ଏଥର ହେବ ନାହିଁ ହୁମା ଜାଗର ଯାତ୍ରା, ବିମଳେଶ୍ବର ବାବାଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ହୁମା : କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ହୁମା ବିମଳେଶ୍ବର ବାବାଙ୍କ ବକ୍ର ମନ୍ଦିରରେ ଚଳିତ ବର୍ଷ ଜାଗର ଯାତ୍ରା ହେବ ନାହିଁ। ଏହା ସହ ସ‌ପ୍ତାହେ ଧରି ଅନୁଷ୍ଠିତ ହେଉଥିବା ହୁମା ମେଳା ବି ଏହି ବର୍ଷ ପାଇଁ ବନ୍ଦ ରହିବ। ଜିଲ୍ଲା ପ୍ରଶାସନର ତତ୍ତ୍ବାବଧାନରେ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ଯାତ୍ରା କମିଟିର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଯାତ୍ରା କମିଟି ସଭାପତି ହେମନ୍ତ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମାନେଶ୍ବର ବିଡିଓ ନୀଳାମ୍ବର ମହାନନ୍ଦ, ଧମା ଥାନା ଅଧିକାରୀ ରାଜେଶ୍ବରୀ ଭୋଇ, ମନ୍ଦିର ଟ୍ରଷ୍ଟି ସତ୍ୟ ନାରାୟଣ ପୂଜାରୀ, ସେବାୟତ ଶିବାନନ୍ଦ ପୂଜାରୀ, ସଦାନନ୍ଦ ପୂଜାରୀ, ଗଜେନ୍ଦ୍ର ପୂଜାରୀ, ନରସିଂହ ପୂଜାରୀ, ଯାତ୍ରା କମିଟି ସଦସ୍ୟ ରମେଶ ପ୍ରଧାନ, ମାନଭଞ୍ଜନ ଛୁରିଆ, ଶଂକର ସାହାଣୀ, ରାମକୃଷ୍ଣ ଷଡ଼ଙ୍ଗୀ, ଆକାଶ କୁମ୍ଭାର ପ୍ରମୁଖ ସାମିଲ ହୋଇ ‌ଜାଗର ଯାତ୍ରା ଓ ହୁମା ମେଳା ନ କରିବାକୁ ନିଷ୍ପତ୍ତି ନେଇଥିଲେ।

ନିଷ୍ପତ୍ତି ଅନୁଯାୟୀ ୧୧ ତାରିଖ ଦିନ ମନ୍ଦିର ପରିସରରେ ଭକ୍ତ ମାନେ ଜାଗର ଜାଳିବେ ନାହିଁ। ସେହିପରି ଉକ୍ତ ଦିନଠୁ ୭ ଦିନ ଧରି ଚାଲୁଥିବା ମେଳା ଲାଗିବ ନାହିଁ କି ଦୋକାନ ବଜାର ‌ବସିବ ନାହିଁ। ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ହୁମା ମନ୍ଦିର ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ତେଣୁ ସେହି ସମୟରେ ଭକ୍ତ ମାନେ ମନ୍ଦିର ନ ଆସିବାକୁ ଯାତ୍ରା କମିଟି ତରଫରୁ ପରାମର୍ଶ ଦିଆଯାଇଛି। ସେହିପରି ମେଳାକୁ ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାର ବ୍ୟବସାୟୀଙ୍କୁ ଏ ବର୍ଷ ଆସିବାକୁ ବାରଣ କରାଯାଇଛି। ତେବେ ୧୧ ତାରିଖ ଦିନ ମନ୍ଦିରରେ ଯଥାବିଧି ନୀତିକାନ୍ତି ଅନୁଷ୍ଠିତ ହେବ। କେବଳ ସେବାୟତ ମାନେ ଉପସ୍ଥିତ ରହି ବିଧି ମୁତାବକ ବିମଳେଶ୍ବର ବାବାଙ୍କ ପୂଜାର୍ଚ୍ଚନା କରିବେ। ଏହି ନୀତିକାନ୍ତିରେ ଷୋଳପୂଜା, ରୁଦ୍ରାଭିଷେକ, ଲିଙ୍ଗାଭରଣ ଆଦି କାର୍ଯ୍ୟକ୍ରମ ରହିଛି। ଏହା ସହିତ ମନ୍ଦିରକୁ ଦୀପ ଉଠିବା ଓ ଧ୍ବଜାରୋହଣ କାର୍ଯ୍ୟକ୍ରମ ମଧ୍ୟ ବିଧି ମୁତାବକ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର