ଅବକାରୀ ଚଢ଼ଉ, ବିପୁଳ ପରିମାଣରେ ମହୁଲ ପୋଚ ଓ ମଦ ନଷ୍ଟ

ଜୟପାଟଣା: ଜିଲ୍ଲା ଅବକାରୀ ସ୍ୱତନ୍ତ୍ର ସ୍କ୍ୱାଡକୁ ମଙ୍ଗଳବାର ବଡ଼ ସଫଳତା ମିଳିଛି। ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବିପୁଳ ପରିମାଣଷର ‌ମହୁଲ ପୋଚ ଓ ମଦ ନଷ୍ଟ କରାଯିବା ସହିତ ଜଣକୁ ଗିରଫ କରାଯାଇଛି। ତେବେ ମଦ ରାନ୍ଧୁଥିବା ଅନ୍ୟ ଅଭିଯୁକ୍ତ ଚମ୍ପଟ ମାରିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ୭୯୫୦ କେଜି ମହୁଲ ପୋଚ ଏବଂ ୫୩୫ ଲିଟର୍‌ ହାତରନ୍ଧା ମଦ ନଷ୍ଟ କରାଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ଅଁଳାଭଟା ପଞ୍ଚାୟତ ଟିଙ୍ଗପଖାନ ପାହାଡ଼ ଉପରେ ନବରଙ୍ଗପୁର ଜିଲ୍ଲା ସୀମାନ୍ତରେ ଥିବା ଡାବାଛୁଆଁ ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି ଚଢ଼ଉ କରାଯାଇଥିଲା। ସେହିପରି ଏକ ସ୍କୁଟି (ଓଡି-ଏମ ୩୮୧୭)ରେ ଏକ ଟ୍ୟୁବ୍‌ ଯୋଗେ ୩୦ ଲିଟର୍‌ ହାତରନ୍ଧା ମଦ ଆଣୁଥିବା ବେଳେ ସେହି ପଞ୍ଚାୟତର ଜଣେ ସମିତି ସଭ୍ୟ ଭୁବନେ ନାଏକଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ପରେ ଆଇପିସି ଧାରା ୪୧ରେ ଜାମିନ୍‌ରେ ଛାଡ଼ି ଦିଆଯାଇଛି। ଚଢ଼ଉରେ ଜିଲ୍ଲା ସ୍କ୍ବାଡ୍‌ର ଅବକାରୀ ନିରୀକ୍ଷକ ସୁଶାନ୍ତ ପ୍ରଧାନ, ଦିଲ୍ଲୀପ ରଥ, ଛବିଲାଲ ତାଣ୍ଡି, ବାଲେଶ୍ୱର ଢ଼ଙ୍ଗଡା ମାଝୀ, କୁଳମଣି ରାଉତ, ଖୁସିଦେବ କଣ୍ଟା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର