ବାଲେଶ୍ବର : ବାହାନଗା ରେଳ ଦୁର୍ଘଟଣା ମନ୍ୟୁଷକୃତ ତ୍ରୁଟି। ସିଗନାଲ୍ ଅପରେଟିଂ ବ୍ୟବସ୍ଥା, ରିଲେ ରୁମ୍ ପରିଚାଳନାରେ ତ୍ରୁଟି, ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ତଥା ରେଳ ଚଳାଚଳ କ୍ଷେତ୍ରରେ ଥିବା ମାର୍ଗଦର୍ଶିକା (ଏସ୍‌ଓପି)କୁ ଅଣଦେଖା କରାଯିବା ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଲା ବୋଲି ରେଳବାଇ ନିଜ ଆଭ୍ୟନ୍ତରୀଣ ରିପୋର୍ଟରେ ଦର୍ଶାଇଛି। ରେଳ ନିରାପତ୍ତା କମିସନର (ଆରଏସ୍‌ସି) ଗତ ୨୯ ତାରିଖରେ ରେଳବାଇ ବୋର୍ଡକୁ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପରଦିନ ଗତକାଲି ଦକ୍ଷିଣ-ପୂର୍ବ ରେଳପଥ ଖଡଗପୁର ଡିଭିଜନ୍‌ର ଜିଏମ୍ ତଥା ଭାରତୀୟ ରେଳ ଟ୍ରାଫିକ୍ ସେବାର ବରିଷ୍ଠ ଅଧିକାରୀ (ଆଇଆରଟିଏସ୍‌) ଅର୍ଚ୍ଚନା ଯୋଶୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। କ୍ୟାବିନେଟ୍‌ ନିଯୁକ୍ତି ସଂକ୍ରାନ୍ତ କମିଟିର ଅନୁମୋଦନ କ୍ରମେ ବରିଷ୍ଠ ଅଧିକାରୀ ଅନୀଲ କୁମାର ମିଶ୍ରଙ୍କୁ ଦକ୍ଷିଣ-ପୂର୍ବ ରେଳପଥ ଡିଭିଜନ୍‌ର ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ଦିଆଯାଇଛି।

Advertisment

ସିବିଆଇ ତଦନ୍ତ ଚାଲିଥିବାରୁ ଯଦିଓ ରେଳ ସୁରକ୍ଷା କମିସନରଙ୍କ ରିପୋର୍ଟ ସାର୍ବଜନୀନ ହୋଇନାହିଁ, କିନ୍ତୁ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ରିପୋର୍ଟ ଅନୁସାରେ, ରିଲେ ରୁମ୍ କର୍ମଚାରୀଙ୍କ ତ୍ରୁଟି ଦୁର୍ଘଟଣାର ବଡ଼ କାରଣ ବୋଲି କୁହାଯାଉଛି। ସିଗନାଲ୍‌ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ତ୍ରୁଟି ଥିବା ମଧ୍ୟ ଏଥିରେ ଉଲ୍ଲେଖ ରହିଛି। ରିପୋର୍ଟରେ କେବଳ ବୈଷୟିକ (ଟେକ୍ନିକାଲ) ତ୍ରୁଟି ବାବଦରେ ରେଳ ନିରାପତ୍ତା କମିସନର ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ, ଜୁନ୍ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ବଜାର ଷ୍ଟେସନ୍‌ଠାରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଥିଲେ।