ଜୟପୁର: ବଜାରରେ ଦେଶୀ କୁକୁଡାର ନାହିଁ ନଥିବା ଚାହିଦା ରହିଛି। ଜୀବିତ କୁକୁଡା କିଲୋ ପ୍ରତି ୪୫୦ରୁ ୫୦୦ଟଙ୍କାରେ ବିକ୍ରି ହେଉଛି। ସେଭଳି କଟାଯାଇଥିବା କୁକୁଡା ମାଂସ କିଲୋ ପ୍ରତି ରହିଛି ୭୦୦ଟଙ୍କା। ଖାସ୍ କରି ଗ୍ରାମାଂଚଳରେ ପୁରୁଷମାନେ କାମକୁ ପଳାଇ ଯାଉଥିବା ବେଳେ ମହିଳାମାନେ ଦେଶୀ କୁକୁଡାର ଲାଳନପାଳନ କରି ଘରେ ରଖୁଛନ୍ତି।

Advertisment

ତେବେ ଏହାକୁ ବିକ୍ରି କରିବା ପାଇଁ ଉତ୍ତମ ବଜାର ନଥିବାରୁ ଦଲାଲ ଓ ହାଟ ବେପାରୀଙ୍କୁ କମ୍ ଦରରେ ବିକ୍ରି କରୁଛନ୍ତି। ଗାଁକୁ ଗାଁ ଦଲାଲ, ମଧ୍ୟସ୍ଥମାନେ ବୁଲି କୁକୁଡାର ଆକାରକୁ ନେଇ ଦର ଧାର୍ଯ୍ୟ କରି ଆଣୁଛନ୍ତି। ଏଭଳିକି କୁକୁଡା ଲଢ଼େଇ କରୁଥିବା ଗଂଜା କୁକୁଡାର ଦାମ ୪ହଜାରରୁ ଆରମ୍ଭ କରି ୨୫ହଜାରରୁ ୩୦ହଜାର ଯାଏଁ ବି ରହିଛି। ଗ୍ରାମାଂଚଳର ‌ମହିଳା ମାନେ ସଠିକ ଭାବେ ‌କେଉଁ କୁକୁଡା ଲାଢ଼େଇର ଗଂଜା ଓ ସାଧାରଣ ଗଂଜା ଚିହ୍ନି ନ ପାରି ଏହି ଦଲାଲଙ୍କୁ କମ୍ ଦରରେ ବିକ୍ରି କରୁଛନ୍ତି।

ଅପରପକ୍ଷରେ ଦଲାଲ, ହୋଲସେଲ୍ ବ୍ୟବସାୟୀଓ କୁକୁଡା ମାଂସ ବିକ୍ରି କରୁଥିବା ବ୍ୟବସାୟୀମାନେ ଅଧିକା ଲାଭ ପାଉଥିଲେ ହେଁ ଗ୍ରାମାଂଚଳରେ କୁକୁଡା ଚାଷ କରି ଆସୁଥିବା ମହିଳା ମାନେ ଲାଭ ପାଉ ନାହାନ୍ତି। ଯେଉଁ ଲାଭ ପାଉଛନ୍ତି ତାହା ସମୁଦ୍ରକୁ ଶଙ୍ଖେ। ଗ୍ରାମାଂଚଳର ମହିଳା ଓ ମହିଳା ସ୍ବୟଂ ସହାୟକ ଦଳକୁ କୁକୁଡା ଚା‌ଷ ଓ ଅଣ୍ଡା ଉତ୍ପାଦନ‌ୋର ସଂଶ୍ଲିଷ୍ଟ କରାଇ ସଶକ୍ତି କରଣ କରିବାକୁ ରାଜ୍ୟ ସରକାର ଦେଇଛନ୍ତି ନିର୍ଦ୍ଦେଶ।

ତେବେ ଜୟପୁର ବ୍ଲକରେ ମହିଳା ସ୍ବୟଂ ସହାୟକ ଦଳ କୁକୁଡା ଚାଷ କରି ସଶକ୍ତ ହୋଇଥିବା ଦେଖିବାକୁ ମିଳିପାରିନି। ଏପରିକି ବ୍ରୟଲର କୁକୁଡା ମାଂସ ବିକ୍ରି ହେଉଥିଲେ ହେଁ ଆଜି ବି ଦେଶୀ କୁକୁଡ଼ା ମାଂସର ଚାହିଦା ଅଧିକା ରହିଛି। ଗ୍ରାମାଂଚଳର ମହିଳାଙ୍କୁ ଏହି ଲାଭକାରୀ ଚାଷ ସଂପର୍କରେ ପ୍ରତ୍ସାହିତ କରି ସହଯୋଗ କରି ଉତ୍ତମ ବଜାର ଯୋଗାଇଲେ ସୋମନେ ବି ଲାଭବାନ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।