରି ଏହି ପୋର୍ଟାଲରେ ଯଦି ସବୁ ତଥ୍ୟ ଠିକ ଥାଏ ତେବେ କେଉଁ ଦିନ, କେଉଁ ସ୍ଥାନରେ ଗାଡି ନମ୍ବର ଲଗାଇବାକୁ ଚାହୁଁଛନ୍ତି ସେ ନେଇ ବିକଳ୍ପ ଆସିଯିବ । ଗାଡି ମାଲିକ ନିଜ ପସନ୍ଦ ଅନୁସାରେ ଜାଗା, ସ୍ଥାନ କ୍ଲିକ୍ କରିବା ପରେ ଏହି ନମ୍ବର ବଦଳାଇବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ। ଏହି ପୋର୍ଟାଲକୁ ଯିବା ପୂର୍ବରୁ ପ୍ରଥମେ ଗାଡି ନମ୍ବର ବଦଳାଇବା ପାଇଁ କେତେ ଟଙ୍କା ଧାର୍ଯ୍ୟ କରାଯାଇଛି ସେ ବାବଦରେ ଉଲ୍ଲେଖ କରାଯିବ ।

କେଉଁ ପ୍ରକାର ବାହନ ପାଇଁ କେତେ ଟଙ୍କା ଖର୍ଚ୍ଚ

-ଦୁଇ ଚକିଆ: ୩୨୦ ରୁ ୩୮୦ ଟଙ୍କା
-୩ ଚକିଆ: ୩୫୦ରୁ ୪୫୦ ଟଙ୍କା
-ଚାରି ଚକିଆ: ୫୯୦ରୁ ୭୦୦ ଟଙ୍କା
-ଭାରୀଯାନ: ୬୦୦ରୁ ୮୦୦ ଟଙ୍କା

ନିୟମ ଅନୁସାରେ ଗାଡିଗୁଡିକର ପଞ୍ଜୀକରଣ ନମ୍ବର ଅନୁସାରେ ଏଚଏସଆରପି  ଲଗାଇବାର ବିଭିନ୍ନ ସମୟ ସୀମା ଧାର୍ଯ୍ୟ କରାଯାଇଛି । ଧରନ୍ତୁ ଆପଣଙ୍କର ଗାଡ଼ିର ପଞ୍ଜୀକରଣର ଶେଷ ନମ୍ବର ୧ କିମ୍ବା ୨ ହୋଇଥାଏ, ତା’ହେଲେ ଅଗଷ୍ଟ ଶେଷ ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ଲଗାଇବା କାର୍ଯ୍ୟ ଶେଷ କରିବେ। ପଞ୍ଜୀକରଣ ଶେଷ ନମ୍ବର ୩ ଓ ୪ ହୋଇଥିଲେ ସେପ୍ଟେମ୍ବର ୩୦ ସୁଦ୍ଧା, ୫ ଓ ୬ ନମ୍ବର ଥିବା ଗାଡି ଅକ୍ଟୋବର ୩୧ ସୁଦ୍ଧା , ୭ ଓ ୮ ନମ୍ବର ଥିବା ଗାଡି ନଭେମ୍ବର ୩୦ ତାରିଖ ସୁଦ୍ଧା ଏବଂ ୯ ଓ ୦ରେ ଶେଷ ହୋଇଛି, ତାହା ଡିସେମ୍ବର ୩୧ ତାରିଖ ନୂଆ ପ୍ଲେଟ ଲଗାଇବାକୁ ପଡ଼ିବ।

ସମ୍ବନ୍ଧିତ ଖବର