ଜାତୀୟ ଭଲିବଲ୍‌ ଖେଳାଳି ଲାସ୍ୟମୟୀଙ୍କୁ ବିପୁଳ ସମ୍ବର୍ଦ୍ଧନା

ଠାକୁରମୁଣ୍ଡା: ୧୮ ବର୍ଷରୁ କମ୍‌ ଭାରତୀୟ ଭଲିବଲ୍‌ ଟିମ୍‌ରେ ରାଜ୍ୟର ଏକମାତ୍ର ଖେଳାଳି ଭାବେ ସ୍ଥାନ ପାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍‌ ଖଣ୍ଡବନ୍ଧ ପଞ୍ଚାୟତ ବଡ଼ପୋଷି ଗ୍ରାମର ଲାସ୍ୟମୟୀ ମହାନ୍ତ। ସେ ନିକଟରେ ଥାଇଲାଣ୍ଡରୁ ମ୍ୟାଚ୍‌ ଖେଳି ଫେରିଛନ୍ତି। ଲାସ୍ୟମୟୀ ଘରକୁ ଆସିବା ଅବସରରେ ତାଙ୍କୁ ନିଜ ଗ୍ରାମରେ ଭରସା ପରିବାର ତଥା ଖଣ୍ଡବନ୍ଧ ପଞ୍ଚାୟତବାସୀଙ୍କ ପକ୍ଷରୁ ସମ୍ବର୍ଧନା ଦିଆଯାଇଛି।

ଭରସା ପରିବାର ସାଧାରଣ ସମ୍ପାଦକ ଶିବପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ବସନ୍ତ କୁମାର ପଇବର୍ତ୍ତୀ, ମୁଖ୍ୟବକ୍ତା ଭାବେ ସଂଗୀତକାର ପଦ୍ମଲୋଚନ ନନ୍ଦ, ସମ୍ମାନିତ ଅତିଥି ଭାବେ ଠାକୁରମୁଣ୍ଡା ପ୍ରେସ୍‌ କ୍ଲବ୍‌ ସଭାପତି ଶରତ ତ୍ରିପାଠୀ, ଖ୍ୟାତନାମା ବାଲୁକା ଶିଳ୍ପୀ ଦଶରଥ ମହାନ୍ତ, କ୍ରୀଡ଼ା ସଂଗଠକ ପ୍ରକାଶ ନାୟକ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଆନିସ ମାନ୍ନା ଯୋଗ ଦେଇ ଲାସ୍ୟମୟୀଙ୍କ ଦକ୍ଷତାର ପ୍ରଶଂସା କରିଥିଲେ ଏବଂ ଲାସ୍ୟମୟୀଙ୍କ ସହ ଉପସ୍ଥିତ ଥିବା ତାଙ୍କ କୋଚ୍‌ ସୁଷମା ନନ୍ଦଙ୍କୁ ସମ୍ବର୍ଧିତ କରିଥିଲେ।

ଏହି ଅବସରରେ ସୁଷମା ନନ୍ଦ ଖୁବ୍‌ ଖୁସିଥିବା କହିବା ସହ ଓଡ଼ିଶା ସରକାରଙ୍କ ସହ ଓଡ଼ିଶା ଓ ଜାତୀୟ ଭଲିବଲ୍‌ ଆସୋସିଏସନ୍‌କୁ କୃତଜ୍ଞତା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖଣ୍ଡବନ୍ଧ ସରପଞ୍ଚ ରମଣୀ ଦେହୁରୀ, ପୂର୍ବତନ ସରପଞ୍ଚ ଧର୍ମପଦ ନାଏକ, ପଡ଼ିଆବେଡ଼ା ସରପଞ୍ଚ ଧର୍ମାନନ୍ଦ ନାଏକ, ସମାଜସେବୀ ବସନ୍ତ କୁମାର ପଇବର୍ତ୍ତୀଙ୍କ ସହ ଭରସା ପରିବାରର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଲାସ୍ୟମୟୀ ଗାଁ’ରେ ପହଞ୍ଚିବା ପରେ ତାଙ୍କୁ ନାଚ, ଗୀତ ଓ ପାରମ୍ପରିକ ବାଦ୍ୟରେ ସ୍ବାଗତ କରାଯାଇଥିଲା।

ସମ୍ବନ୍ଧିତ ଖବର