ପୁରୀ : ପୁରୀକୁ ଛୁଟୁଛି ଭକ୍ତଙ୍କ ସୁଅ। ସିଂହଦ୍ବାରରୁ ଶ୍ରୀମନ୍ଦିର, ବଡ଼ଦାଣ୍ଡରୁ ବେଳାଭୂମି ସବୁଠି ପର୍ଯ୍ୟଟକ, ଶ୍ରଦ୍ଧାଳୁଙ୍କ ଭିଡ଼। କାର୍ତ୍ତିକ ମାସ ସରିଆସୁଥିବା ବେଳେ ଆଜି ଥିଲା ରବିବାର। ତେଣୁ ଯେମିତି ଜନସମୁଦ୍ର ମାଡ଼ି ଆସିଥିଲା ଶ୍ରୀକ୍ଷେତ୍ର ଅଭିମୁଖେ। ଏହିଭଳି ଭକ୍ତଙ୍କ ଭିଡ଼ରେ ରବିବାର ଦିନ ଜାମ୍ ହୋଇଯାଇଥିଲା ସମଗ୍ର ସହର। ପାର୍କଂସ୍ଥଳରେ ଗାଡ଼ି ରଖିବାକୁ ସ୍ଥାନ ଅଭାବ ଦେଖାଦେବାରୁ ଯିଏ ଯେଉଁଠି ପାରିଲା ସେଠି ଗାଡ଼ି ପାର୍କିଂ କରିଥିଲା। ଫଳରେ କେବଳ ବଡ଼ଦାଣ୍ଡ ନୁହେଁ ଶ୍ରୀମନ୍ଦିର ସଂଲଗ୍ନ ଗଳିକନ୍ଦିରେ ବି ଯାତାୟାତ କରିବା କାଠିକର ହୋଇପଡ଼ିଥିଲା। ବଡ଼ଦାଣ୍ଡରେ ଭିଡ଼ ଏତେ ଯେ ବାଇକ୍ରେ ଯିବା ଅସମ୍ଭବ ହୋଇପଡ଼ିଥିଲା। ବିଶେଷକରି ବଡ଼ଦାଣ୍ଡକୁ ସଂଲଗ୍ନ ସାହି ଗଳିକନ୍ଦିର ବାସିନ୍ଦାମାନେ ସହର ଭିତରକୁ ପ୍ରବେଶ ମାତ୍ରେ ଆକ୍ତାମାକ୍ତା ହୋଇଯାଇଥିଲେ। ଭିଡ଼ ଦେଖି ଲୋକଙ୍କ ଚିନ୍ତା ବଢ଼ିଯାଇଥିଲାଛି। ଟ୍ରାଫିକ୍ ଛକରେ ଅଟକିଲେ ଥରକରେ ପାର ହେବା ସମ୍ଭବ ହୋଇନଥିଲା। ପାର୍କିଂଜନିତ ସମସ୍ୟା ଏବଂ କାର୍ତ୍ତିକ ଶେଷ ପର୍ଯ୍ୟାୟ ଯୋଗୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ହିଁ ସହରରେ ଟ୍ରାଫିକ୍ ସମସ୍ୟା ବଢ଼ାଇ ଦେଇଥିଲା।
ସହରକୁ ଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ମେଡିକାଲ୍ ଛକରୁ ବଡ଼ଦାଣ୍ଡକୁ ଚାରିଚକିଆ ଯାନ ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ତଥାପି ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ସମୁଦ୍ର କୂଳ ନିକଟ ପାର୍କିଂରେ ଗାଡ଼ି ରଖିବା ପାଇଁ ଗାଡ଼ିଗୁଡ଼ିକ ମୁହାଁଇବାରୁ ଦିଗବାରେଣୀ ଛକଠାରୁ ନାଲି ପଡ଼ିଆ ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍ ହୋଇଯାଇଥିଲା। ଆଜି ରବିବାର ଛୁଟିଦିନ ଥିବାରୁ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ ପାଇଁ ଟାଉନ ଥାନା ପର୍ଯ୍ୟନ୍ତ ଲୋକେ ଧାଡ଼ିବାନ୍ଧି ଛିଡ଼ା ହୋଇଥିଲେ। ଦର୍ଶନ ପାଇଁ ଧାଡ଼ିବାନ୍ଧି ଛିଡ଼ା ହୋଇଥିବା ବେଳେ ଖରା ଯନ୍ତ୍ରଣା ଦେଇଥିଲା। ଶ୍ରୀମନ୍ଦିରକୁ ଯିବା ବେଳେ ପ୍ରବଳ ଠେଲାପେଲା ଯୋଗୁ କିଛି ଭକ୍ତ ପଡ଼ିଯାଇଥିଲେ। ସୌଭାଗ୍ୟବଶତଃ ପଡ଼ିବା ପରେ ତୁରନ୍ତ ଉଠିଯିବାରୁ ଅଘଟଣରୁ ବର୍ତ୍ତିଯାଇଥିଲେ।
