ଭୁବନେଶ୍ୱର: ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା ଉଗ୍ର ରୂପ ନେଇଛି। ଅଧ୍ୟକ୍ଷଙ୍କ ନିଲମ୍ବନ ଓ ଅଭିଯୁକ୍ତ ଅଧ୍ୟାପକଙ୍କ ଗିରଫଦାରୀ ପରେ ବି ଅସନ୍ତୋଷର ନିଆଁ ଥମୁନି। ବାଲେଶ୍ବରଠାରୁ ଭୁବନେଶ୍ବର ଯାଏଁ, ବିଭିନ୍ନ ମହଲରୁ ପ୍ରତିବାଦର ସ୍ବର ତୀବ୍ର ହେବାରେ ଲାଗିଛି। ଗତକାଲି ପରି ଆଜି ମଧ୍ୟ ଏମ୍‌ସରେ ପୀଡ଼ିତାଙ୍କୁ ଭେଟି ରାଜନୈତିକ ଦଳର ପ୍ରତିନିଧିମାନେ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ବିରୋଧୀ ଦଳଗୁଡ଼ିକ ସିଧାସଳଖ ସରକାରକୁ କାଠଗଡ଼ାକୁ ଟାଣୁଥିଲା ବେଳେ ମନ୍ତ୍ରୀ ଓ ଶାସକ ଦଳ ବିଧାୟକମାନେ ସରକାର ଠିକ୍ ସମୟରେ ପଦକ୍ଷେପ ନେଇଛନ୍ତି ବୋଲି ଯୁକ୍ତି ବାଢ଼ୁଛନ୍ତି। ତେବେ ଏହି ଘଟଣାଟି ଆଉ ବୟାନବାଜିରେ ସୀମିତ ରହିନାହିଁ। ବିରୋଧୀ ଦଳ ଓ ବିଭିନ୍ନ ସାମାଜିକ ସଂଗଠନ ରାଜରାସ୍ତାକୁ ଓହ୍ଲାଇ ଛାତ୍ରୀଙ୍କୁ ନ୍ୟାୟ ଦାବି କରିଛନ୍ତି। 
Advertisment
ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେଡି ରାସ୍ତାକୁ ଓହ୍ଲାଇଥିବା ବେଳେ କଂଗ୍ରେସ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଛି। ନବନିର୍ମାଣ ଯୁବ ଛାତ୍ର ସଂଗଠନ ଘଟଣା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଦାୟୀ କରିବା ସହ ତାଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଫଳରେ ରାଜଧାନୀରେ ଦିନତମାମ ଏହାକୁ ନେଇ ପରିସ୍ଥିତି ସରଗରମ ରହିଛି। ବିଭିନ୍ନ ସ୍ଥାନରେ ପୁଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପୁଲିସ ପ୍ରସ୍ତୁତି କରୁଥିଲା ବେଳେ ଏହି ଘଟଣାଟି ପୁଲିସକୁ ଆହୁରି ଅଡ଼ୁଆରେ ପକାଇ ଦେଇଛି। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ବାସଭବନ ଆଗରେ ସୁରକ୍ଷାକୁ କଡ଼ାକଡ଼ି କରିଦିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଯୁବ ଓ ଛାତ୍ର ବିଜେଡିର ବିକ୍ଷୋଭ
ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଓ ଦୁର୍ବୃତ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି ଯୁବ ଓ ଛାତ୍ର ବିଜେଡି ରାସ୍ତାକୁ ଓହ୍ଲାଇଥିଲା। ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଲୋକଙ୍କ ସରକାର କହୁଥିବା ବିଜେପି ଶାସନରେ ସାଧାରଣ ଜନତା ଅସୁରକ୍ଷିତ ହୋଇପଡ଼ିଛନ୍ତି। ‘ବର୍ଷ ଏକ ଉପଲବ୍ଧି ଅନେକ’ର ନାରା ଦେଉଥିବା ସରକାରରେ ମହିଳା ଓ ଛାତ୍ରୀ ସମ୍ପୂର୍ଣ୍ଣ ଭୟଭୀତ। ରାଜ୍ୟର ନାମକରା ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ ଘଟଣାରେ କଲେଜ କର୍ତ୍ତୃପକ୍ଷ ଓ ପୁଲିସ ନିଷ୍କ୍ରିୟତାର ଅସଲ ମୁଖା ଫର୍ଦ୍ଦାଫାସ ହୋଇଛି। ଅନ୍ୟ ଘଟଣା ବେଳକୁ ବିଜେପି ସମର୍ଥିତ ଛାତ୍ର ସଙ୍ଗଠନ ଏବିଭିପି ଆନ୍ଦୋଳନ କରି ରାଜରାସ୍ତାକୁ ଆସୁଥିଲା ବେଳେ ଏହି ଘଟଣାକୁ ନେଇ କାହିଁକି ତତ୍ପରତା ପ୍ରକାଶ କରୁନାହିଁ? ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ବିଜେପି ସରକାର ନିଜର ଦୋଷ ତ୍ରୁଟିକୁ ତରବରିଆ ଭାବେ ଚାପି ଦେବାକୁ ଚେଷ୍ଟା କରୁଛି। ଛାତ୍ରୀଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଲଢ଼େଇ ଜାରି ରଖିବ ବୋଲି ବିଜେଡି ବିଧାୟକ ବ୍ୟୋମକେଶ ରାୟ, ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି। ଆଜିର ଘେରାଉରେ ଯୁବନେତା ଧୃତିରଞ୍ଜନ ମାର୍ଥା, ଏଲିନା ଦାସ, ବିଜୟକେତନ ସାହୁ, ଜ୍ୟୋତ୍ସ୍ନାମୟୀ ପରିଡ଼ା, ଶୁଭ୍ରାଂଶୁ ନାରାୟଣ ମିଶ୍ର, ତାରିଣୀ ପ୍ରସାଦ ନାୟକ, ଇପ୍‌ସିତା ସାହୁ, ରଶ୍ମିରେଖା ମଲ୍ଲିକ, ମିକୁ ପ୍ରଧାନ, ପ୍ରଦୋଷ ପରିଡ଼ା, ସୁଜିତ ପାଲଟାସିଂହ, ଛବି ମହାଲି, ଦିଲ୍ଲୀପ ସେନାପତି, ଶୁଭ୍ରଜିତ ପାଢ଼ୀ, ରଶ୍ମୀରଞ୍ଜନ ଦାସ, ସୁମନ ବେହେରା ପ୍ରମୁଖ ସାମିଲ ହୋଇଥିଲେ।
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଯୁବ ଓ ଛାତ୍ର କଂଗ୍ରେସ
ପ୍ରଦେଶ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ମିଳିତ ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସରକାରୀ ବାସଭବନ ଘେରାଉ କରାଯାଇଛି। ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଧସ୍ତାଧସ୍ତି ହୋଇଥିଲା। ବ୍ୟାରିକେଡ୍‌ ଭାଙ୍ଗି ଆଗକୁ ଯିବା ସମୟରେ ପୁଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା। ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର କହିଛନ୍ତି, ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଦାୟୀ। ଉଚ୍ଚଶିକ୍ଷା ବିଭାଗକୁ ପରିଚାଳନା କରିବାରେ ବିଭାଗୀୟ ମନ୍ତ୍ରୀ ମଧ୍ୟ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କହିଲେ, ମୋହନ ସରକାର ଏକ ଛାତ୍ର ବିରୋଧୀ ସରକାର। ପୀଡ଼ିତା ଛାତ୍ରୀ ନ୍ୟାୟ ପାଇବାକୁ କଲେଜ ଅଧ୍ୟକ୍ଷ, ଥାନା, ବାଲେଶ୍ୱର ସାଂସଦ, ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ। ମାତ୍ର ତାଙ୍କୁ ନ୍ୟାୟ ନ ମିଳିବାରୁ ହତାଶ ହୋଇ ଆତ୍ମଦାହ କରିବା ଭଳି ନିଷ୍ପତ୍ତି ନେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ସୟଦ୍‌ ୟାସିର ନୱାଜ, ମହମ୍ମଦ ଇମଦାଦ୍‌, ମନୋଜ ବିଶ୍ୱାଳ, ନିହାର ବେହେରା, ତୁଷାରକାନ୍ତି ତପସ୍ବୀ, ମହମ୍ମଦ ଗୁଲଫାମ୍‌, ବଳରାମ ନନ୍ଦ, ବିରଞ୍ଚି ବାରିକ, ଶାହାରୁଖ ଖାନ, ଆଶିଷ ମହାନ୍ତ, ସୁନିଲ ସାହୁ ଗାନ୍ଧୀ, ଲିପିକା ପାତ୍ର, ଲିପ୍‌ସା ନାୟକ, ସାଗର ପଟ୍ଟନାୟକ, ରଣଜିତ ସେନାପତି ପ୍ରମୁଖ ସାଇଲ ହୋଇଥିଲେ। ସନ୍ଧ୍ୟାରେ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର କଂଗ୍ରେସ ପକ୍ଷରୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଛାତ୍ର କଂଗ୍ରେସ ସଭାପତି ଉଦିତ୍‌ ପ୍ରଧାନଙ୍କ ନେତୃତ୍ବରେ ଅନୁଷ୍ଠିତ ବିକ୍ଷୋଭରେ ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ସହ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି।
ରାଜଧାନୀକୁ ବ୍ୟାପିଲା ବାଲେଶ୍ବର ନିଆଁ
ରାଜରାସ୍ତାକୁ ଓହ୍ଲାଇଲେ ବିଜେଡି, କଂଗ୍ରେସ
ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି
ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ନବନିର୍ମାଣ ଯୁବ ଛାତ୍ର ସଂଗଠନ
ଦେହରେ ପେଟ୍ରୋଲ ଢାଳି ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ରାଜ୍ୟ ବିଜେପି ସରକାରର ଦାୟିତ୍ବହୀନତା ବୋଲି ନବନିର୍ମାଣ ଯୁବଛାତ୍ର ସଙ୍ଗଠନ ଅଭିଯୋଗ କରିଛି। ନବନିର୍ମାଣ ଯୁବଛାତ୍ର ସଙ୍ଗଠନର ରାଜ୍ୟ ସଂଯୋଜକ ଏମଡି ମନୱର୍‌ ଅଲ୍ଲୀଙ୍କ ନେତୃତ୍ବରେ ସଙ୍ଗଠନର ସଦସ୍ୟମାନେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା, ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବାସଭବନ ଘେରାଉ କରିଥିଲେ। ଶ୍ରୀ ଅଲ୍ଲୀ କହିଛନ୍ତି ଯେ ଛାତ୍ରୀ ଜଣକ ଜୁଲାଇ ୧ରେ ଅଭିଯୁକ୍ତ ସହକାରୀ ପ୍ରଫେସରଙ୍କ ନାଁରେ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ କଲେଜ ଅଧ୍ୟକ୍ଷ ଏହି ଘଟଣାକୁ ଗୁରୁତ୍ବର ସହ ନେଇନଥିଲେ। ପରେ ଛାତ୍ରୀ ଜଣକ ବାଧ୍ୟ ହୋଇ ଥାନା, ବାଲେଶ୍ବର ସାଂସଦଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ। ଛାତ୍ରୀ ଜଣକ ନିଜ ‘ଏକ୍ସ’ ଆକାଉଣ୍ଟରେ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୋଗ ପ୍ରତି କେହି ଦୃଷ୍ଟି ଦେଇ ନ ଥିଲେ। ସାଧାରଣ ଲୋକଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ ହେଉଥିବାରୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଯୁବଛାତ୍ର ସଂଗଠନ ଦାବି କରିଛି। ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସହ ଏକ ପ୍ରତିନିଧି ମଣ୍ଡଳୀ ଏମ୍‌ସ ଗସ୍ତ କରି ପୀଡ଼ିତାଙ୍କ ଭାଇଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। 
