ରାଉରକେଲା: ସେକ୍ଟର-୧୯ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ସମ୍ମୁଖ ରାସ୍ତାରେ ଯାଉଥିବା କାର୍‌ ଉପରେ ହଠାତ୍‌ ଗଛ ପଡିଯାଇଥିଲା। କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ ଚାଳକ ଓ ପଛରେ ବସିଥିବା ଯାତ୍ରୀ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତକାଲିଠୁ ଲଗାଣ ବର୍ଷା ଲାଗିଥିବାରୁ ରାସ୍ତାପାର୍ଶ୍ବରେ ଥିବା ପୁରୁଣା ଗଛଟି ହଠାତ୍‌ ଉପୁଡ଼ି ପଡିଥିଲା। ସେକ୍ଟର-୧୯ ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ଡ୍ରାଇଭର ସମେତ ଅନ୍ୟ ଜଣେ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ଜଣାପଡ଼ିଛି। ଇସ୍ପାତ ସହରାଞ୍ଚଳ ଓ ରାଉରକେଲା ମହାନଗର ନିଗମ ଅଧିନସ୍ଥ ରାସ୍ତାରେ ଏମିତି ଅନେକ ଶୁଖିଲା ଗଛ ରହିଛି। ବର୍ଷ ବର୍ଷ ଧରି ରହିଥିବା ଏସବୁ ଗଛ ବିପଦସଙ୍କୁଳ ସ୍ଥିତିରେ ରହିଥିଲେ ହେଁ ସେଗୁଡ଼ିକ କଟାଯାଉ ନାହିଁ। ଆଜି ନୁହେଁ ଅନେକ ସମୟରେ ଏମିତି ଅଘଟଣ ଘଟୁଛି। ଉଦିତନଗର ଆର୍‌ଡିଏ ରାସ୍ତାରେ ଚଳନ୍ତା କାର୍‌ଉପରେ ଗଛ ପଡ଼ିଯିବାରୁ ହୋଟେଲ ମାଲିକଙ୍କର ମୃତ୍ୟୁ ହୋଇଥିଲା।