ଦରବୃଦ୍ଧି ବଢ଼ାଉଛି ଆହାର କେନ୍ଦ୍ରରେ ଭିଡ଼; ୫ଟଙ୍କିଆ ଭୋଜନ ପାଇଁ ସରକାରୀ ଚାକିରିଆ ବି ବ୍ୟାକୁଳ

ଭଦ୍ରକ: ଜିଲ୍ଲା ସଦର ମହକୁମାରେ ଗତ ୨୦୧୬ ମସିହା ଠାରୁ କାର୍ଯ୍ୟକାରୀ ହୋଇଥିବା ସରକାରୀ ଆହାର କେନ୍ଦ୍ର ପ୍ରତି ଲୋକଙ୍କ ଆକର୍ଷଣ ବୃଦ୍ଧି ପାଉଛି। ଖାଦ୍ୟ ଖାଇବାକୁ ଆସୁଥିବା ଲୋକଙ୍କ ଆଵଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ଖାଦ୍ୟ ବିତରଣ କ୍ଷମତା ବୃଦ୍ଧି କରା ଯାଉନାହିଁ । ଫଳରେ ପ୍ରତିଦିନ ଶହ ଶହ ଲୋକ ଖାଦ୍ୟନପାଇ ଆହରକେନ୍ଦ୍ରରୁ ଭୋକ ପେଟରେ ଫେରୁଛନ୍ତି । ବର୍ଦ୍ଧିତ ବଜାର ଦର ଯୋଗୁ ଅଧିକାଂଶ ଲୋକ ସରକାରୀ ଭାବେ ଯୋଗାଇ ଦିଆଯାଉଥିବା ୫ ଟଙ୍କିଆ ମିଲ ଖାଇବାକୁ ପ୍ରତିଦିନ ଆହାରକେନ୍ଦ୍ର ଆଗରେ ଭିଡ଼ ଲଗାଉଛନ୍ତି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଦିନମଜୁରିଆ, ଶ୍ରମିକ, ରିକ୍ସାଵାଲା ଏପରିକି ସରକାରୀ ଏବଂ ବେସରକାରୀ ଅଫିସରେ କାମ କରୁଥିବା ଲୋକେ ଦିନ ୧୧ ଟାରୁ ଆହାରକେନ୍ଦ୍ର ଆଗରେ ଭିଡ଼ ଲଗାଉଛନ୍ତି । ୫ ଟଙ୍କାରେ କୂପନ କାଟି ପେଟପୁରା ଭାତ ଡାଲମା ଖାଇ ଖୁସିରେ ଫେରୁଛନ୍ତି ।
ତେବେ ଜିଲ୍ଲା ସଦର ମହକୁମାରେ ଖୋଲିଥିବା ଏହି ଆହାର କେନ୍ଦ୍ରରେ ଦୈନିକ ମାତ୍ର ୫ ଶହ ମିଲ ବିତରଣ ପାଇଁ ଅନୁମୋଦନ ମିଳିଥିବା ବେଳେ ଖାଦ୍ୟ ସରିଯିବା ପରେ କେନ୍ଦ୍ରରୁ ଖାଦ୍ୟନପାଇ ଶହ ଶହ ଲୋକ ଭୋକରେ ଫେରୁଛନ୍ତି । ଆବଶ୍ୟକତାକୁ ଦୃଷ୍ଟିରର ରଖି କେନ୍ଦ୍ରରେ ଦୈନିକ ସର୍ବନିମ୍ନ ୭୦୦ ମିଲ ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି ରଖୁଛନ୍ତି କେନ୍ଦ୍ର ଖାଦ୍ୟ ବିତରଣକାରୀ ସଂସ୍ଥା । ହେଲେ ସେମାନଙ୍କ କଥା କୁ କତ୍ତୃପକ୍ଷ ଶୁଣୁ ନଥିବା କହିଛନ୍ତି ଖାଦ୍ୟ ବିତରଣକାରୀ ସଂସ୍ଥା । ସେମାନଙ୍କ କହିବା କଥା ହେଲା କେନ୍ଦ୍ର କ୍ଷମତା ବୃଦ୍ଧି କରାଗଲେ କେନ୍ଦ୍ର ରୁ ଲୋକ  ଭୋକିଲା ଫେରିବେ ନାହିଁ ।
ପ୍ରକାଶ ଥାଉ କି,  ଗତ ୨୦୧୬ ମସିହାରେ ସରକାର ଭୋକିଲା ଲୋକଙ୍କ ମୁହଁରେ ହସ ଫୁଟାଇବା ଲକ୍ଷ ନେଇ ପ୍ରତି ଜିଲ୍ଲା ହେଡ କ୍ୱାଟରରେ ଗୋଟିଏ ଲେଖାଁଏ ଆହାର କେନ୍ଦ୍ର ଖୋଲିଥିଲେ । ପରେ ଏହାକୁ ବିଭନ୍ନ ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ସମ୍ପ୍ରସାରିତ କରା ଯାଇଛି । ଭଦ୍ରକ ଜିଲ୍ଲାରେ ଏବେ ଭଦ୍ରକ ସହିତ ବାସୁଦେବପୁର, ଚାନ୍ଦବାଲି ଏବଂ ଧାମନଗର ସହରାଞ୍ଚଳ ରେ ଆହାରକେନ୍ଦ୍ର ଜରିଆରେ ଦୈନିକ ଲୋକଙ୍କୁ ୫ ଟଙ୍କାରେ ଖାଦ୍ୟ ବିତରଣ କରାଯାଉଛି । ଏହି ସହରାଞ୍ଚଳରେ ଦୈନିକ ୩୦୦ ଲେଖାଁଏ ମିଲ ବିତରଣ କରା ଯାଉଥିବା ବେଳେ ଭଦ୍ରକ ସହରାଞ୍ଚଳରେ ଦୈନିକ ୫୦୦ ମିଲ ବିତରଣ କରାଯାଉଛି ।
ତେବେ ବର୍ଦ୍ଧିତ ଆଵଶ୍ୟକତାକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳ ପାଇଁ ଦୈନିକ ୫୦୦ ଏବଂ ସହରାଞ୍ଚଳ ପାଇଁ ୭୦୦ ମିଲ ଯୋଗାଇ ଦେବାକୁ ଦାବି ହେଉଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସରକାର ମିଲ ପିଛା ବଣ୍ଟନ କାରୀଙ୍କୁ ୧୫ ଟଙ୍କା ଆର୍ଥିକ ଅନୁଦାନ ଯୋଗାଇ ଦେଉଥିବା ବେଳେ ଏବେ ତାହା ୧୮ ଟଙ୍କାକୁ ବୃଦ୍ଧି ପାଇଛି । ସେହିଭଳି ପୂର୍ବରୁ ଆହାରକେନ୍ଦ୍ର ଖାଦ୍ୟ ବିତରଣ ଦାଇତ୍ୱ ବିଭିନ୍ନ ଏନଜିଓ ସଂସ୍ଥାଙ୍କୁ ଦିଆଯାଇଥିବା ବେଳେ ଏବେ ସମ୍ପୃକ ଅଞ୍ଚଳରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଟିଙ୍କୁ ହସ୍ତାନ୍ତର କରା ଯାଇଛି।
ସମ୍ବନ୍ଧିତ ଖବର