ବୈଶିଙ୍ଗା: ଶୁକ୍ରବାର ସକାଳେ ମୟୂରଭଞ୍ଜଜିଲ୍ଲା ବଡ଼ସାହି ଥାନା ଅଧୀନ ଭୀମଦା ଅଞ୍ଚଳର ଏକ ଫାର୍ମ ହାଉସ୍‌ରେ ଥିବା ବେଆଇନ ବାଣ କାରଖାନାରେ ବିସ୍ଫୋରଣ ଘଟି କାରଖାନା ମାଲିକଙ୍କ ପତ୍ନୀ ପ୍ରାଣ ହରାଇଥିଲେ। ଏହି ଅଘଟଣ ପରେ ବେଆଇନ ବାଣ କାରବାର ରୋକିବାକୁ ତତ୍ପରତା ଦେଖାଇଛି ବେତନଟୀ ଉପଖଣ୍ଡ ପୁଲିସ। ବାଣ ପ୍ରସ୍ତୁତିର ପେଣ୍ଠସ୍ଥଳ କୁହାଯାଉଥିବା ବୈଶିଙ୍ଗା ଥାନା ଅଧୀନ ବାଛୁରୀପଡ଼ା ଅଞ୍ଚଳରେ ଆଜି ପୁଲିସ ଚଢ଼ଉ କରି ବିପୁଳ ପରିମାଣର ବାଣ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି।

Advertisment

ଶୁକ୍ରବାର ବାଣ ବିସ୍ଫୋରଣରେ ଯାଇଥିଲା ଜଣଙ୍କ ଜୀବନ

ଏସ୍‌ପି ବରୁଣ ଗୁଣ୍ଟୁପାଲ୍ଲୀଙ୍କ ନିର୍ଦ୍ଦେଶରେ ବେତନଟୀ ଏସ୍‌ଡିପିଓ ମିନତି ବିଶ୍ୱାଳ ଓ ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସଙ୍କ ନେତୃତ୍ବାଧୀନ ଟିମ୍‌ ୧ ପ୍ଲାଟୁନ୍‌ ଫୋର୍ସ ସହ ଶନିବାର ଅପରାହ୍‌ଣରେ ବାଛୁରୀପଡ଼ାର ବିଭିନ୍ନ ବେଆଇନ ଗୋଦାମରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ୪୨ ବସ୍ତା ବାଣ, ୫୦ କେଜିରୁ ଅଧିକ ବାରୁଦ ଓ ବାଣ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ବାଛୁରୀପଡ଼ା ଗ୍ରାମର ଶ୍ରୀନିବାସ ସାହୁ ଓ ସନ୍ତୋଷ କୁମାର ସାହୁଙ୍କୁ ଗିରଫ କରାଯାଇଛି। ଆଗକୁ ଦୁର୍ଗାପୂଜା ଓ ଦୀପାବଳି ଆସୁଥିବା ବେଳେ ବେଆଇନ ବାଣ ପ୍ରସ୍ତୁତି ଓ ବିକ୍ରି ରୋକିବାକୁ ନିୟମିତ ଚଢ଼ଉ ଜାରି ରହିବ ବୋଲି ଏସ୍‌ଡିପିଓ କହିଛନ୍ତି।