ବ୍ରଜରାଜନଗର : ବ୍ରଜରାଜନଗର ଥାନା ଅନ୍ତର୍ଗତ ତେଲେନପାଲି ଗଣେଶ ନଗର ଭାଗତପଡ଼ାରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ ସହ ବୋତଲ, ଠିପି ଓ ଲେବୁଲ ଜବତ କରାଯାଇଛି। ଅଭିଯୋଗରେ ଦୁଇ ଭାଇ ଶିବ କୁମାର ସହରା ଓ ସରୋଜ ସହରାକୁ ଗିରଫ କରାଯାଇଛି। ବାପା କରଣ ସହରା ଫେରାର ରହିଛି। ବ୍ରଜରାଜନଗରରେ ନକଲି ବିଦେଶୀ ମଦ ପ୍ରସ୍ତୁତି ସମ୍ପର୍କରେ ଉତ୍ତରାଞ୍ଚଳ ଅବକାରୀ ଡେପୁଟି କମିସନର ଡମ୍ବରୁଧର ଖଣ୍ଡା ସୂଚନା ପାଇବା ପରେ ଚଢ଼ଉ କରିବାକୁ ସମ୍ବଲପୁର ଅବକାରୀ ଗୁଇନ୍ଦା ସଂସ୍ଥାର ଆଇଆଇସି ସ୍ମୃତିକାନ୍ତ ରାଉତଙ୍କୁ ନିର୍ଦେଶ ଦେଇଥିଲେ।

Advertisment

publive-image

ଶନିବାର ସକାଳେ ଏକ ୧୦ ଜଣିଆ ଟିମ୍‌ ବ୍ରଜରାଜନଗରରେ ପହଞ୍ଚି ଅଭିଯୁକ୍ତଙ୍କ ଘରେ ଚଢ଼ଉ କରିଥିଲେ। ଘର ଭିତରୁ ୧୯୯ ବୋତଲ ନକଲି ବିଦେଶୀ ମଦ ଜବତ କରାଯାଇଥିଲା। ଏହା ସହିତ ୨୨୭୭ ଟି ଠିପି, ବିଭିନ୍ନ ବ୍ରାଣ୍ଡର ୨୯୧୨ଟି ନକଲି ଷ୍ଟିକର୍‌ ସହିତ ୨୦୬ଟି ଖାଲି ବୋତଲ ଜବତ କରାଯାଇଥିଲା। ପ୍ରାୟ ୧୨୧.୩୫୦ ଲିଟର ମଦ ଜବତ କରାଯାଇଛି। ଏଥିରେ ଅରୁଣାଚଳ ପ୍ରଦେଶର ୭୫୦ ଏମ୍‌ଏଲ୍‌ର କିମ୍‌ସ ଗୋଲ ହ୍ବିସ୍କି ରହିଛି। ଯାହାକୁ ଓଡ଼ିଶାରେ ବିକ୍ରୟ ନିଷିଦ୍ଧ ରହିଛି। ଜବତ ବିଦେଶୀ ମଦର ପରିମାଣ ୧ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଏମାନେ ଅରୁଣାଚଳ ପ୍ରଦେଶରୁ ଶସ୍ତା ମଦକୁ ଆଣି ଘର ଭିତରେ ଏହାକୁ ବ୍ରାଣ୍ଡ କମ୍ପାନିର ବୋତଲରେ ଲେବୁଲ ଲଗାଇ ବିକ୍ରି କରୁଥିବା ପ୍ରକାଶ କରିଛନ୍ତି। ଏହି କାରବାର ବାପ ପୁଅ ତିନିଜଣ କରୁଥିଲେ। ଚଢ଼ଉରେ ଅନ୍ୟମାନଙ୍କ ସହିତ ଏସଆଇ କାର୍ତ୍ତିକ ମଲିକ, ଗିରିଜା ମହାନ୍ତି, ମଧୁସୂଦନ ସେଠ, ଉପେନ୍ଦ୍ର ଭୋଇ, ଶ୍ରୀଧର ପଲେଇ, ଅଶୋକ ଖଡ଼ିଆ, ବାସନ୍ତୀ ସାହୁ, ଅନିତା ସଏଲ ଥିଲେ। ରାଉରକେଲା ଜଳଦାର ଅନୀଲ ସାହୁ  ସେମାନଙ୍କୁ ଅରୁଣାଚଳ ପ୍ରଦେଶରୁ ମଦ ଯୋଗାଉଥିବା ପ୍ରକାଶ କରିଛନ୍ତି। ଏହି ମଦ ସେମାନେ କାହାକୁ ଯୋଗାଉଥିଲେ ସେ ବାବଦରେ ଅଧିକ ଖୋଳତାଡ଼ ଚାଲିଛି।