ଭୁବନେଶ୍ବର: କମିସନରେଟ୍ ପୁଲିସର ପୂର୍ବତନ କନଷ୍ଟେବଳ ପ୍ରସନ୍ନ କୁମାର ବେହେରାଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ବିଭାଗର କର୍ମଚାରୀ ବି ବିସ୍ମିତ ହୋଇଛନ୍ତି। ପ୍ରସନ୍ନ ବେହେରାଙ୍କ ଘରେ ବିପୁଳ ସମ୍ପତ୍ତି ଠାବ ହୋଇଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଡୁମଡୁମାରେ ୦.୨୫୦ ଏକର ଜମିକୁ ସେ ୨୦୧୯ରେ ମାତ୍ର ୧ କୋଟି ୪୬ ଲକ୍ଷ ୬୦ ହଜାର ଟଙ୍କାରେ କିଣିଛନ୍ତି, ମାତ୍ର ଏହି ଜମିର ବଜାର ମୂଲ୍ୟ ଢେର ଅଧିକ ବୋଲି ଆକଳନ କରାଯାଇଛି। ସୋରୁମ ଓ ବେସମେଣ୍ଟ ୧୮ ହଜାର ବର୍ଗଫୁଟ ଜାଗାରେ ରହିଛି। ସୋରୁମରେ ଥିବା ଫର୍ଣ୍ଣିଚରର ମଧ୍ୟ ଆକଳନ କରାଯାଇଛି।
ସୂଚନାଯୋଗ୍ୟ, ଆଜି ସକାଳେ ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କର କଳ୍ପନା ଛକ ସ୍ଥିତ ସରକାରୀ ବାସଭବନ ଓ ପୈତୃକ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ଆରମ୍ଭ ହୋଇଥିଲା। ଭିଜିଲାନ୍ସର ସ୍ବତନ୍ତ୍ର ଜଜଙ୍କ ଆଦେଶକ୍ରମେ ସଦାନନ୍ଦ ବେହେରାଙ୍କ ପୁଅ ପ୍ରସନ୍ନ କୁମାର ବେହେରାଙ୍କ ଘରେ ଚଢ଼ାଉ କରାଯାଇଛି। ପ୍ରସନ୍ନଙ୍କ କଳ୍ପନା ଛକରେ ଥିବା ନିଜ ସରକାରୀ ଘର ଏବଂ ଏହା ସମ୍ପ୍ରସାରଣ ବିଲଡିଂ, ଡୁମଡୁମାଠାରେ ଥିବା ସ୍ପାର୍କ ଫର୍ନିଚର ପ୍ରାଇଭେଟ୍ ଲିମିଟେଡ୍, ଲିଙ୍ଗପୁରର ସନ୍ଥବିହାରରେ ଥିବା ଫର୍ନିଚର ୱାର୍କସପ୍, ପାତ୍ରପଡ଼ାଠାରେ ଥିବା ସାଉଥ୍ ସିଟି ବାର୍ ଏବଂ ତାଙ୍କର ଖୋର୍ଦ୍ଧା ଜିଲ୍ଲାର ନୂଆପଡ଼ାରେ ଥିବା ଦୁଇମହଲା ବିଶିଷ୍ଟ ପୈତୃକ ଘରେ ଏହି ଚଢ଼ାଉ ଚାଲିଛି।
୨ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀଙ୍କ ନେତୃତ୍ୱରେ ୫ଟି ଟିମ୍ ଏହି ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।
ସୂଚନାଯୋଗ୍ୟ, ମନୀଷ ଅନୁରାଗ ହତ୍ୟା ମାମଲାରେ କନଷ୍ଟେବଳ ପ୍ରସନ୍ନ କୁମାର ବେହେରା ବହିଷ୍କୃତ ହୋଇଥିଲେ। ତାପରେ ତାଙ୍କୁ ଗିରଫ ବି କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Multi-Millionaire-Constable_Thumbnail.jpg)
