ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଲକ୍ ଛତରତାଣ୍ଡି ଜଙ୍ଗଲରୁ ସର୍ଚ୍ଚ ଅପରେସନ୍ ବେଳେ ବିପୁଳ ମାଓବାଦୀ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏସବୁ ଜଙ୍ଗଲ ଭିତରେ ମାଟିତଳେ ପୋତା ଯାଇଥିଲା। ସମ୍ଭବତଃ ସୁବିଧା ସୁଯୋଗ ଦେଖି ମାଓବାଦୀମାନେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କିମ୍ବା ମାଓ ଗୋଷ୍ଠୀଙ୍କୁ ହସ୍ତାନ୍ତର କରିଥାନ୍ତେ। ତୁରେକେଲା ପୁଲିସ୍ ନେତୃତ୍ବରେ ଡିଭିଏଫ୍ ଟିମ୍ ଏହି ଅପରେସନ୍ କରିଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ମିଳିବା ପରେ ଜଙ୍ଗଲରେ ଛାନ୍ଭିନ୍ ଚାଲିଥିଲା। ମାଟି ଖୋଳି ଏସବୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା।
ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ଗୋଟିଏ ବନ୍ଧୁକ, ବିପୁଳ ଅଫୁଟା ଗୁଳି, ଡିଟୋନେଟର୍, ଟିଫିନ୍ ବକ୍ସ, ଏୟାର୍ଗନ୍ ସମେତ ବିସ୍ଫୋରକ ସାମଗ୍ରୀ ଏବଂ ମାଓବାଦୀ ବ୍ୟବହୃତ ସାମଗ୍ରୀ ରହିଛି। ଏହି ଘଟଣା ପରେ ଗନ୍ଧମାର୍ଦ୍ଦନ ପାହାଡ଼ ଏବଂ ତୁରେକେଲା ଆଖପାଖ ଅଞ୍ଚଳରେ କମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଥିବା ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ଓ ଏସ୍ପି ଋଷିକେଶ ଖିଲାରି ସୂଚନା ଦେଇଛନ୍ତି। ବଲାଙ୍ଗୀର ଜିଲ୍ଲାରେ ବରଗଡ଼-ବଲାଙ୍ଗୀର-ମହାସମୁନ୍ଦ ଡିଭିଜନ୍ର ମାଓବାଦୀ ଗୋଷ୍ଠୀ ସକ୍ରିୟ ରହିଛନ୍ତି। ନିକଟ ଅତୀତରେ ୩ଜଣ କ୍ୟାଡର୍ ମାଓବାଦୀ ଆତ୍ମସମର୍ପଣ କରିସାରିଛନ୍ତି। ସେମିତି ଦେଖିବାକୁ ଗଲେ ବର୍ତ୍ତମାନ ମାଓବାଦୀ ସଂଗଠନ ଦୁର୍ବଳ ରହିଛି। ଏଭଳି ସ୍ଥିତିରେ ନିଜ ଅସ୍ତ୍ରଶସ୍ତ୍ର ଜଙ୍ଗଲ ଭିତରେ ପୋତି ମାଓବାଦୀମାନେ ଅନ୍ୟତ୍ର ପଳାୟନ କରିଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/17/40lAS47EPklfS3I3zhnb.jpg)