ଏମ୍‌ସ ସୁପର ସ୍ପେସିଆଲିଟି ହସ୍ପିଟାଲ, ମେଡିକାଲ କଲେଜ ଦାବିରେ ମାନବ ଶୃଙ୍ଖଳ, ଦେଖନ୍ତୁ ଭିଡିଓ

ରାଉରକେଲା ::’ସେଲ’ ପକ୍ଷରୁ ନବନିର୍ମିତ ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲର ପରିଚାଳନା ଦାୟିତ୍ବ ‘ଏମ୍ସ’ କୁ ହସ୍ତାନ୍ତର ଦାବିରେ ରାଉରକେଲା ରେ ନାଗରିକ ସୁରକ୍ଷା କମିଟି ପକ୍ଷରୁ ଅନୁଷ୍ଠିତ ହୋଇଛି ଅଧଘଣ୍ଟିଆ ମାନବ ଶୃଙ୍ଖଳ। ଏହାକୁ ସମର୍ଥନ କରିଛି ବିଜେଡି ଓ ସିପିଆଇଏମ। ସେହିଭଳି କଂଗ୍ରେସ ମଧ୍ୟ ପୃଥକ ଭାବେ ପ୍ରତିବାଦ କରିଛି। ସମଗ୍ର ୧୮ କିମି ବ୍ୟାପି ମାନବ ଶୃଙ୍ଖଳ କରାଯାଇଛି। ରାଉରକେଲା ରେ ଏମ୍ସ ପ୍ରତିଷ୍ଠା କିମ୍ବା ସୁପର ସ୍ପେସିଆଲିଟି ହସ୍ପିଟାଲକୁ ସ୍ୱୟଂ ସମ୍ପୂର୍ଣ୍ଣ କରି ଏହାର ପରିଚାଳନା ଦାୟିତ୍ବ ଏମ୍ସ ସଂସ୍ଥାକୁ ହସ୍ତାନ୍ତର ପାଇଁ କେନ୍ଦ୍ର ଉପରେ ଚାପ ସୃଷ୍ଟି ନିମନ୍ତେ ଉଦ୍ୟମ ହୋଇଛି। ଜୋର ଧରିଛି।

ପ୍ରଧାନମନ୍ତ୍ରୀ ଙ୍କ ମେଡିକାଲ କଲେଜ ଘୋଷଣା କାର୍ଯ୍ୟକାରୀ ହୋଇନଥିବା ଏବଂ ଅସମ୍ପୂର୍ଣ୍ଣ ସୁପର ସ୍ପେସିଆଲିଟି ହସ୍ପିଟାଲ ରାଷ୍ଟ୍ରପତିଙ୍କ ଦ୍ବାରା ଉଦଘାଟନ କରାଯିବା ନିଷ୍ପତ୍ତି କୁ ବିରୋଧ କରାଯାଉଛି। ଏହି ପ୍ରସଙ୍ଗକୁ ନେଇ ବିଜେପି କୁ କିଛିଦିନ ହେଲା ଟାର୍ଗେଟ କରି ଆସୁଛନ୍ତି ବିଜେଡି, ସିପିଆଇଏମ ଓ କଂଗ୍ରେସ। ଏମାନଙ୍କୁ ମଧ୍ୟ ପାଲଟା ଜବାବ ଦେଇଚାଲିଛି ବିଜେପି। ଆଉ ମାଧ୍ୟମ ସାଜିଛି ସାମ୍ବାଦିକ ସମ୍ମିଳନୀ। ପ୍ରତ୍ୟେକ ଦିନ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପରସ୍ପର ପ୍ରତି ଆରୋପ, ପ୍ରତ୍ୟାରୋପ ଓ ଆକ୍ଷେପ, ପ୍ରତ୍ୟାକ୍ଷେପ ଜାରି ରହିଛି। ଏହାରି ଭିତରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ରବିବାର ଦିନ ରାଜ୍ୟପାଳ ଗଣେଶୀ ଲାଲ , କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ ଉପସ୍ଥିତିରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ଦ୍ଵାରା ସୁପର ସ୍ପେସିଆଲିଟି ହସ୍ପିଟାଲର ଲୋକାର୍ପଣ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର