ବରଗଡ଼: ବରଗଡ଼ ପୁଲିସ କଫ୍‌ ସିରପ୍‌ ଧରପଗଡ଼ ଅଭିଯାନକୁ ଜୋରଦାର କରିଥିବାବେଳେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୫ ଜଣ ଅନ୍ତଃରାଜ୍ୟ ନିଶାମାଫିଆଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୫ଟି ଦେଶୀ ପିସ୍ତଲ, ୫ଟି ଚାରିଚକିଆ ଯାନ ସହ ୧୫ ଶହ ବୋତଲ ‘ଏସ୍‌କଫ୍‌’ ସିରପ୍‌ ଓ ନଗଦ ୫୭ ହଜାର ୨ ଶହ ଟଙ୍କା ଜବତ ହୋଇଥିବା ବରଗଡ଼ ଏସ୍‌ପି ପ୍ରହଲ୍ଲାଦ ସହାଇ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫଙ୍କ ମଧ୍ୟରେ ବଲାଙ୍ଗୀର ରାଜୀବନଗରର ବବଲୁ ବେହେରା (୩୨), ବରଗଡ଼ ହାତୀଟିକ୍ରାର ପ୍ରଫୁଲ୍ଲ ରଣା (୩୦), ଅତାବିରା ଥାନା ସଦାପାଲି ଗାଁର ତୁଷାର ବଲ୍ଲଭ ରାଉତିଆ (୩୧), ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଡାଙ୍ଗ ଗାଁର ବବଲୁ ଶତପଥୀ (୩୭), ଅତାବିରା ଥାନା କୁଲୁଣ୍ଡାର ହରିପ୍ରସାଦ ସେଠ (୨୬), ବରଗଡ଼ ୱାର୍ଡ ନଂ ୧୬ର ଅଙ୍କୁଶ ବଳ (୩୦), ଛତିଶଗଡ଼ର ହରଦୀପ ସିଂହ ସାନ୍ଧୁ (୨୮), ଏମ୍‌ଡି ଅସରଫ (୨୬), ସୟଦ୍‌ ଆଜିମ (୩୧), ଯାଜପୁର ଜିଲ୍ଲାର ରାସିଦ ସାହା (୩୦), ଜଗତସିଂହପୁରର ସମ୍ବିତ ପରିଜା (୨୫), କଟକ ଜିଲ୍ଲାର ପ୍ରୀତମ ବିଶ୍ୱାଳ, ବରଗଡ଼ ଭଟଲି ଛକର ଶ୍ରୀକାନ୍ତ ବେହେରା (୨୯), ବରଗଡ଼ ସଦର ଥାନା ଏକାମ୍ର ଛକର ମନୀଷ ଓରଫ୍‌ କାଲୁ ଅଗ୍ରୱାଲ (୩୦) ଏବଂ ତେଲେନ୍‌ଟିକ୍ରାର ପିଣ୍ଟୁ ସାହୁ ରହିଛନ୍ତି।

Advertisment

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବେଆଇନ କଫ୍‌ ସିରପ୍‌ ଚାଲାଣ ନେଇ ପୁଲିସ ସୂଚନା ପାଇଥିଲା। ଏସ୍‌ପିଙ୍କ ତତ୍ତ୍ବାବଧାନରେ ୭ଟି ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଅତାବିରା ଥାନା, ଗ୍ରାମାଞ୍ଚଳ ଥାନା, ସଦର ଥାନା, ଟାଉନ ଥାନା, ବିଜେପୁର ଥାନା ପୁଲିସ ଟିମ୍‌ ସହ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଚଢ଼ଉରେ ସାମିଲ ହୋଇଥିଲେ। ଚଢ଼ଉ ବେଳେ ପୁଲିସ ‘ଏସ୍‌କଫ୍‌’ ସିରପ୍‌ ସହ ମାଫିଆଙ୍କଠାରୁ ବେଆଇନ୍‌ ବନ୍ଧୁକ ପାଇଥିଲା। ଏହି ଗ୍ୟାଙ୍ଗ୍‌ କଫ୍‌ ସିରପ୍‌ ସହ ବନ୍ଧୁକ ମଧ୍ୟ ଯୋଗାଣ କରୁଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ସଦର ଥାନା, ଟାଉନ ଥାନା, ଅତାବିରା ଓ ବିଜେପୁର ଥାନାରେ ଏ ନେଇ ୪ଟି ମାମଲା ରୁଜୁ ହୋଇଛି। ମାମଲାରେ ଆଉ କେଉଁମାନେ ସଂପୃକ୍ତ, ସେ ସଂପର୍କରେ ଅଧିକ ତଦନ୍ତ ଚାଲିଥିବା ଏସ୍‌ପି କହିଛନ୍ତି।