ଦୁବାଇ ଭଳି ଅନେକ ସମ୍ମିଳନୀ ଆୟୋଜନ କରାଯିବ
ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେବ

Advertisment

ଭୁବନେଶ୍ବର : ରାଜ୍ୟର ପ୍ରମୁଖ ନିବେଶକ ସମ୍ମିଳନୀ ମେକ୍ ଇନ୍ ଓଡ଼ିଶା ୨୦୨୨ ଲାଗି ପ୍ରସ୍ତୁତି ଜୋରଦାର ହୋଇଛି। ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଏହି ସମ୍ମିଳନୀ ଆୟୋଜନ କରାଯିବ। ଦୁବାଇ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବିଷୟରେ ଘୋଷଣା କରି ପ୍ରସ୍ତୁତିକୁ ଆଗେଇ ନେଇଛନ୍ତି। ଏଥର ବିଶ୍ବର କୋଣ ଅନୁକୋଣରୁ ପୁଞ୍ଜି ଆଣିବା ଲାଗି ରାଜ୍ୟ ସରକାର ଯୋଜନା ରଖିଛନ୍ତି। ସେଥିପାଇଁ ବଡ଼ ଯୋଜନା ପ୍ରସ୍ତୁତ ହୋଇଛି। ଦେଶ ଭିତରେ ଓ ବିଦେଶର ବିଭିନ୍ନ ସହରରେ ନିବେଶକ ସମ୍ମିଳନୀ ଓ ରୋଡ୍‌ ସୋ’ ଆଦି ଆୟୋଜନ କରାଯିବ। ଅଧିକରୁ ଅଧିକ ନିବେଶକ ଯେଭଳି ସମ୍ମିଳନୀରେ ଭାଗ ନେବେ ତାହା ନିଶ୍ଚିତ କରିବା ଲାଗି ଉଦ୍ୟମ କରାଯିବ। ଆସନ୍ତା ୬ ମାସ ମଧ୍ୟରେ ଏହି ସବୁ ନିବେଶକ ସମ୍ମିଳନୀ ଆୟୋଜନ କରାଯିବ ବୋଲି ଜଣାପଡ଼ିଛି। ସେଥିପାଇଁ ପ୍ରସ୍ତୁତି ଦାୟିତ୍ବ ଇପିକଲ୍‌କୁ ଦିଆଯାଇଛି। ‌ଦେଶର ବିଭିନ୍ନ ରାଜ୍ୟ ଓ ବିଦେଶର ବିଭିନ୍ନ ସହରରେ ସମ୍ମିଳନୀ ଆୟୋଜନ କରି ରାଜ୍ୟରେ ପୁଞ୍ଜିନିବେଶ ଲାଗି ରହିଥିବା ସମ୍ଭାବନା ବିଷୟରେ ନିବେଶକମାନଙ୍କୁ ବୁଝାଇବାକୁ ସରକାର ପ୍ରୟାସ କରିବେ।

ରାଜ୍ୟ ସରକାର ଛଅଟି କ୍ଷେତ୍ର ଲାଗି ପୁଞ୍ଜି ଆକୃଷ୍ଟ କରିବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ସେଗୁଡ଼ିକ ହେଉଛି ଧାତବ ଓ ଧାତବ ଡାଉନ୍‌ଷ୍ଟ୍ରିମ୍, ରସାୟନ ଓ ପେଟ୍ରୋକେମିକାଲ୍ସ, ବୟନ ଓ ପୋଷାକ, ଖାଦ୍ୟ ପ୍ରକ୍ରିୟାକରଣ, ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ ଡିଜାଇନ ଆଣ୍ଡ୍ ମାନୁଫାକ୍‌ଚରିଂ (ଇଏସ୍‌ଡିଏମ୍), ଲଜି‌ଷ୍ଟିକ୍ସ ଓ ସ୍ବଚ୍ଛ ଶକ୍ତି। ମେକ୍ ଇନ୍ ଓଡ଼ିଶାର ପ୍ରଥମ ଦୁଇଟି ସଂସ୍କରଣକୁ ଯଥାକ୍ରମେ ୨୦୧୬ ଓ ୨୦୧୮ରେ ଆୟୋଜନ କରାଯାଇଥିଲା। ପ୍ରଥମ ସଂସ୍କରଣରେ ୨ ଲକ୍ଷ କୋଟି ଟଙ୍କା ଓ ଦ୍ବିତୀୟ ସଂସ୍କରଣରେ ୪ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ତୃତୀୟ ସଂସ୍କରଣ ୨୦୨୦ରେ ଆୟୋଜନ କରାଯିବାର ଯୋଜନା ଥିଲା। ମାତ୍ର କୋଭିଡ୍‌ ମହାମାରୀ ପ୍ରଭାବ ଲାଗି ରହିବା ଯୋଗୁଁ ସମ୍ମିଳନୀ ଆୟୋଜନ ସମ୍ଭବ ହୋଇନଥିଲା। ମହାମାରୀର ପ୍ରଭାବ ଦୂର ହେଉଥିବାରୁ ଚଳିତ ବର୍ଷ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ଆୟୋଜନ କରିବା ନେଇ ସରକାର ବେଶ ଆଶାବାଦୀ ଅଛନ୍ତି।

