ମାଲକାନଗିରି: କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଵା ଏବଂ ତାଇମାଲ ଅଂଚଳରେ ବିଏସଏଫ ଏବଂ ଜିଲ୍ଲା ପୁଲିସ କୁମ୍ବିଂ କରୁଥିବା ସମୟରେ ବିସ୍ଫୋରକ ସମେତ ମାଓ ସାମଗ୍ରୀ ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ୧୪୪ ବିଏସ୍ଏଫ ବାଟାଲିୟନର ଯବାନ ଏବଂ ଜିଲ୍ଲା ପୁଲିସ ମିଳିତ କୁମ୍ବିଂ କରୁଥିବା ବେଳେ ପିପଲପଦର ଅଂଚଳରେ ନକ୍ସଲ ମାଟି ତଳେ ଲୁଚାଇ ରଖିଥିବା ବିସ୍ଫୋରକ ସମେତ ମାଓ ସାମଗ୍ରୀକୁ ଯବାନ ଜବତ କରିଛନ୍ତି। ଏଥିରେ ଗୋଟିଏ ବନ୍ଧୁକ, ମାଓ ପୋଷାକ, ମାଓବାଦୀଙ୍କ ପତାକା, ବିଦ୍ୟୁତ ତାର, ଜିଲୋଟିନ ଷ୍ଟିକ ସମେତ ବହୁ ପରିମାଣର ମାଓ ସାମଗ୍ରୀ ରହିଛି।
ତେବେ ମାଓବାଦୀଙ୍କ ଏକ ବଡ ଯୋଜନା ଆକ୍ରମଣ ଯୋଜନା ପଣ୍ଡ ହୋଇଥିବା କୁହାଯାଇଛି। ଧିରେ ଧିରେ ସ୍ବାଭିମାନ ଅଂଚଳକୁ ଯବାନ ନିଜ ଅକ୍ତିଆରକୁ ନେଉଥିବା ବେଳେ ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହେଉଛନ୍ତି। ଲଗାତାର ଗତ ଦୁଇ ମାସ ମଧ୍ୟରେ ପାଞ୍ଚଟିରୁ ଉର୍ଦ୍ଧ୍ବ ସ୍ଥାନରେ ମାଓବାଦୀ ଲୁଚାଇ ରଖିଥିବା ବିସ୍ଫୋରକ, ବନ୍ଧୁକ ସମେତ ମାଓ ସାମଗ୍ରୀ ଯବାନ ଜବତ କରିସାରିଲେଣି। ଯବାନଙ୍କ ଏହି ସଫଳତା ଆଗକୁ ମନବଳ ବଢାଇବ ବୋଲି କୁହାଯାଇଛି।
କୋରାପୁଟ ଜିଲ୍ଲାରେ ଡିଭିଏଫ୍ ଟିମ୍ କେନ୍ଦାବୋରିଙ୍ଗି, ମଙ୍ଗଲପୁର ଓ ଆତ୍ମାକୋଣ୍ଡା ଜଙ୍ଗଲରୁ ବିପୁଳ ପରିମାଣରେ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରିଛନ୍ତି। ଟିମ୍ ୬ଟି ଏସ୍ବିଏମ୍ଏଲ ଗନ୍ , ୫୦ଟି ଜିଲୋଟିନ୍ ଷ୍ଟିକ୍, ୨୦୫ଟି ଆରଇରନ୍ ପାଇପ୍, ୫୦୦ ଗ୍ରାମ ବିସ୍ଫୋରକ ଧାରଣ କରିପାରୁଥିବା ୨୦ଟି ପୁରୁଣା ଟିଫିନ ବକ୍ସ, ୩ଟି ଟିଫିନ୍ ବୋମା ସହିତ ଅନ୍ୟ ସାମଗ୍ରୀ ଜବତ କରିଛନ୍ତି।