କଟକ/ତିଗିରିଆ : ତିଗିରିଆ ଜଗନ୍ନାଥ ସୂତାକଳ ପରିସରରୁ ତିନିଦିନ ତଳେ ଜବତ ହୋଇଥିଲା ୫ଟି ମଣିଷ ଖପୁରି । ହେଲେ ଫରେନ୍ସିକ୍ ପରୀକ୍ଷାରୁ ଜବତ୍ ଖପୁରି ସବୁ ବହୁ ପୁରୁଣା ବୋଲି ଜଣା ପଡିଛି। ଏଥିରେ ୩ଟି ପୁରୁଷ ଓ ୨ଟି ମହିଳାଙ୍କ ଖପୁରି ଥିବା ତିଗିରିଆ ଥାନା ଅଧିକାର ସୁଶାନ୍ତ ଶତପଥୀ ସୂଚନା ଦେଇଛନ୍ତି। ତନ୍ତ୍ର ସାଧନା ପାଇଁ କୌଣସି ତାନ୍ତ୍ରିକ ସେଠାରେ ଖପୁରୀ ରଖିଥିବା ନେଇ ଅଂଚଳରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ଏଭଳି ନିକାଞ୍ଚନ ସ୍ଥାନରେ କିଏ, କାହିଁକି ଓ କେବେଠାରୁ ଏଭଳି ଖପୁରି ସବୁ ରଖିଥିଲା, ତା’ଉପରୁ ପରଦା ହଟିପାରୁନି।
କଟକ ଜିଲ୍ଲାର ଆଠଗଡ ଉପଖଣ୍ଡର ତିଗିରିଆ-ନୂଆପାଟଣାରେ ଥିବା ‘ଜଗନ୍ନାଥ ସୂତା କଳ’ ୧୨ବର୍ଷ ହେବ ବନ୍ଦ ପଡିଥିବାବେଳେ ଏବେ ଜଗୁଆଳି ଭରସାରେ ପଡି ରହିଛି ସୂତାକଳ। ବନ୍ଦ ପଡିଥିବା ଏହି ଏକର ଏକର ପରିମିତ ଅଂଚଳ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ସେହି ଅଂଚଳକୁ ନିଜ କବ୍ଜାରେ ରଖିବା ପାଇଁ ହୁଏତ କିଛି ଗୋଷ୍ଠୀ ମଶାଣିରୁ ମଣିଷ ମୁଣ୍ଡ ଖପୁରି ଆଣି ସେଠାରେ ରଖିଥିବା କେତେକ କହୁଥିବାବେଳେ ଅନେକ ଲୋକ ଏହାକୁ ବିଶ୍ୱାସ କରିପାରୁନାହାନ୍ତି। ତନ୍ତ୍ର ସାଧନାରେ ସିିଦ୍ଧିପାଇଁ କିଛି ନର୍ଦ୍ଦିଷ୍ଟ ବ୍ୟକ୍ତି ଏଭଳି କାରବାର ଚଳାଇଥିବା ଅନେକ ଆଲୋଚନା କରୁଛନ୍ତି। ତେବେ ଫରେନ୍ସିକ୍ ରିପୋର୍ଟରେ ଏହି ଖପୁରି ସବୁ ବହୁ ପୁରୁଣା ବୋଲି ଜଣାପଡିଥିବା ଘଟଣା ପରେ ଏହାକୁ ନେଇ ଅନେକ ଚର୍ଚ୍ଚା ଅଂଚଳରେ ଶୁଣିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/bone.jpg-f.jpg)