publive-image

ଗତକାଲି ଦୁବାଇରେ ଆୟୋଜନ କରାଯାଇଥିବା ନିବେଶକ ସମ୍ମିଳନୀରେ ରାଜ୍ୟ ସରକାର ୨୧ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ନିବେଶ ପ୍ରସ୍ତାବ ହାସଲ କରିଛନ୍ତି। ଲୁଲୁ ଗ୍ରୁପ୍, ଏନ୍‌ବିଟିସି ଗ୍ରୁପ୍, ସରାଫ୍ ଗ୍ରୁପ୍, ଟ୍ବେଣ୍ଟି ଫୋର୍ଟିନ୍‌ ହୋଲ୍‌ଡିଂ, ତାବ୍‌ଲେଜ୍ ଗ୍ରୁପ୍, ଶୋଭା ଗ୍ରୁପ୍, ଆରବ ଆଣ୍ଡ୍ ଇଣ୍ଡିଆ ସ୍ପାଇସେସ୍‌ ଏଲ୍‌ଏଲ୍‌ସି ଓ ଡିପି ୱାର୍ଲଡ୍ ଭଳି ମଧ୍ୟପ୍ରାଚ୍ୟର ସଂସ୍ଥା ଓଡ଼ିଶାରେ ନିବେଶ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି। ଲୁଲୁ ଗ୍ରୁପ୍ ୫୦୦୦ କୋଟି ଟଙ୍କା ବିନିଯୋଗ କରି ଏକ ବିଳାସପୂର୍ଣ୍ଣ ହୋଟେଲ୍‌ ସ୍ଥାପନ କରିବାର ପ୍ରସ୍ତାବ ଦେଇଛି। ରିଅଲ ଇଷ୍ଟେଟ୍‌ କଂପାନି ଶୋଭା ଗ୍ରୁପ୍ ଓଡ଼ିଶାର ଧାତବ ଓ ଆତିଥେୟତା କ୍ଷେତ୍ରରେ ୫୦୦୦ କୋଟି ଟଙ୍କା ନିବେଶ କରିବ। ସରାଫ୍‌ ଗ୍ରୁପ୍ ଏକ ବିଶ୍ବସ୍ତରୀୟ ଫାସିଲିଟେସନ୍ ସେଣ୍ଟର ସ୍ଥାପନ କରିବା ଲାଗି ପ୍ରସ୍ତାବ ଦେଇଛି। କୁଏତ୍‌ର ଏନ୍‌ବିଟିସି ଗ୍ରୁପ୍‌ ଓଡ଼ିଶାରେ ଏକ ୟୁରିଆ ପ୍ଲାଣ୍ଟ୍ ସ୍ଥାପନ କରିବା ଲାଗି ୫୦୦୦ କୋଟି ଟଙ୍କା ‌ନିବେଶ କରିବାର ପ୍ରତିଶ୍ରୁତି ଦେଇଛି। ଏକ ଫସଫରିକ୍ ଏସିଡ୍ ପ୍ଲାଣ୍ଟ୍ ନିର୍ମାଣରେ ୮୦୦ କୋଟି ଟଙ୍କା ବିନିଯୋଗ କରିବା ବିଷୟରେ ପାରାଦୀପ ଫସ୍‌ଫେଟ୍ ଲିମିଟେଡ୍‌ (ପିପିଏଲ୍) ପକ୍ଷରୁ ଦୁବାଇ ସମ୍ମିଳନୀରେ ଘୋଷଣା କରାଯାଇଛି। ଆରବ ଇଣ୍ଡିଆ ସ୍ପାଇସେସ୍ ପକ୍ଷରୁ ଓଡ଼ିଶାରେ ୫୦୦ କୋଟି ଟଙ୍କା ନିବେଶରେ ଏକ ପଲ୍‌ସେସ୍‌ ସ୍ଲିଟିଂ ୟୁନିଟ୍ ସ୍ଥାପନ କରାଯିବ। ଲୁଲୁ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ୧୫୦୦ କୋଟି ଟଙ୍କା ବିନିଯୋଗରେ ଓଡ଼ିଶାରେ ଏକ ସପିଂ ମଲ୍‌, ହାଇପରମାର୍କେଟ୍‌, ଏଗ୍ରି ସୋର୍ସିଂ ଓ ଲଜିଷ୍ଟିକ୍ସ ହବ୍ ସ୍ଥାପନ କରାଯିବ। ଟାବ୍ରିଡ୍‌ ଗ୍ରୁପ୍ ପକ୍ଷରୁ ଭୁବନେଶ୍ବରରେ ଏକ ଆଇଟିସି କ୍ୟାମ୍ପସ୍ ସ୍ଥାପନ କରିବା ଲାଗି ହଜାରେ କୋଟି ଟଙ୍କା ନିବେଶ କରାଯିବ। ଡିପି ୱାର୍ଲଡ୍ ଓ ହିନ୍ଦୁସ୍ତାନ ପୋର୍ଟସ୍‌ ଲିମିଟେଡ୍‌ ପକ୍ଷରୁ ଓଡ଼ିଶାରେ ୮୦୦୦ କୋଟି ଟଙ୍କା ନିବେଶ କରାଯିବା ବିଷୟରେ ଘୋଷଣା କରାଯାଇଛି। ସରାଫ୍ ଗ୍ରୁପ୍ ଓ ହିନ୍ଦ ଟର୍ମିନାଲ୍ ପକ୍ଷରୁ ୭୫୦ କୋଟି ଟଙ୍କା ବିନିଯୋଗରେ ଏକ ଲଜିଷ୍ଟିକ୍ସ ପାର୍କ ସ୍ଥାପନ କରାଯିବ। ୱେଣ୍ଟି ଫୋର୍ଟିନ୍ ହୋଲ୍‌ଡିଂସ୍‌ ଏକ ପଞ୍ଚତାରକା ହୋଟେଲ୍ ନିର୍ମାଣ କରିବା ଲାଗି ୫୦୦ କୋଟି ଟଙ୍କା ବିନିଯୋଗ କରିବ।

ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାସୀ ଓଡ଼ିଆମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଭୁବନେଶ୍ବର-ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।