ରାସ୍ତାକୁ ଓହ୍ଲାଇଲା ଏଆଇଏମ୍ଏସ୍ଏସ୍ 
ଛାତ୍ରୀ ନିର୍ଯାତନା ଘଟଣା ବିରୋଧରେ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ (ଏଆଇଏମ୍‌ଏସ୍‌ଏସ୍‌) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ୮ ମାସ ହେଲା ଛାତ୍ରୀଜଣକ ଅଧ୍ୟାପକଙ୍କ ଦ୍ବାରା ମାନସିକ ନିର୍ଯାତନାର ଶିକାର ହୋଇଆସୁଥିଲେ। କଲେଜ କର୍ତ୍ତୃପକ୍ଷ ଓ ପୁଲିସକୁ ଜଣାଇବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଦ୍ବାରା ଛାତ୍ରୀ ଜଣକ ଆତ୍ମାହୁତି ପରି ଚରମ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ଘଟଣା ସାରା ଓଡ଼ିଶାର ଜନସାଧାରଣଙ୍କୁ ଗଭୀର ମର୍ମାହତ କରିଛି। ସଙ୍ଗଠନର ଉପସଭାନେତ୍ରୀ ନିୟତି ଜାନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭରେ ସଭାନେତ୍ରୀ ବିଜୟାଲକ୍ଷ୍ମୀ ପାତ୍ର, ସମ୍ପାଦିକା ପ୍ରଭାମଞ୍ଜୁଳା ବ୍ରହ୍ମ, ଉପସଭାନେତ୍ରୀ ପ୍ରବାସିନୀ ରାଉଳ, ଶୁଭ୍ରାଶ୍ରୀ ଦାସ, ସୁନିତା ପାଣିଗ୍ରାହୀ, ନନ୍ଦିତା ମାହାତୋ, ଲକ୍ଷ୍ମୀ ବେଉରିଆ, ବୀଣା ସାମଲ, ସରଳା ସାହୁ ପ୍ରମୁଖ ସାମିଲ ହୋଇଥିଲେ।
ଏଆଇଡିଏସ୍‌ଓ ପକ୍ଷରୁ ଡିଜିଙ୍କୁ ଦାବିପତ୍ର
ଏଆଇଡିଏସ୍‌ଓ ଭୁବନେଶ୍ୱର କମିଟି ଏହି ଘଟଣାକୁ ନିନ୍ଦା କରିବା ସହ ସମସ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ  ଭୁବନେଶ୍ୱର ଡିସିପିଙ୍କ ମାଧ୍ୟମରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ  କରିଛନ୍ତି। ସଙ୍ଗଠନ ସଭାପତି ନସିମ ସରକାର କହିଛନ୍ତି ଯେ ପୁଲିସ ପ୍ରଶାସନଠାରୁ ଆରମ୍ଭ କରି କଲେଜ କର୍ତୃପକ୍ଷ, ଏପରିକି ସ୍ଥାନୀୟ ଜନପ୍ରତିନିଧିଙ୍କୁ ଅଭିଯୋଗ ଜଣାଇବା ସତ୍ତ୍ବେ ଛାତ୍ରୀଙ୍କୁ ନ୍ୟାୟ ମିଳିଲା ନାହିଁ। ତେଣୁ ସେ ଏଭଳି ଏକ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲେ। ବର୍ତ୍ତମାନ ସେ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ରାଜ୍ୟରେ ଛାତ୍ରୀ ନିରାପତ୍ତା ନାହିଁ। ବାରମ୍ବାର ଏହିଭଳି ଘଟଣା ଘଟୁଥିଲେ ମଧ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି।