ଶୁଲିଆପଦାରେ ଯୁବକଙ୍କ ଆତ୍ମହତ୍ୟା ଘଟଣା: ‘ଏନ୍‌ଏଚ୍‌ଆରସି’ଙ୍କ ହସ୍ତକ୍ଷେପ ଲୋଡିଲେ ମାନବିକ ଅଧିକାର କର୍ମୀ

ଭୁବନେଶ୍ବର: ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦାରେ ପୁଲିସ୍ ନିର୍ଯାତନାର ଶିକାର ହୋଇ ଯୁବକଙ୍କ ଆତ୍ମହତ୍ୟା ଘଟଣାରେ ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ କମଳା ସାଗର ପାଟଣା ଗାଁର ମାନବିକ ଅଧିକାର କର୍ମୀ ଅଖଣ୍ଡ ଜାତୀୟ ମାନବିକ ଅଧିକାର କମିସନଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଏନେଇ ସେ କମିସନଙ୍କ ନିକଟରେ ଶନିବାର ଦିନ ଏକ ପିଟିସନ୍ ଦାୟର କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ ଗତ ୧୭ ତାରିଖରେ ଶୁଳିଆପଦା ଥାନା ପୁଲିସ ବେଆଇନ ଭାବେ ଶରଡିହା ଗାଁର ରଜପାଣି ପାତ୍ରକୁ ଉଠାଇ ଆଣିଥିଲା। ୪ ଦିନ ଥାନାରେ ରଖି ତାଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲା ଓ ପରେ ତାଙ୍କର ଝୁଲନ୍ତା ମୃତଦେହ ମିଳିଥିଲା । ପୁଲିସ୍‌ର ଏହି ବର୍ବର କାର୍ଯ୍ୟ ସଭ୍ୟ ଓ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଅଖଣ୍ଡ। ମାନବିକ ଅଧିକାର କମିସନ ଏହାକୁ ଗ୍ରହଣ କରି ତୁରନ୍ତ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ, ପୀଡ଼ିତ ପରିବାରକୁ ରିଲିଫ୍ ଓ ଥଇଥାନ କରିବାକୁ ନିବେଦନ କରିଛନ୍ତି। ଏଥିରେ ପୁଲିସ୍ ଡିଜି, ମୟୂରଭଞ୍ଜ ଏସପି ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର