ବାଲିଆପାଳରେ ବିରାଟ ସମାବେଶ : ବନ୍ଦର, ପେଟ୍ରୋ ପ୍ରକଳ୍ପକୁ ବିରୋଧ

ବାଲିଆପାଳ/କାଳୀପଦା : ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାଲିଆପାଳରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ଏବଂ ପେଟ୍ରୋ କେମିକାଲ୍ସ ପ୍ରକଳ୍ପ ବିରୋଧରେ ଆଜି ବାଲିବିଲ ହାଟପଡ଼ିଆଠାରେ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ପ୍ରାୟ ୧୦ ହଜାରରୁ ଅଧିକ ଜନସାଧାରଣ ଏକତ୍ରିତ ହୋଇ ପ୍ରକଳ୍ପ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛନ୍ତି।

ଉପକୂଳ ଭିଟାମାଟି ସୁରକ୍ଷା କମିଟିର ଆବାହକ ତଥା କୃଷକ ନେତା ଅରୁଣ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାବେଶରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ମୁଖ୍ୟଅତିଥି ଭାବେ ଯୋଗଦେଇ ଧାନ, ପାନ, ମୀନ, ନଡ଼ିଆ, ଗୁଆ, କାଜୁରେ ସମୃଦ୍ଧ ଥିବା ବାଲିଆପାଳ ଅଞ୍ଚଳରେ ଯେଉଁଭଳି ବିକାଶ ହୋଇଛି, ବନ୍ଦର ହେଲେ ସେଭଳି ବିକାଶ ହୋଇପାରିବ ନାହିଁ ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ପରିବେଶବିତ୍‌ ପ୍ରଫୁଲ ସାମନ୍ତରା ସୁବର୍ଣ୍ଣରେଖା ବନ୍ଦର ଏବଂ ପେଟ୍ରୋ କେମିକାଲ୍ସ ପ୍ରକଳ୍ପକୁ ସେ ଜନସ୍ବାର୍ଥ ବିରୋଧୀ ବୋଲି କହି ଏହା ବିରୋଧରେ ସମସ୍ତେ ଏକଜୁଟ୍‌ ହେବାକୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କମ୍ୟୁନିଷ୍ଟ ନେତ୍ରୀ ତାପସୀ ପ୍ରହରାଜ, ବରିଷ୍ଠ ସାମ୍ବାଦିକ ରବି ଦାସ, ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡଙ୍ଗୀ, ପୂର୍ବତନ ବିଧାୟକ କିଶୋର ଦାସ, ଏସୟୁସିଇ ନେତା ହରେକୃଷ୍ଣ ଦାସ, ସିପିଆଇ ନେତା ଜୟନ୍ତ ଦାସ, ଆଇନଜୀବୀ ମନୋଜ ନାୟକ, ବାଲିଆପାଳ ବ୍ଲକ ଅଧ୍ୟକ୍ଷ ବିଜନ୍‌ କୁମାର ନାୟକ, ଅଖିଳ ଭାରତୀୟ ଛାତ୍ରସଙ୍ଘ ନେତ୍ରୀ ସଂଘମିତ୍ରା ଜେନା, ସରପଞ୍ଚ ଅବନ୍ତୀ ମାହାନ୍ତ, ସରପଞ୍ଚ ପରମାନନ୍ଦ ବାଡ଼ି, ଜଗନ୍ନାଥ ବିଶ୍ବାଳ, କାର୍ତ୍ତିକ ନାୟକ, ନିରଞ୍ଜନ କୁହ୍ଲାରୀ ପ୍ରମୁଖ ବକ୍ତବ୍ୟ ରଖି ସରକାର ଏଭଳି ଜନବିରୋଧୀ ପ୍ରକଳ୍ପ ବାବଦରେ ପୁନର୍ବିଚାର କରିବାକୁ ନିବେଦନ କରିଥିଲେ।

ଦାବି ପୂରଣ ନ‌ହେଲେ ୮୦ ଦଶକରେ କ୍ଷେପଣାସ୍ତ୍ର ଘାଟି ଆନ୍ଦୋଳନ ଭଳି ଏକ ବିରାଟ ଜନଆନ୍ଦୋଳନ ମୁଣ୍ତ ଟେକିବ ବୋଲି ସେମାନେ ଚେତାବନୀ ଦେଇଥିଲେ।

ସମ୍ବନ୍ଧିତ ଖବର