ସ୍ବାସ୍ଥ୍ୟସେବାରେ ମାନବ ସମ୍ବଳ ସଙ୍କଟ, ଓଡ଼ିଶାରେ ୧୯୪୩ ଲୋକରେ ଜଣେ ଡାକ୍ତର

୨୫୫୭ ଡାକ୍ତର, ୨୫୯୪ ଷ୍ଟାଫ୍ ନର୍ସ ପଦବି ଖାଲି

ଭୁବନେଶ୍ବର : ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଗାଇଡ୍‌ଲାଇନ୍ କହୁଛି ପ୍ରତି ଏକ ହଜାର ଲୋକରେ ଜଣେ ଡାକ୍ତର ରହିବା କଥା। ଏବେ ସର୍ବଭାରତୀୟ ସ୍ତରରେ ପ୍ରତି ୧୧୬୧ ଲୋକରେ ଜଣେ ଡାକ୍ତର ଅଛନ୍ତି। ଓଡ଼ିଶାରେ ପ୍ରତି ୧୯୪୩ ଜଣ ଲୋକରେ ଜଣେ ଡାକ୍ତର। ରାଜ୍ୟରେ ଏବେ ମୋଟ୍‌ ୨୫୫୭ ଡାକ୍ତର, ୨୫୯୪ ଷ୍ଟାଫ୍‌ ନର୍ସ ଓ ୧୦୯୯ ଏଏନ୍‌ଏମ୍‌ ପଦବି ଖାଲି ପଡ଼ିଛି। ଆଜି ବିଧାନସଭାରେ ବିଧାୟକମାନଙ୍କ ପୃଥକ ପୃଥକ ଲିଖିତ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଦେଇଥିବା ତଥ୍ୟରୁ ଏହି ସୂଚନା ମିଳିଛି।

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡ଼ିଶାରେ ଓଏମ୍‌ଏଚ୍‌ଏସ୍‌ କ୍ୟାଡର୍‌ର ୮୭୧୯ ମଞ୍ଜୁରିପ୍ରାପ୍ତ ପଦବି ମଧ୍ୟରୁ ୬୩୮୯ଟି ପଦବିରେ ନିୟମିତ ଡାକ୍ତର କାର୍ଯ୍ୟରତ ଅଛନ୍ତି। ୨୩୩୦ ପଦବି ଖାଲି ରହିଛି। ଖାଲି ଥିବା ଏହି ଡାକ୍ତର ପଦବିଗୁଡ଼ିକୁ ପୂରଣ କରିବା ନିମନ୍ତେ ପ୍ରତି ବର୍ଷ ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ନିୟମିତ ଭାବେ ଚୟନ ପରୀକ୍ଷା କରାଯାଉଥିଲେ ମଧ୍ୟ ଆବଶ୍ୟକ ଯୋଗ୍ୟ ଡାକ୍ତରଙ୍କ ଅଭାବ ଯୋଗୁ ଏହି ପଦବିଗୁଡ଼ିକ ବର୍ଷ ବର୍ଷ ଧରି ଖାଲି ରହୁଛି। ରାଜ୍ୟରେ ଡାକ୍ତରଖାନାଗୁଡ଼ିକର ବର୍ଦ୍ଧିତ ରୋଗୀ ସଂଖ୍ୟା ତଥା ତଦନୁଯାୟୀ ଆବଶ୍ୟକ ଥିବା ଡାକ୍ତର ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ବାହାରେ ଥିବା ଯୋଗ୍ୟ ଡାକ୍ତରଙ୍କୁ ଡାକ୍ତରୀ ଓ ସ୍ବାସ୍ଥ୍ୟସେବା କ୍ୟାଡର୍‌ରେ ଯୋଗ ଦେବା ପାଇଁ ସୁଯୋଗ ଦେବାର ଆବଶ୍ୟକତା ରହିଛି। ସେହି ଅନୁଯାୟୀ ସରକାର ପଦକ୍ଷେପ ନେଇଛନ୍ତି।

ଆଡ୍‌ହକ୍‌ ଡାକ୍ତରଙ୍କୁ ନିୟମିତ କରାଯିବା ସମ୍ପର୍କିତ ଶ୍ରୀ ପଟ୍ଟନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ଜଣାଇଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୭ ଜଣ ଡାକ୍ତର ଆଡ୍‌ହକ୍‌ ନିଯୁକ୍ତି ପାଇଛନ୍ତି। ଓପିଏସ୍‌ସି ଦ୍ବାରା କରାଯାଉଥିବା ଚୟନ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଆଡ୍‌ହକ୍‌ ଓ କଣ୍ଟ୍ରାକ୍‌ଚୁଆଲ୍‌ ଡାକ୍ତରଙ୍କ ନିମନ୍ତେ ଓଏମ୍‌ଏଚ୍‌ଏସ୍‌ ରୁଲ୍‌-୨୦୧୭ ଅନୁଯାୟୀ ସର୍ବୋଚ୍ଚ ବୟସ ସୀମା କୋହଳ କରାଯିବାର ବ୍ୟବସ୍ଥା ରହିଛି। ଗତ ବର୍ଷ ଚୟନ ପ୍ରକ୍ରିୟାରେ କାର୍ଯ୍ୟରତ ଡାକ୍ତରଙ୍କୁ ଗ୍ରେସ୍‌ ମାର୍ଗ ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟାରେ ପ୍ରେ‌ାତ୍ସାହନ ଦିଆଯାଇଥିଲା।

ବିଧାୟକ ଭୂପିନ୍ଦର ସିଂହ, ଅଶ୍ବିନୀ କୁମାର ପାତ୍ର, ମହିଧର ରଣା ଓ ଆଦିତ୍ୟ ମାଢ଼ୀଙ୍କ ପୃଥକ ପୃଥକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଜଣାଇଛନ୍ତି ଯେ ରାଜ୍ୟର ୮ଟି ସରକାରୀ ମେଡିକାଲ କଲେଜ ଓ ଏସ୍‌ସିବି ଡେଣ୍ଟାଲ୍‌ କଲେଜରେ ୧୩୮୧ଟି ମଞ୍ଜୁରିପ୍ରାପ୍ତ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ୍‌ ପ୍ରଫେସର ପଦବି ଥିଲା ବେଳେ ସେଥିରୁ ୨୨୭ଟି ଖାଲି ଅଛି। ଏହା ବାଦ୍ ରାଜ୍ୟରେ ଖାଲି ଥିବା ଏଏନ୍‌ଏମ୍‌ ଓ ଷ୍ଟାଫ୍‌ ନର୍ସ ପଦବିରେ ରାଜ୍ୟ ବା କେନ୍ଦ୍ର ସରକାରଙ୍କ ଚାଲିଥିବା ବିଭିନ୍ନ ଯୋଜନାରେ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଥିବା ଏଏନ୍‌ଏମ୍‌/ଷ୍ଟାଫ୍‌ ନର୍ସମାନଙ୍କୁ ନିୟମିତ କରାଯାଉଛି। ବର୍ତ୍ତମାନ ଏହି ପ୍ରକ୍ରିୟା ଚାଲୁ ରହିଛି।

ସମ୍ବନ୍ଧିତ ଖବର