ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟତମ ଜଣାଶୁଣା ପର୍ଯ୍ୟଟନ ସ୍ଥଳୀ ହୁକିଟୋଲାରେ ଚଳିତ ବର୍ଷ ଗୋଟିଏ ଫ୍ଲୋଟିଂ ଜେଟି ନିର୍ମାଣ କରାଯିବ। ଆଜି ବିଧାନସଭାର ପ୍ରଶ୍ନକାଳରେ ଏହି ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।
ହୁକିଟୋଲାର ଉନ୍ନତି ସମ୍ପର୍କିତ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ମୂଳ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିେଲ, ହୁକିଟୋଲାରେ ଥିବା ପୁରୁଣା ବ୍ରିଟିସ୍ ସମୟର କୋଠାକୁ ବିଶ୍ବବ୍ୟାଙ୍କ ଅନୁଦାନରେ ଆଇସିଜେଡ୍ଏମ୍ପି ମାଧ୍ୟମରେ ୧ କୋଟି ୩ ଲକ୍ଷ ଟଙ୍କା ବ୍ୟୟ କରାଯାଇ ପୁନରୁଦ୍ଧାର କରାଯାଇଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଗୋଟିଏ ଘରୋଇ ବୋଟ୍କୁ ଏହି ବନଖଣ୍ଡ ତରଫରୁ ପଞ୍ଜୀକରଣ କରାଯାଇ ଜମ୍ବୁଠାରୁ ନଦୀ ପଥରେ ହୁକିଟୋଲାକୁ ପର୍ଯ୍ୟଟକଙ୍କୁ ନେଇ ଯାତାୟତର ବ୍ୟବସ୍ଥା କରାଯାଇଛି। ହୁକିଟୋଲା ଯିବା ଆସିବା ପାଇଁ ଗୋଟିଏ ଆପ୍ରୋଚ୍ ରୋଡ୍ ନଦୀକୂଳରୁ ହୁକିଟୋଲା ପର୍ଯ୍ୟନ୍ତ ନିର୍ମାଣ କରାଯାଇଛି। ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ନାୟକ କହିଥିଲେ, ପାରାଦୀପର ନେହରୁ ବଙ୍ଗଳାରୁ ଡାଙ୍ଗମାଳ ପର୍ଯ୍ୟନ୍ତ ପର୍ଯ୍ୟଟନର ବିକାଶ ପାଇଁ ଭରପୂର ସୁଯୋଗ ରହିଛି। ନେହରୁ ବଙ୍ଗଳା ନିକଟରୁ କ୍ରୁଜ୍ର ବ୍ୟବସ୍ଥା କଲେ ତାହା ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇପାରିବ। ଯାତାୟତ ପାଇଁ ଘରୋଇ ଡଙ୍ଗା ଯଥେଷ୍ଟ ନୁହେଁ। ଏଠାରେ ସ୍ପିଡ୍ ବୋଡ୍ ପକାଇବାର ବ୍ୟବସ୍ଥା ହେଉ। ଏକ ମାଷ୍ଟର୍ ପ୍ଲାନ୍ କରି ସରକାର ସେଠାରେ ପର୍ଯ୍ୟଟନର ବିକାଶ ପାଇଁ ପଦକ୍ଷେପ ନିଅନ୍ତୁ। ବିଧାୟକ ଶଶୀଭୂଷଣ ବେହେରା ଭିତରକନିକାର ବିକାଶ ସହ କେନ୍ଦ୍ରାପଡ଼ାର ଐତିହ୍ୟର ସଂରକ୍ଷଣ ପାଇଁ ପଦକ୍ଷେପ ନେବାକୁ କହିଥିଲେ।
Wikimapiaବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ, ଖଣି ବିକିଲେ ଓଡ଼ିଶା ଧନୀ ହେବ ନାହିଁ। କାରଣ ଏହା ଦିନେ ସରିଯିବ। କିନ୍ତୁ ପର୍ଯ୍ୟଟନ ପରି ଅସରନ୍ତି ଉତ୍ସକୁ ବିକାଶ କରିବାକୁ ପଡ଼ିବ। ରାଜ୍ୟରେ ପର୍ଯ୍ୟଟନ ବିଭାଗ କୁନ୍ଥେଇ କୁନ୍ଥେଇ ଚାଲିଛି। ଏମିତିରେ ବିକାଶ ହେବନି। ୪୮୦ କିମି ବେଳାଭୂମିର ବିକାଶକୁ ତ୍ବରାନ୍ବିତ କରି ପର୍ଯ୍ୟଟନକୁ ଆଗକୁ ନେବା ପାଇଁ ଚିନ୍ତା କରାଯାଉ।
ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ, ପର୍ଯ୍ୟଟନକୁ ସରକାର ଗୁରୁତ୍ବ ଦେଇଛନ୍ତି। ବଜେଟ୍ ଯଥେଷ୍ଟ ବଢ଼ିଛି। ଭିତରକନିକା ଉପରେ ସ୍ବତନ୍ତ୍ର ଫୋକସ୍ ଦିଆଯାଉଛି। ଗୋପାଳପୁରରରୁ ତଳସାରି ପର୍ଯ୍ୟନ୍ତ ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ଇକୋ-ରିଟ୍ରିଟ୍ ପରି ଉତ୍ସବ ବିଭିନ୍ନ ବେଳାଭୂମିରେ କରିବା ପାଇଁ ପ୍ରସ୍ତାବ ରହିଛି। ୧୦ ବର୍ଷ ହେଲା ଶାମୁକା ପ୍ରକଳ୍ପ ପଡ଼ି ରହିଥିଲା। ଏବେ ତାହାକୁ କାର୍ଯ୍ୟକ୍ଷମ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ। ତତ୍କ୍ଷଣାତ୍ ଶ୍ରୀ ସେଠୀ କହିଥିଲେ, ୧୦ ବର୍ଷ ହେଲା ରାଜ୍ୟରେ କାହା ସରକାର ଚାଲିଥିଲା ? ମନ୍ତ୍ରୀ ଟିକେ ଅପ୍ରସ୍ତୁତ ହୋଇ ପଡ଼ିଥିଲେ। ପରେ କଥାକୁ ଏଡ଼ାଇବାକୁ ଯାଇ କହିଥିଲେ, ବିଭିନ୍ନ ଅନୁମୋଦନ ପ୍ରକ୍ରିୟା ବିଳମ୍ବ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/hukitola-2.jpg)