କେବଳ ସେତିକି ନୁହେଁ ଜୋତା ଷ୍ଟାଣ୍ଡରେ ବି ଲମ୍ବା ଧାଡ଼ି ଲାଗିଥିଲା। ତେଣୁ ବହୁ ଭକ୍ତ ଜୋତାଷ୍ଟାଣ୍ଡ ସମ୍ମୁଖରେ ଧାଡ଼ି ନବାନ୍ଧି ସିଂହଦ୍ବାର ନିକଟରେ ଏଣେତେଣେ ଜୋତା ରଖି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ସ୍ଥିତି ବିଗିଡ଼ିବା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ସ୍ପ୍ରିଙ୍କଲର ଯୋଗେ ଜଳ ସିଞ୍ଚନର ବ୍ୟବସ୍ଥା କରାଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଅଧିକାଂଶ ଭକ୍ତ ଚାରିଚକିଆରେ ଆସୁଛନ୍ତି। ଏଣେ ପୁରୀ ସହରକୁ ହଜାର ହଜାର ଚାରି ଚକିଆ ଯାନ ଆସୁଥିଲେ ହେଁ ଗାଡ଼ିଗୁଡ଼ିକ ରଖିବା ପାଇଁ ପାର୍କିଂ ବ୍ୟବସ୍ଥା ନାହିଁ। ଜଗନ୍ନାଥ ବଲ୍ଲଭ, ନାଲିପଡ଼ିଆ, ଦିଗବାରେଣୀ ଛକ ମଧ୍ୟରେ ରହିଥିବା ପାର୍କିଂ ସ୍ଥଳ ଗାଡ଼ିଗୁଡ଼ିକ ପାର୍କିଂ ପାଇଁ ଯଥେଷ୍ଟ ହେଉନାହିଁ। ଏଣେ ୯୦ କୋଟି ବ୍ୟୟରେ ନିର୍ମାଣାଧୀନ ପୁରୁଣା ଜେଲ୍ ରୋଡ୍ ପରିସରସ୍ଥ ୪ ମହଲା ବିଶିଷ୍ଟ ବହୁତଳ କାର୍ ପାର୍କିଂ ବ୍ୟବସ୍ଥା କରାଯାଉଛି। ଏହା ମଧ୍ୟରେ ୫୦୦ ଚାରିଚକିଆ ଓ ୫୦୦ ବାଇକ୍ ରହିବାର ବନ୍ଦୋବସ୍ତ କରାଯାଉଥିଲେ ହେଁ ଏହା ପୂର୍ଣ୍ଣାଙ୍ଗ ହୋଇନାହିଁ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପୂର୍ବାହ୍ଣ ପର୍ଯ୍ୟନ୍ତ ମେଡିକାଲ୍ ଛକଠାରୁ ଚାରି ଚକିଆ ଗାଡ଼ିଗୁଡ଼ିକ ଅଟକାଇ ଦିଆଯାଉଛି। ତେଣୁ ଗାଡ଼ି ଚାଳକମାନେ ଅନ୍ୟ ପାର୍କିଂ ସ୍ଥଳକୁ ଯିବା ପରିବର୍ତ୍ତେ ଜେଲ୍ ରୋଡ୍ରେ ଗାଡ଼ି ପାର୍କିଂ କରୁଛନ୍ତି। ଏପଟେ ମେଡିକାଲ୍ ଛକରୁ ନେଇ ବଡ଼ଶଙ୍ଖ ପର୍ଯ୍ୟନ୍ତ ମଧ୍ୟ ବହୁ ଗାଡ଼ି ପାର୍କିଂ କରୁଛନ୍ତି। ଫଳରେ ଶ୍ରୀକ୍ଷେତ୍ରର ବାସିନ୍ଦାମାନେ ଏଥିପାଇଁ ବେଶି ହଇରାଣ ହେଉଛନ୍ତି। ପାର୍କିଂରେ ଗାଡ଼ି ଭର୍ତ୍ତି ହୋଇଯିବା ପରେ ଲୋକେ ବାଧ୍ୟ ହୋଇ ରାସ୍ତାକଡ଼ରେ ଗାଡ଼ି ପାର୍କିଂ କରୁଛନ୍ତି। ତେଣୁ ଆଜି ବେଳାଭୂମିରେ ଦିଗବାରେଣୀ ଖୁଣ୍ଟଠାରୁ ବଳିଆପଣ୍ଡା ପର୍ଯ୍ୟନ୍ତ ସ୍ଥାନ ମଧ୍ୟ ଚାରିଚକିଆରେ ଜାମ୍ ହୋଇଯାଇଥିଲା।