ପୁଲିସ ସବ୍‌ଇନ୍ସପେକ୍ଟର ନିଯୁକ୍ତି ପାଇଁ ବିପୁଳ ଉତ୍ସାହ: ଆବେଦନକାରୀ ତାଲିକାରେ ୨୦ରୁ ଊର୍ଦ୍ଧ୍ବ ତୃତୀୟଲିଙ୍ଗୀ

୧୨ ଦିନରେ ୧୦ହଜାରୁ ଅଧିକ ଆବେଦନ

ଭୁବନେଶ୍ବର : ୨୭ ବର୍ଷ ପରେ ସବଇନ୍ସପେକ୍ଟର (ଏସ୍‌ଆଇ) ନିଯୁକ୍ତି କ୍ଷମତା ଓଡ଼ିଶା ପୁଲିସ ହାତକୁ ଫେରିଛି। ଓଡ଼ିଶା ପୁଲିସ ପକ୍ଷରୁ ଏକ ନିଯୁକ୍ତି ବୋର୍ଡ ଗଠନ କରାଯାଇ ଗତ ୧୨ ତାରିଖରେ ୪୭୭ ଏସ୍‌ଆଇ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। କରୋନା ମହାମାରୀ ସ‌ମୟରେ ବି ଏହି ପଦରେ ନିଯୁକ୍ତି ପାଇଁ ରାଜ୍ୟବ୍ୟାପୀ ଯୁବକଯୁବତୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଛି। ଗତ ୧୨ ଦିନ ଭିତରେ ଏହି ପଦ ପାଇଁ ୨୫ହଜାର ୩୯୩ ଜଣ ପଞ୍ଜୀକରଣ କରିଥିବାବେଳେ ୧୦ ହଜାର ୧୭୩ ଜଣ ବିଧିବଦ୍ଧ ଭାବ‌ରେ ଆବେଦନ କରିଛନ୍ତି। ପ୍ରଥମ ଥର ପାଇଁ ଏହି ଚାକିରି‌ରେ ଆବେଦନ କରିବାକୁ ତୃତୀୟଲିଙ୍ଗୀଙ୍କୁ ସୁଯୋଗ ଦିଆଯାଇଥିବାବେଳେ ୨୦ରୁ ଊର୍ଦ୍ଧ୍ବ ତୃତୀୟଲିଙ୍ଗୀ ଆବେଦନ କରିଛନ୍ତି। ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଆବେଦନ କରିବାର ସମୟସୀମା ରହିଥିବାରୁ ଆବେଦନକାରୀଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି।

ପୁଲିସ ସବ୍‌ଇନ୍ସପେକ୍ଟ ନିଯୁକ୍ତି ଦାୟିତ୍ବ ପୂର୍ବରୁ ଷ୍ଟାଫ୍‌ ସିଲେକ୍ସନ କମିସନ ହାତରେ ରହିଥିଲା। କମିସନ ଶେଷ ଥର ପାଇଁ ଗତବର୍ଷ ୧୩୪ଜଣଙ୍କୁ ଏସ୍‌ଆଇ ନିଯୁକ୍ତି ଦେଇଥିଲା‌। ୨୦୧୫ ମସିହାରେ ଏହି ପଦ ପାଇଁ ପରୀକ୍ଷା ହୋଇଥିଲା। ଆବେଦନକାରୀ ୫ ବର୍ଷ ଅପେକ୍ଷା ପରିବା ପରେ ନିଯୁକ୍ତି ପାଇଥିଲେ। ଥାନାରେ ବିଭିନ୍ନ ମାମଲାର ତଦନ୍ତ ପାଇଁ ଏସ୍‌ଆଇମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ନିଯୁକ୍ତି ପ୍ରକ୍ରିୟାରେ ଷ୍ଟାଫ୍ ସିଲେକ୍ସନ କମିସନଙ୍କ ଏଭଳି ଅହେତୁକ ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହି କ୍ଷମତା ପୁଲିସ ନିଜ ହାତକୁ ଆଣିବା ପାଇଁ ପୁଲିସ ମହାନିର୍ଦ୍ଦେଶକ ସରକାରଙ୍କୁ ନିବେଦନ କରିଥିଲେ। ତାଙ୍କ ନିବେଦନକୁ ଗ୍ରହଣ କରି ସରକାର ନିକଟ ଅତୀତରେ ଏହି ନିଯୁକ୍ତି କ୍ଷମତା ପୁଲିସକୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର